ମୁମ୍ବାଇ : ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ। ନିଜର ଅଭିନୟ ଦକ୍ଷତା ବଳରେ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ବିଶେଷକରି ବାୟୋପିକ୍ ଫିଲ୍ମ ‘ମହାନତୀ’ରେ କିମ୍ବଦନ୍ତୀ ଅଭିନେତ୍ରୀ ସାବିତ୍ରୀଙ୍କ ଚରିତ୍ରରେ ତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା। ଏହି ଫିଲ୍ମ ତାଙ୍କ କ୍ୟାରିୟରକୁ ଏକ ନୂଆ ପରିଚୟ ଦେଇଥିଲା। ତାଙ୍କ ଲୋକପ୍ରିୟତା ବଢ଼ିଥିଲା। କିନ୍ତୁ ବଡ଼ ଦୁଃଖର କଥା ଏତେ ବଡ଼ ସଫଳତା ପରେ ମଧ୍ୟ ତାଙ୍କୁ ଅନ୍ୟ ଫିଲ୍ମରେ କାମ କରିବାର ସୁଯୋଗ ମିଳିନଥିଲା। ଏପରିକି ପ୍ରାୟ ୬ ମାସ ଯାଏଁ ତାଙ୍କୁ ଘରେ ବସିବାକୁ ପଡ଼ିଥିଲା।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କୀର୍ତ୍ତି ସୁରେଶ କହିଛନ୍ତି ଯେ, ‘ମହାନତୀ’ରେ ତାଙ୍କ ଅଭିନୟ ଦେଖିବା ପରେ ଚଳଚ୍ଚିତ୍ର ନିର୍ମାତାଙ୍କ ନଜରରେ ତାଙ୍କ ପ୍ରତିଛବି ବଦଳି ଯାଇଥିଲା। ପୂର୍ବରୁ ଯେଉଁଭଳି ଚରିତ୍ରରେ ତାଙ୍କୁ ଦେଖାଯାଉଥିଲା, ଏହି ଫିଲ୍ମ ପରେ ନିର୍ମାତାମାନେ ତାଙ୍କୁ ସେହି ଦୃଷ୍ଟିରେ ଦେଖି ପାରୁନଥିଲେ। ତାଙ୍କ ମତରେ, ‘ମହାନତୀ’ ପରେ ନିର୍ମାତାମାନେ ତାଙ୍କ ପାଇଁ ଅଧିକ ଶକ୍ତିଶାଳୀ ଓ ଚ୍ୟାଲେଞ୍ଜିଂ ଚରିତ୍ର ଖୋଜୁଥିଲେ। ଏହି ଦ୍ୱନ୍ଦ୍ୱ ଭିତରେ ତାଙ୍କୁ କାମ ମିଳି ନଥିଲା। କୀର୍ତ୍ତି ସୁରେଶ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଲଗାତାର ଅନେକ ବର୍ଷ ଧରି ଗୋଟିଏ ପରେ ଗୋଟିଏ ଫିଲ୍ମ କରିବା ପରେ ତାଙ୍କୁ ଟିକିଏ ବିରତିର ଆବଶ୍ୟକତା ଥିଲା। ଏହି ୬ ମାସର ବିରତି ତାଙ୍କୁ ନିଜ ଜୀବନ ଓ କ୍ୟାରିୟରକୁ ନୂଆ ଦୃଷ୍ଟିକୋଣରୁ ଦେଖିବାର ସୁଯୋଗ ଦେଇଥିଲା। ସେ କହିଛନ୍ତି ଯେ, ଆରମ୍ଭରେ ଏହି ବିରତି ତାଙ୍କୁ ଭଲ ଲାଗୁଥିଲା। କିନ୍ତୁ ପରେ ଯେତେବେଳେ ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ୁଥିବା ଅନୁଭବ ହେଲା, ସେତେବେଳେ ପରିସ୍ଥିତିର ଜଟିଳତାକୁ ସେ ବୁଝି ପାରିଥିଲେ। ତାଙ୍କ କହିବା ଅନୁସାରେ, ଏହି ସମୟ ମଧ୍ୟରେ ସେ କିଛି ଭଲ କାମ ମଧ୍ୟ ଆରମ୍ଭ କରିଥିଲେ । ନିଜ ପାଇଁ ସମୟ ବାହାର କରି ପାରିଥିଲେ। ତେଣୁ ଏହି ବିରତି ତାଙ୍କ ପାଇଁ କେବଳ କାମ ନମିଳିବାର ସମୟ ନଥିଲା, ବରଂ ନିଜକୁ ବୁଝିବାର ଏକ ସୁଯୋଗ ମଧ୍ୟ ଥିଲା।

‘ମହାନତୀ’ ପୂର୍ବରୁ କେମିତି ଥିଲା କୀର୍ତ୍ତିଙ୍କ କ୍ୟାରିୟର?

‘ମହାନତୀ’ ଫିଲ୍ମ ପୂର୍ବରୁ କୀର୍ତ୍ତି ସୁରେଶ ମୁଖ୍ୟତଃ କମର୍ସିଆଲ୍ ଫିଲ୍ମରେ ଅଭିନୟ କରୁଥିଲେ। ଏହି ଫିଲ୍ମଗୁଡ଼ିକରେ ସେ ପ୍ରାୟତଃ ଜଣେ ସାଧାରଣ ଝିଅର ଚରିତ୍ରରେ ନଜର ଆସୁଥିଲେ। କିନ୍ତୁ ‘ମହାନତୀ’ ତାଙ୍କ ପାଇଁ ଏକ ବଡ଼ ମୋଡ଼ ଥିଲା। ଏହି ଫିଲ୍ମରେ ସାବିତ୍ରୀଙ୍କ ଜୀବନକୁ ପରଦାରେ ଜୀବନ୍ତ କରିବା ପାଇଁ ତାଙ୍କୁ ଅଭିନୟର ଏକ ନୂଆ ଦିଗ ଦେଖାଇବାକୁ ପଡ଼ିଥିଲା। ଏହି ଭୂମିକା ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ନୂଆ ପରିଚୟ ଦେଇଥିଲା।

Also Read- Aneet padda: ସୁଟିଂ ସେଟ୍‌ର ଦିଆଯାଉଥିବା ଖାଦ୍ୟକୁ ନେଇ ଅସନ୍ତୋଷ ହେଲେ ଅନୀତ, କହିଲେ-ଏତେ ଖରାପ ଯେ ପାଟିରେ ବି...

କ୍ୟାରିୟରରେ ଏଭଳି ଉତ୍ଥାନ-ପତନ ଦେଖିଥିବା କୀର୍ତ୍ତି ସୁରେଶ ଏବେ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଅଭିନେତ୍ରୀ ରାଧିକା ଆପ୍ଟେଙ୍କ ସହ ‘ଅକ୍କା’ରେ ନଜର ଆସିବେ। ଏହି ପ୍ରୋଜେକ୍ଟଟି ଅକ୍ଟୋବର ୩୦ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ। ‘ମହାନତୀ’ ପରେ ନିଜ ପାଇଁ ନୂଆ ପରିଚୟ ତିଆରି କରିଥିବା କୀର୍ତ୍ତିଙ୍କ ଏହି ନୂଆ ପ୍ରୋଜେକ୍ଟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ରହିଛି। ତେବେ ତାଙ୍କ ଅନୁଭୂତିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ବଡ଼ ସଫଳତା ପରେ ମଧ୍ୟ କଳାକାରଙ୍କ କ୍ୟାରିୟରରେ ଅନିଶ୍ଚିତତା ରହିଥାଏ। କିନ୍ତୁ ସେହି ସମୟକୁ ଧୈର୍ଯ୍ୟର ସହ ସାମ୍ନା କରିବା ହିଁ ଆଗକୁ ବଢ଼ିବାର ରାସ୍ତା ଖୋଲିଥାଏ।