ନୂଆଦିଲ୍ଲୀ: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରାରମ୍ଭିକ ରାଜନୈତିକ କ୍ୟାରିୟରକୁ ଦୋହଲାଇ ଦେଇଥିବା ୧୯୯୩ ମସିହାର ଏକ ଚର୍ଚ୍ଚିତ ସ୍କାଣ୍ଡାଲ୍‌ ଉପରେ ଦୀର୍ଘ ବର୍ଷ ପରେ ମୁହଁ ଖୋଲିଛନ୍ତି ଡଃ ରୁଥ୍ ବାର୍ (Ruth Bar)। ୧୯୯୩ ଜାନୁଆରୀ ୧୪ରେ ନେତାନ୍ୟାହୁ ନିଜେ ‘ଚ୍ୟାନେଲ୍ ୧’ରେ ଲାଇଭ୍ ଆସି ନିଜର ପରାମର୍ଶଦାତା ରୁଥଙ୍କ ସହ ପରକୀୟା ପ୍ରୀତି କଥା ସ୍ୱୀକାର କରିଥିଲେ।

ସେତେବେଳେ ‘ଲିକୁଡ୍’ ପାର୍ଟିର ନେତୃତ୍ୱ ପାଇଁ ନେତାନ୍ୟାହୁ ଏବଂ ଡେଭିଡ୍ ଲେଭିଙ୍କ ମଧ୍ୟରେ କଡ଼ା ପ୍ରତିଯୋଗୀତା ଚାଲିଥିଲା। ତେବେ ଏହି ପ୍ରେମ ସମ୍ପର୍କ ନେତାନ୍ୟାହୁଙ୍କ ରାଜନୈତିକ ଭବିଷ୍ୟତକୁ ସଙ୍କଟରେ ପକାଇ ଦେଇଥିଲା। ନେତାନ୍ୟାହୁଙ୍କ ନେତୃତ୍ୱ ଦୌଡ଼ ଆଗେଇ ଚାଲିଥିବା ବେଳେ, ଜଣେ ଅଜଣା ବ୍ୟକ୍ତି ତାଙ୍କ ସ୍ତ୍ରୀ ସାରାଙ୍କୁ ଫୋନ୍ କରି ଏହି ସମ୍ପର୍କ ବିଷୟରେ ଜଣାଇଥିଲେ। ନେତାନ୍ୟାହୁ ଯଦି ଦୌଡ଼ରୁ ନ ଓହରନ୍ତି, ତେବେ ସେମାନଙ୍କ ଗୁପ୍ତ ସମ୍ପର୍କର ଟେପ୍ ସାର୍ବଜନୀନ କରିଦିଆଯିବ ବୋଲି ଧମକ ଦିଆଯାଇଥିଲା।

ନେତାନ୍ୟାହୁ ଓହରିବା ପରିବର୍ତ୍ତେ ନିଜେ ଟିଭି ଚ୍ୟାନେଲକୁ ଯାଇ ନିଜର ଭୁଲ୍ ସ୍ୱୀକାର କରିଥିଲେ। ଏହା ସହ ନିଜର ସହଯୋଗୀ ନେତା ଡେଭିଡ୍ ଲେଭିଙ୍କ ଉପରେ ବ୍ଲାକ୍‌ମେଲ୍ କରିବାର ଅଭିଯୋଗ ଆଣିଥିଲେ। ଏହି ଘଟଣା ଇସ୍ରାଏଲରେ ଆଲୋଡ଼ନ ସୃଷ୍ଟି କରିଥିଲା, କିନ୍ତୁ ସେହି ଚର୍ଚ୍ଚିତ ଟେପ୍ କେବେବି ସାମ୍ନାକୁ ଆସିନଥିଲା। ସମୀକ୍ଷକଙ୍କ ମତରେ, ନେତାନ୍ୟାହୁଙ୍କୁ ରାଜନୀତିରୁ ହଟାଇବା ପାଇଁ ଏହା ଏକ ମିଛ ଧମକ ଥିଲା। ସ୍କାଣ୍ଡାଲ୍ ସତ୍ତ୍ୱେ, ନେତାନ୍ୟାହୁ ‘ଲିକୁଡ୍’ ଦଳର ସଭାପତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଇସ୍ରାଏଲ୍‌ର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବେ ଉଭା ହୋଇଥିଲେ। ଅନ୍ୟପଟେ ଇସ୍ରାଏଲରେ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ରୁଥ ବାରଙ୍କ ସ୍ବୀକାରୋକ୍ତି ନେତାନ୍ୟାହୁଙ୍କ ପାଇଁ ଅଡ଼ୁଅ ସୃଷ୍ଟି କରିପାରେ ।

ରୁଥ୍ ବାର୍ କିଏ ?

ଏହି ସ୍କାଣ୍ଡାଲ୍ ପରେ ରୁଥ୍ ବାର ଗଣମାଧ୍ୟମ ଓ ରାଜନୀତିରୁ ଦୂରେଇ ଯାଇ ନିଜର ବ୍ୟକ୍ତିଗତ ଜୀବନକୁ ଫେରିଯାଇଥିଲେ। ସେତେବେଳେ ସୋସିଆଲ ମିଡିଆ ନଥିବାରୁ ସେ ସହଜରେ ଜଣେ ମନୋବିଜ୍ଞାନୀ (Psychologist) ଏବଂ ରଣନୀତିକ ପରାମର୍ଶଦାତା ଭାବରେ ନିଜ କାର୍ଯ୍ୟ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସେ ଏହୁଦ୍ ବାରାକ, ଏହୁଦ୍ ଓଲମର୍ଟ ଏବଂ ଗାବି ଅଶ୍କେନାଜିଙ୍କ ଭଳି ବଡ଼ ବଡ଼ ଇସ୍ରାଏଲୀ ନେତାଙ୍କ ସହ କାମ କରିଥିଲେ। ସେ 'ଓସେମ୍-ନେସଲେ' (Osem-Nestlé), 'ଷ୍ଟ୍ରସ୍', 'ଇଲେକ୍ଟ୍ରା' ଭଳି ବଡ଼ ବ୍ରାଣ୍ଡ୍ ଏବଂ 'ବ୍ୟାଙ୍କ ହାପୋଆଲିମ୍' ଓ 'ବ୍ୟାଙ୍କ ଲେଉମି' ଭଳି ପ୍ରମୁଖ ଆର୍ଥିକ ସଂସ୍ଥା ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି।