ଇସଲାମାବାଦ,୦୧|୦୭ପାକିସ୍ତାନର ଅବସ୍ଥା ଭଲ ନାହିଁ । ପାଣି ପାଇଁ କାକୁତିମିନତି ହେଉଛନ୍ତି ଶେହଓ୍ୱାଜ ସରକାର । ଭାରତ ସିନ୍ଧୁ ନଦୀ ଚୁକ୍ତି ବାତିଲ କରିବା ପରେ ପାକିସ୍ତାନ ଔଷଧ ରାଗରେ ତାଟିଆ କାମୁଡୁଛି । ଏସବୁ ଭିତରେ ପାକିସ୍ତାନ ଧମକ ଦେବା ଆରମ୍ଭ କରିଛି । ଯଦି ସିନ୍ଧୁ ଜଳ ଚୁକ୍ତିକୁ ଭାରତ ପୁନଃକାର୍ଯ୍ୟକ୍ଷମ ନକରେ ତେବେ ପାକ୍ ଅନ୍ୟ ସମସ୍ତ ଅନ୍ତର୍ଜାତୀୟ ଚୁକ୍ତିକୁ ଭାଙ୍ଗିଦେବ ବୋଲି କହିଛି ।

ଇସଲାମାବାଦରେ ଆୟୋଜିତ ଦି ଇଣ୍ଡସ୍ ଓ୍ୱାଟର୍ ଟ୍ରିଟି-ଏ କି ଇନଷ୍ଟୁମେଣ୍ଟ ଫର୍ ପିସ୍ ସେମିନାରରେ ପାକ୍ ଉପ ପ୍ରଧାନମନ୍ତ୍ରୀ ଇସାକ୍ ଦାର୍ କହିଛନ୍ତି ଯେ, ଭାରତ ସିନ୍ଧୁ ନଦୀ ଜଳକୁ ନେଇ ଯେଉଁ ନିଷ୍ପତ୍ତି ନେଇଛି ତାହା ବେଆଇନ୍ । ପାଣିକୁ କେବେହେଲେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିହେବ ନାହିଁ । ଏହି ଚୁକ୍ତିକୁ କେହି ବାତିଲ କରିପାରିବେ ନାହିଁ ।

ସେ ଆହୁରି କହିଛନ୍ତି ଯେ, ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରିହେବ ନାହିଁ । ଏହା ଦେଶମାନଙ୍କ ମଧ୍ୟରେ ଏକ ବ୍ରିଜ୍ ଭାବେ କାମ କରେ । ତେଣୁ ଅନ୍ତର୍ଜାତୀୟ ନିୟମକୁ ସମସ୍ତେ ମାନିବା ଉଚିତ । ଭବିଷ୍ୟତ ପୀଢି ପାଇଁ ଜଳର ଆବଶ୍ୟକତା ରହିଛି । ଯଦି ପାକିସ୍ତାନକୁ ମିଳୁଥିବା ପାଣିରେ ହ୍ରାସ କରାଯାଏ ତାହାଲେ ଏହାକୁ ଆକ୍ଟ୍ ଅଫ୍ ଓ୍ୱାର ଭାବେ ବିବେଚନା କରାଯିବ ।

ପାକିସ୍ତାନ ପିପୁଲ୍ସ ପାର୍ଟର ମୁଖ୍ୟ ବିଲଓ୍ୱାଲ ଭୁଟୋ କହିଛନ୍ତି ଯେ, ସିନ୍ଧୁ ନଦୀର ପାଣିକୁ ନେଇ କୌଣସି ସାଲିସ କରିହେବ ନାହିଁ । ପାକିସ୍ତାନ କେବେହେଲେ ଆତ୍ମ ସମର୍ପଣ କରିବ ନାହିଁ । ପାକିସ୍ତାନର ଅନେକ ସ୍ଥାନରେ ନଦୀ ହିଁ ଲୋକଙ୍କ ବଞ୍ଚିବାର ବଡ ଉତ୍ସ ଅଟେ । ସେମାନେ ଶାନ୍ତି ଚାହାଁନ୍ତି । କଥାବାର୍ତ୍ତା ମାଧ୍ୟମରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ପାକିସ୍ତାନ ଏହାର ପାଣି ଏବଂ ଲୋକଙ୍କ ପାଇଁ ଲଢିବ ବୋଲି ସେ କହିଛନ୍ତି ।

ସେହିପରି ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁସାଦିକ୍ ମଲିକ କହିଛନ୍ତି “ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ହାତରେ ଏକ ନଳକୂପ ଧରିଛନ୍ତି। ଏବଂ ସେ କହୁଛନ୍ତି ଯେ ସେ ପାକିସ୍ତାନକୁ ପାଣିର ଗୋଟିଏ ବି ବୁନ୍ଦା ବହିଯିବାକୁ ଦିଆଯିବ ନାହିଁ। ଯେଉଁମାନେ ଆମ ଭାଗର ପାଣି ଉପରେ ଭାଗ ବସାଇବେ ସେମାନଙ୍କର ହାତ କାଟି ଦିଆଯିବ।”

ସେପଟେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାର କହିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିନାମା ଏବେ ବି ଆଇନଗତ ଭାବରେ ବଳବତ୍ତର ରହିଛି। ତେଣୁ ଭାରତ ଏକପାଖିଆ ଭାବରେ ଏହାକୁ ସ୍ଥଗିତ, ବାତିଲ କିମ୍ବା ସଂଶୋଧନ କରିପାରିବ ନାହିଁ।

ପହଲଗାମ ଆକ୍ରମଣ ପରେ ବନ୍ଦ ଅଛି ଜଳ ଚୁକ୍ତି

ଏପ୍ରିଲ ୨୦୨୫ରେ ଜାମ୍ମୁ-କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରିଦେଇଥିଲା। ଭାରତର କହିବା କଥା ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବ, ସେପର୍ଯ୍ୟନ୍ତ ଏହି ଚୁକ୍ତି ପୁନଃ କାର୍ଯ୍ୟକ୍ଷମ କରାଯିବ ନାହିଁ।

ଭାରତ-ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତି କ‘ଣ?

ସିନ୍ଧୁ ନଦୀ ପ୍ରଣାଳୀରେ ମୋଟ ୬ଟି ନଦୀ ରହିଛି। ସେଗୁଡ଼ିକ ହେଲା ସିନ୍ଧୁ, ଝେଲମ, ଚିନାବ, ରାଭି, ବ୍ୟାସ ଏବଂ ସତଲୁଜ। ଏହି ନଦୀଗୁଡିକର ତଟବର୍ତ୍ତୀ ଅଞ୍ଚଳ ପ୍ରାୟ ୧୧.୨ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ। ଏଥିମଧ୍ୟରୁ ୪୭% ଜମି ପାକିସ୍ତାନରେ, ୩୯% ଜମି ଭାରତରେ, ୮% ଜମି ଚୀନରେ ଏବଂ ୬% ଜମି ଆଫଗାନିସ୍ତାନରେ ରହିଛି। ଏହି ସମସ୍ତ ଦେଶର ପ୍ରାୟ ୩୦ କୋଟି ଲୋକ ଏହି ଅଞ୍ଚଳରେ ବସବାସ କରନ୍ତି।

୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ ବିଭାଜନ ପୂର୍ବରୁ ହିଁ ଭାରତର ପଞ୍ଜାବ ଏବଂ ପାକିସ୍ତାନର ସିନ୍ଧୁ ପ୍ରାନ୍ତ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନର ଇଞ୍ଜିନିୟରମାନଙ୍କ ମଧ୍ୟରେ 'ଷ୍ଟାଣ୍ଡଷ୍ଟିଲ ଚୁକ୍ତି' ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଦୁଇଟି ମୁଖ୍ୟ କେନାଲରୁ ପାକିସ୍ତାନକୁ ପାଣି ମିଳୁଥିଲା। ଏହି ଚୁକ୍ତି ୩୧ ମାର୍ଚ୍ଚ ୧୯୪୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା।

୧ ଏପ୍ରିଲ ୧୯୪୮ରେ ଯେତେବେଳେ ଚୁକ୍ତିଟି ଆଉ କାର୍ଯ୍ୟକାରୀ ହେଲା ନାହିଁ, ସେତେବେଳେ ଭାରତ ଉକ୍ତ ଦୁଇଟି କେନାଲର ପାଣି ବନ୍ଦ କରିଦେଇଥିଲା। ଏହା ଫଳରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ୧୭ ଲକ୍ଷ ଏକର ଜମିରେ ଚାଷ କାର୍ଯ୍ୟ ନଷ୍ଟ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ପୁନଃ ଚୁକ୍ତିରେ ଭାରତ ପାଣି ଯୋଗାଇବାକୁ ସହମତ ହୋଇଥିଲା।

ଏହାପରେ ୧୯୫୧ ରୁ ୧୯୬୦ ମସିହା ପର୍ଯ୍ୟନ୍ତ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନକୁ ନେଇ ଆଲୋଚନା ଚାଲିଥିଲା ଏବଂ ଶେଷରେ ୧୯ ସେପ୍ଟେମ୍ବର ୧୯୬୦ରେ କରାଚୀଠାରେ ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ଚୁକ୍ତିନାମାରେ ସ୍ୱାକ୍ଷର ହୋଇଥିଲା। ଏହାକୁ 'ଇଣ୍ଡସ୍ ୱାଟର ଟ୍ରିଟି' ବା 'ସିନ୍ଧୁ ଜଳ ଚୁକ୍ତି' ବୋଲି କୁହାଯାଏ।

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତରେ ପାକିସ୍ତାନ ଉପରେ ପ୍ରଭାବ

ପାକିସ୍ତାନର ୯୦% ଜମି ଅର୍ଥାତ୍ ୪.୭ କୋଟି ଏକର ଜମିରେ ଜଳସେଚନ ପାଇଁ ଏହି ସିନ୍ଧୁ ନଦୀ ପ୍ରଣାଳୀରୁ ପାଣି ବ୍ୟବହାର କରାଯାଇଥାଏ। ପାକିସ୍ତାନର ଜାତୀୟ ଆୟରେ କୃଷି କ୍ଷେତ୍ରର ଅବଦାନ ୨୩% ରହିଛି ଏବଂ ଏହା ଦ୍ୱାରା ୬୮% ଗ୍ରାମୀଣ ପାକିସ୍ତାନୀଙ୍କ ଜୀବିକା ନିର୍ବାହ ହୋଇଥାଏ।

ଏଭଳି ପରିସ୍ଥିତିରେ, ପାକିସ୍ତାନରେ ସାଧାରଣ ଲୋକଙ୍କ ସହିତ ସେଠାକାର ଦୁର୍ବଳ ଅର୍ଥବ୍ୟବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ପାକିସ୍ତାନର ମଙ୍ଗଲ ଏବଂ ତାରବେଲା ଜଳବିଦ୍ୟୁତ୍ ବନ୍ଧକୁ ଆବଶ୍ୟକ ପାଣି ମିଳିପାରୁ ନାହିଁ। ଏହାଦ୍ୱାରା ପାକିସ୍ତାନର ବିଦ୍ୟୁତ୍ ଉତ୍ପାଦନରେ ୩୦% ରୁ ୫୦% ପର୍ଯ୍ୟନ୍ତ ହ୍ରାସ ଘଟିପାରେ। ଏହା ସହିତ ଶିଳ୍ପ ଉତ୍ପାଦନ ଏବଂ ନିଯୁକ୍ତି ଉପରେ ମଧ୍ୟ ପ୍ରଭାବ ପଡ଼ିବ।