ଭୁବନେଶ୍ବର ୨୧।୯: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା । ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ଉଦୟପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲା ମତ୍ସ୍ୟବିଭାଗ । ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା । ମତ୍ସ୍ୟଜୀବୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟବିଭାଗ ପକ୍ଷରୁ ସଚେତନ କରାଯାଉଛି । ମାଛଧରା ଜାଲ ଓ ଡ଼ଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ନିର୍ଦ୍ଦେଶ ନମାନି ମତ୍ସ୍ୟଜୀବୀ ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଅନ୍ୟପଟେ ଗଭୀର ଅବପାତ ଯୋଗୁଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ମଙ୍ଗଳବାରଠୁ ପ୍ରବଳ ବର୍ଷିବ । ସୋମବାର ଓ ମଙ୍ଗଳବାର ପାଇଁ କିଛି ସ୍ଥାନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୨୩ ଓ ୨୪ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

Also Read:- ବଙ୍ଗୋପସାଗରରେ ଲଘୁଚାପ, ୨୪ ଘଣ୍ଟାରେ ଗଭୀର ଅବପାତ ; ଓଡ଼ିଶାରେ ୫ ଦିନ ପ୍ରବଳ ବର୍ଷିବ !

ପାଣିପାଗ ବିଜ୍ଞାନୀ ବିଶ୍ବଜିତ ସାହୁ କହିଛନ୍ତି, ଏହାର ପ୍ରଭାବରେ ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଗଞ୍ଜାମ, ଗଜପତି ଓ ରାୟଗଡାରେ ପବନ ସହ ପ୍ରବଳ ବର୍ଷା ହେବ । ଅକସ୍ମାତ ବନ୍ୟା କିମ୍ବା ଭୂସ୍ଖଳନ ସମ୍ଭାବନା ରହିଛି ।

Watch Video: