ଲିଡ୍ସ: ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ୍ ଦେବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି ଭାରତ। ବିଶ୍ୱକପ୍ର ୧୦ମ ମ୍ୟାଚରେ ବିଜୟ ସହ ଭାରତୀୟ ଦଳ ଗ୍ରୁପ୍-ଏ ର ଶୀର୍ଷ ସ୍ଥାନକୁ ମଜବୁତ କରିଛି।

ଲିଡ୍ସଠାରେ ଖେଳାଯାଇଥିବା ଏହି ମ୍ୟାଚରେ ନେଦରଲ୍ୟାଣ୍ଡସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ଓପନର ଏହି ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲେ। ଦଳ ପାଇଁ ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନା ପ୍ରଥମ ୱିକେଟ୍ ପାଇଁ ମାତ୍ର ୭୦ଟି ବଲରୁ ୧୧୫ ରନ୍ର ଏକ ବିସ୍ଫୋରକ ଭାଗିଦାରୀ କରିଥିଲେ। ଶେଫାଳୀ ୩୮ଟି ବଲ୍ରୁ ୧୦ଟି ଚୌକା ସହାୟତାରେ ୫୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ମନ୍ଧାନା ଓ ଜେମିମା ରୋଡ୍ରିଗ୍ସ ସ୍ଥିତି ସମ୍ଭାଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ିଥିଲେ। ସ୍ମୃତି ମନ୍ଧାନା ୪୭ଟି ବଲ୍ରୁ ୧୧ଟି ଚୌକା ଓ ୧ଟି ଛକା ସହ ୭୪ ରନ୍ର ଏକ ଚମତ୍କାର ଇନିଂସ ଖେଳି ଆଉଟ୍ ହୋଇଥିଲେ।

ଭାରତ ସ୍କୋର କଲା ୨୦୯ ରନ୍

ମନ୍ଧାନା ଆଉଟ୍ ହେବା ପରେ ଜେମିମା ୧୯ ରନ୍ ଓ ୟାସ୍ତିକା ଭାଟିଆ ୩ ରନ୍ କରି ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। ତେବେ ଶେଷ ଆଡ଼କୁ ଋଚା ଘୋଷଙ୍କ ଅପରାଜିତ ୨୦ ରନ୍, ଅଧିନାୟିକା ହରମନପ୍ରୀତ କୌରଙ୍କ ୧୨ ରନ୍ ଏବଂ ଦୀପ୍ତି ଶର୍ମାଙ୍କ ଅପରାଜିତ ୧୦ ରନ୍ ବଳରେ ଭାରତୀୟ ଦଳ ୫ ୱିକେଟ୍ ହରାଇ ୨୦୯ ରନର ଏକ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା। ନେଦରଲ୍ୟାଣ୍ଡସ ପକ୍ଷରୁ କାରୋଲିନ ଡି ଲାଙ୍ଗେ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

ନେଦରଲ୍ୟାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ

୨୧୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନେଦରଲ୍ୟାଣ୍ଡସ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପାଇଁ ହିଥର ସିଗର୍ସ ୨୧ ରନ୍, ଫିବି ମୋଲକେନବୋର ୧୫ ରନ୍, ବେବେଟ୍ ଡି ଲିଡେ ୨୮ ରନ୍ ଏବଂ ଷ୍ଟେରେ କାଲିସ୍ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଦଳର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ନେଦରଲ୍ୟାଣ୍ଡସର ୭ ଜଣ ବ୍ୟାଟର ୧୦ ରନ୍ ଭିତରେ ହିଁ ଆଉଟ୍ ହୋଇଯାଇଥିଲେ।

ଭାରତର ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ନେଦରଲ୍ୟାଣ୍ଡସ ଦଳ ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପାଇଁ ଶ୍ରୀ ଚରଣୀ ଚମତ୍କାର ବୋଲିଂ କରି ଏକ ଓଭରରେ ୩ଟି ୱିକେଟ୍ ସହ ମୋଟ୍ ୪ଟି ୱିକେଟ୍ ଚଟକାଇ ନେଦରଲ୍ୟାଣ୍ଡସର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ତାଙ୍କ ବ୍ୟତୀତ ଶେଫାଳୀ ବର୍ମା ବୋଲିଂରେ ବି କମାଲ କରି ୩ଟି ୱିକେଟ୍ ନେଇଥିବା ବେଳେ ନନ୍ଦିନୀ ଶର୍ମା ୨ଟି ଏବଂ ଦୀପ୍ତି ଶର୍ମା ୧ଟି ୱିକେଟ୍ ଅଖତିଆର କରିଥିଲେ।