• ଜିନପିଙ୍ଗକୁ ନେଇ ଲୋବସାଙ୍ଗ ସାଙ୍ଗେୟ କହିଛନ୍ତି ଯେ ତାଙ୍କୁ ବଶ୍ ଚାପରେ କାମ କରିବାକୁ ପଡୁଛି
  • ତାଙ୍କ ଚାଲିବା ଶୈଳୀ ସବୁକିଛି ବୟାନ କରୁଛି। ଚାପରେ କାମ ଯୋଗୁ ତାଙ୍କୁ ହୃଦଘାତ ପଡୁଛି
  • ତାଙ୍କ ଲାଗି ଉତ୍ତରାଧିକାରୀ ବାଛିବା ଏକ ଆହ୍ୱାନପୂର୍ଣ୍ଣ କାମ

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟକୁ ନେଇ ତୀବ୍ବତର ପୂର୍ବତନ ନିର୍ବାସୀତ ପ୍ରଧାନମନ୍ତ୍ରୀ ଲୋବସାଙ୍ଗ ସାଙ୍ଗୟେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଜିନପିଙ୍ଗଙ୍କୁ ୨ ଥର ହୃଦଘାତ ହେଲାଣି, ଏହା ପରେ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋବସାଙ୍ଗ ସାଙ୍ଗେୟଙ୍କ କହିବା କଥା ହେଉଛି ସେ ଚୀନ୍ ର ଜନୈକ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୧ ଘଣ୍ଟା ଧରି ହୋଇଥିବା ଆଲୋଚନାରେ ଚୀନ୍ ଅଧିକାରୀ ତାଙ୍କୁ ଏହି ସୂଚନା ଦେଇଥିଲେ।

ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସୀ ପଡକାଷ୍ଟରେ ଲବସାଙ୍ଗ ସାଙ୍ଗୟେ ଚୀନ୍ ଅଧିକାରୀଙ୍କ ସହ ହୋଇଥିବା ବୈଠକ କଥା ସେୟାର କରିଛନ୍ତି। ଜିନପିଙ୍ଗ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କିର୍ଗିଜସ୍ତାନ ରାଜଧାନୀ ବିସକେକ ପହଞ୍ଚିଥିଲେ। ଏହି ସମୟରେ ବିମାନରୁ ଅବତରଣ କରିବାର ତାଙ୍କ ଭିଡିଓ ସାମ୍ନାକୁ ଆସିଛି ଓ ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏ ନେଇ ଲବସାଙ୍ଗ ସାଙ୍ଗେୟ କହିଛନ୍ତି ଯେ ମୋତେ ଚୀନ୍ ର ଜନୈକ ପୂର୍ବତନ ଅଧିକାରୀଙ୍କ ସହ କଥା ହେବାକୁ ସୁଯୋଗ ମିଳିଥିଲା। ସେ ମୋତେ କହିଥିଲେ ଜିନପିଙ୍ଗଙ୍କୁ ୨ ଥର ହୃଦଘାତ ହେଲାଣି।

ଜିନପିଙ୍ଗକୁ ନେଇ ଲୋବସାଙ୍ଗ ସାଙ୍ଗେୟ କହିଛନ୍ତି ଯେ ତାଙ୍କୁ ବଶ୍ ଚାପରେ କାମ କରିବାକୁ ପଡୁଛି। ତାଙ୍କୁ ଦେଖିଲେ ଜଣାପଡୁଛି ତାଙ୍କ ଉପରେ ଚାପ କେତେ। ତାଙ୍କ ଚାଲିବା ଶୈଳୀ ସବୁକିଛି ବୟାନ କରୁଛି। ଚାପରେ କାମ ଯୋଗୁ ତାଙ୍କୁ ହୃଦଘାତ ପଡୁଛି। ମାନସିକ ଥକ୍କା କାରଣରୁ ସେ ନିଷ୍ପତ୍ତି ନେବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ମିଲେଟ୍ରିର ସିନିୟର ଜେନେରାଲ ମାନଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏଠାରେ ଅନେକ ଜେନେରାଲ ଗାୟବ ମଧ୍ୟ ହୋଇଛନ୍ତି। ତେବେ ଲୋବସାଙ୍ଗଙ୍କ ବୟାନରୁ ଏପରି କିଛି ପୁଷ୍ଟି ହେଉନି ଯେ ଜିନପିଙ୍ଗଙ୍କୁ ହୃଦଘାତ ହୋଇଥିଲା।

ସେହିପରି ଜିନପିଙ୍ଗଙ୍କ ଉତ୍ତରାଧିକାରୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଲୋବସାଙ୍ଗ ସାଙ୍ଗେୟ କହିଛନ୍ତି ଯେ ତାଙ୍କ ଲାଗି ଉତ୍ତରାଧିକାରୀ ବାଛିବା ଏକ ଆହ୍ୱାନପୂର୍ଣ୍ଣ କାମ। ସେ କହିଛନ୍ତି ଯେ ନୂଆ ବଛାଯାଇଥିବା ନେତା ଭବିଷ୍ୟତରେ ତାଙ୍କ ଶାସନ ଲାଗି ଜଣେ ପ୍ରତିଦ୍ୱନ୍ଦ୍ୱୀ ଅଥବା ବିପଦ ହୋଇ ପାରନ୍ତି। ସାଙ୍ଗେୟ କହିଛନ୍ତି ଯେ ସେ ପଦ ଛାଡିବା ପରେ ଦେଶରେ ଭୀଷଣ ଅନିଶ୍ଚିତତା ଓ ପାରସ୍ପରିକ ସଂଘର୍ଷ ଆରମ୍ଭ ହୋଇ ପାରେ। ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ ସାଧାରଣତଃ ଜଣେ ରାଜା ତାଙ୍କ କ୍ରାଉନ ପ୍ରିନ୍ସଙ୍କୁ ଉତ୍ତରାଧିକାରୀ ଚୟନ କରିଥାନ୍ତି। ଚୀନ ଇତିହାସ ଦେଖିଲେ ଏ କଥାର ପୁରା ଆଶଙ୍କା ଯେ ପ୍ରିନ୍ସ ହିଁ ତାଙ୍କୁ ହତ୍ୟା କରିଦେବେ ଓ ତାଙ୍କ ସ୍ଥାନ ନେଇନେବେ। ଏଥିରେ ଯଦି ପ୍ରିନ୍ସ ନିଯୁକ୍ତ ନ କରାଯାଏ ଓ ଅଧିକ ଦିନ ଜିନପିଙ୍ଗ ଶାସନରେ ରହନ୍ତି ତେବେ ଦେଶର କ୍ଷତି ହେବ। ଏଣୁ ଏପରି ପରିସ୍ଥିତିରେ ଗୃହଯୁଦ୍ଧ ହୋଇପାରେ। ଚୀନ୍ ର ଏହା ଇତିହାସ ମଧ୍ୟ ରହିଛି। ଏହି କାରଣରୁ ଜିନପିଙ୍ଗ ତାଙ୍କ ଉତ୍ତରାଧିକାରୀ ଘୋଷଣା କରୁ ନାହାନ୍ତି।