ବେଙ୍ଗାଲୁରୁ: ଭାରତର ହାଲୁକା ଯୁଦ୍ଧ ବିମାନ (LCA) ଏମକେ-୨ ପ୍ରୋଗ୍ରାମ ସହିତ ଜଡ଼ିତ ଜଣେ ୪୭ ବର୍ଷୀୟ ବରିଷ୍ଠ ବୈଜ୍ଞାନିକ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଛନ୍ତି । ଏନଡିଟିଭି ରିପୋର୍ଟ ଅନୁସାରେ, ଦୀର୍ଘ ଦିନର ୱାର୍କ ଷ୍ଟ୍ରେସ୍ ଏବଂ ମାନସିକ ଚାପ ମୃତ୍ୟୁର କାରଣ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏରୋନଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ADA)ର ପ୍ରୋଗ୍ରାମିଂ ବିଭାଗର ବୈଜ୍ଞାନିକ ଶରଦ କଟିୟାର ଅକ୍ଟୋବର ୨୧ରେ ଆତ୍ମହତ୍ୟା କରିଥିଲେ । ବେଙ୍ଗାଲୁରୁର ସିଗେହାଲ୍ଲିରେ ଏକ ଆବାସିକ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । 

ପରିବାର ଲୋକଙ୍କ କହିବା କଥା, ଶରଦ ଗତ ଏକ ମାସରୁ ଅଧିକ ସମୟ ଧରି କର୍ମକ୍ଷେତ୍ରରେ ଅତ୍ୟଧିକ ଚାପର ସମ୍ମୁଖୀନ ହେଉଥିଲେ । ସେ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇଥିଲେ । ଏପରି କି ସେ ଏକ ଘରୋଇ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଉଥିଲେ । ସେଠାରେ ତାଙ୍କର ଡିପ୍ରେସିଭ୍ ଏପିସୋଡ୍ ସ୍ଥିତି ନେଇ ଜଣାପଡ଼ିଥିଲା । ଚିକିତ୍ସା ସହାୟତା ନେବା ସତ୍ତ୍ୱେ କାର୍ଯ୍ୟକ୍ଷେତ୍ରର ଚାପ ରହିଥିବା ପରିବାର ଅଭିଯୋଗ କରିଛି ।

ଏନଡିଟିଭି ରିପୋର୍ଟ ଅନୁସାରେ, ଅକ୍ଟୋବର ୨୧ରେ ଶରଦ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍ଥ ଆଣ୍ଡ ନ୍ୟୁରୋସାଇନ୍ସେସକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ଯାଇଥିଲେ । ପୋଲିସର ସୂଚନା ଅନୁସାରେ, ଅକ୍ଟୋବର ୨୧ ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଛି । ଶରଦ ନିଜ ଆପାର୍ଟମେଣ୍ଟ ବିଲ୍ଡିଂର ଚତୁର୍ଥ ଏବଂ ପଞ୍ଚମ ମହଲାର ମଧ୍ୟରେ ସିଢ଼ି ପାଖରେ ଥିବା ଏକ ଝରକାରୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାରର ଅଭିଯୋଗ ଆଧାରରେ ପୋଲିସ ବିଏନ୍‌ଏସ୍‌ଏସ୍‌ର ଧାରା ୧୯୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସ ଶରଦଙ୍କ ପତ୍ନୀ ଏବଂ ତାଙ୍କ ବାପାମାଆ ବୟାନ ମଧ୍ୟ ରେକର୍ଡ କରିଛି । କାର୍ଯ୍ୟକ୍ଷେତ୍ରର ଚାପ ନେଇ ପରିବାର କରିଥିବା ଅଭିଯୋଗ ସମେତ ମୃତ୍ୟୁର ପରିସ୍ଥିତି ନେଇ ତଦନ୍ତ ଚାଲିଛି ।

ସେପଟେ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ ଅଭିଯୋଗ ଉପରେ ଏଡିଏ ପ୍ରତିକ୍ରିୟା ରଖିଛି । ଏଡିଏ ପ୍ରଶାସନ ଏବଂ ମାନବ ସମ୍ୱଳ ନିର୍ଦ୍ଦେଶକ କୃଷ୍ଣ ରାଜେନ୍ଦ୍ର କହିଛନ୍ତି ଯେ ଶରଦଙ୍କ ଏପରି ସମସ୍ୟା ନେଇ ସଂସ୍ଥା ପାଖରେ କୌଣସି ସୂଚନା ନଥିଲା । ଆହୁରି କହିଛନ୍ତି, ସେ ଶରଦଙ୍କ କିଛି ସହକର୍ମୀଙ୍କ ସହ କଥା ହୋଇଥିଲେ । ସେମାନେ ମଧ୍ୟ ସମସ୍ୟା ବିଷୟରେ କିଛି ଜାଣି ନଥିବା କହିଛନ୍ତି । ତାଙ୍କ ମତରେ କେବଳ କାମର ଚାପ ଶରଦଙ୍କ ମୃତ୍ୟୁର ପ୍ରକୃତ କାରଣ ବୋଲି ଧରାଯାଇ ପାରିବ ନାହିଁ । ହୋଇପାରେ ଏଥିରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନ୍ୟ କାରଣ ଥାଇପାରେ ।