ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଜଳବାୟୁ ରିବର୍ତ୍ତନ ଭଳି ସମସ୍ୟା ତୀବ୍ର ରୂପ ଧାରଣ କରିଥିବା ବେଳେ ଦେଶର ଖାଦ୍ୟ ସୁରକ୍ଷାର ଦାୟିତ୍ୱ ପ୍ରାଣୀ ଚିକିତ୍ସକଙ୍କ ହାତରେ ରହିଛି ବୋଲି ଜଣେ ବିଶିଷ୍ଟ ବୈଜ୍ଞାନିକ ମତ ରଖିଛନ୍ତି। ପ୍ରାଣୀ ଚିକିତ୍ସକମାନେ ଜାତୀୟ ଖାଦ୍ୟ ସୁରକ୍ଷାର ଅଦୃଶ୍ୟ ରକ୍ଷକ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମଧ୍ୟରେ ଖାଦ୍ୟ ଏବଂ ପୋଷଣ ବିଷୟରେ ଏମାନଙ୍କ ବିନା ଚିନ୍ତା କରାଯାଇ ନପାରେ ବୋଲି ଶନିବାର ଆଇସିଏଆର-ସେଂଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର ଫ୍ରେସୱାଟର ଆକ୍ୱାକଲଚର (ସିଫା)ର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ସାହୁ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ପ୍ରାଣୀ ଚିକିତ୍ସକମାନେ ଅନେକ ସଫଳତା ହାସଲ କରିଛନ୍ତି। ଗୋରୁ ବସନ୍ତ ଭଳି ପଶୁ ମହାମାରୀ ଯାହାକି ଗାଈଗୋରୁଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରୁଥିଲା ତାହା ଭାରତରୁ ସମୁଳେ ଦୂର କରାଯାଇଛି। ଇନ-ଭିଟ୍ରୋ ଫର୍ଟିଲାଇଜେସନରେ ସଫଳତା ମଧ୍ୟ ଏକ ବିଶେଷ ସଫଳତା ବୋଲି ସେ କହିଛନ୍ତି।

ଶିକ୍ଷା ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଭେଟେରିନାରୀ ସାଇନ୍ସସେସ୍ ଆଣ୍ଡ ଆନିମଲ ହଜବାଂଡ୍ରି (ଆଭିଏସଏଏଚ), ଓଡ଼ିଶା ଲାଇଭଷ୍ଟକ ଡେଭେଲପମେଣ୍ଟ ସୋସାଇଟି ଏବଂ ଓଡ଼ିଶା ଭେଟେରିନାରି କାଉନସିଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ପ୍ରାଣୀ ଚିକିତ୍ସକ ଦିବସ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ସାହୁ ଏହା କହିଛନ୍ତି।

ଡକ୍ଟର ସାହୁ ପ୍ରାଣୀ ଚିକିତ୍ସକମାନଙ୍କର ସଫଳତାକୁ ପ୍ରଶଂସା କରି କହିଥିଲେ ଯେ ଭାରତ ବର୍ତ୍ତମାନ ଦୁଗ୍ଧ ଉତ୍ପାଦନରେ ୧ ନମ୍ବର ଏବଂ ଅଣ୍ଡା ଉତ୍ପାଦନରେ ୨ ନମ୍ବର ସ୍ଥାନରେ ରହିଛି। ସେହିପରି ଦେଶ ଟୀକା ପ୍ରସ୍ତୁତିରେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପ୍ରାଣୀ ଚିକିତ୍ସକମାନଙ୍କର ଅବଦାନ ଅତୁଳନୀୟ କାରଣ ତାଙ୍କ ରୋଗୀମାନେ କଥା କହିପାରନ୍ତି ନାହିଁ। ପୁରାତନ ସମୟରୁ ମଣିଷ ଏବଂ ପ୍ରାଣୀମାନଙ୍କର ସମ୍ପର୍କ ବେଶ୍ ସୁଦୃଢ଼ ବୋଲି କହିବା ସହ ନିକଟରେ ଗୋଟିଏ କୁକୁର ବାହାଦୁରୀକୁ ଉଦାହରଣ ଦେଇଥିଲେ। ଏହି କୁକୁରଟି କିଭଳି ସ୍କୁଲ ପରିସର ମଧ୍ୟରେ ଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା କରିବାକୁ ଯାଇ କ୍ଲାସ ରୁମ ମଧ୍ୟକୁ ପଶିବାକୁ ଚେଷ୍ଟା କରୁଥିବା ଗୋଟିଏ ଗୋଖର ସାପ ସହ ଲଢ଼େଇ କରି ପ୍ରାଣତ୍ୟାଗ କରିଥିବାର ଏହାର ଉଦାହରଣ ଦେଇଥିଲେ।

ଆଇଭିଏସଏଏଚର ଡିନ୍ ତଥା ଓଡ଼ିଶା ଲାଇଭଷ୍ଟକ ଡେଭେଲପମେଣ୍ଟ ସୋସାଇଟି (ଓଏଲଡ଼ିଏସ)ର ସଭାପତି ପ୍ରଫେସର ସୁଶାନ୍ତ କୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଆଭିଏସଏଏଚରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ଥିବା ଏକ ହସ୍ପିଟାଲ ଦିନ ରାତି କାର୍ଯ୍ୟ କରୁଛେ ବୋଲି ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରାଣୀ ଚିକିତ୍ସକମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବିଶିଷ୍ଟ କ୍ରୀଡାବିତ୍ ଡକ୍ଟର ବିବେକାନନ୍ଦ ତ୍ରିପାଠୀ ଓ ଓଡ଼ିଶାର ପ୍ରଥମ ମହିଳା ପ୍ରାଣୀ ଚିକିତ୍ସକ ପ୍ରଫେସର ପ୍ରଗତୀ ପଣ୍ଡା ମଧ୍ୟ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ଭେଟେରେନାରୀ କ୍ଲିନିକର ମେଡିକାଲ ସୁପରିଟେଣ୍ଡେଂଟ ଓ ଓଏଲଡ଼ିଏସର ଅଧ୍ୟକ୍ଷ ଡକ୍ଟର ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।