ନୂଆଦିଲ୍ଲୀ: ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍। ବିଲ୍ ପାସ ପାଇଁ ଭୋଟିଂ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ୍ ପାଇଁ ମୋଟ ୫୨୮ ଭୋଟ ପଡ଼ିଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଥିଲା, ଯାହାକୁ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ବିଲ୍ ପାସ୍ କରିବା ପାଇଁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା।

ସୀମା ନିର୍ଦ୍ଧାରଣ ପାଇଁ ଜନଗଣନା ଆବଶ୍ୟକ ଥିଲେ ବି ଏହି ବିଲ୍‌ ଏହାକୁ ବାଏପାସ୍ କରିବା ଲକ୍ଷ୍ୟରେ ଥିଲା। ହେଲେ ବିରୋଧୀଙ୍କ ବିରୋଧ ଯୋଗୁ ବିଲ୍ ପାସ୍ ହୋଇପାରିଲା ନାହିଁ। ପାସ୍ ହେବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବାରେ ବିଫଳ ହେବା ପରେ, କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନ୍ୟ ଦୁଇଟି ଆଇନ - ସୀମା ନିର୍ଦ୍ଧାରଣ ବିଲ୍, ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍, ୨୦୨୬ କୁ ମଧ୍ୟ ଆଗକୁ ନ ବଢ଼ାଇବାକୁ ଅନୁରୋଧ କରିଥିଲେ।

Also Read- ସୀମା ପୁନଃନିର୍ଦ୍ଧାରଣକୁ ନେଇ ପ୍ରଶ୍ନ ଉଠାଇଲେ ଶଶି ଥରୁର, କହିଲେ-ହେବନିତ ରାଜନୈତିକ ନୋଟବନ୍ଦୀ?

"ନାରୀ ଶକ୍ତି ବନ୍ଦନ ଅଧିନିୟମ" ବା ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ବିଚାର କରିବା ପାଇଁ ୧୬ ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ତିନି ଦିନିଆ ଅଧିବେଶନ ଡକାଯାଇଥିଲା। ଏହି ଆଇନ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା କଥା କୁହାଯାଇଥିଲା। ପ୍ରସ୍ତାବିତ ସଂଶୋଧନଗୁଡ଼ିକର ଲକ୍ଷ୍ୟ ଥିଲା ୨୦୨୯ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସଂରକ୍ଷଣ ଢାଞ୍ଚାକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭାର ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ ରୁ ୮୫୦ଆସନକୁ ବୃଦ୍ଧି କରିବାକୁ ମଧ୍ୟ ସରକାର ଚାହୁଁଥିଲେ। ​​​​​​​

ଏହି ନୂଆ ବିଲରେ ସରକାର ଚାହୁଁଥିଲେ ୨୦୧୧ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ କରିଥାନ୍ତେ। ହେଲେ ବିରୋଧୀ ଦଳଗୁଡ଼ିକ ଏହାକୁ ବିରୋଧ କରିଥିଲେ। ଅନେକ ବିରୋଧୀ ଦଳ ସଂସଦରେ ସଂଶୋଧନକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ବିଲ ଉପରେ ପ୍ରତିକ୍ରିୟା ଦେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ ଏହି ବିଲ ଜରିଆରେ ସରକାର ଦେଶର ନିର୍ବାଚନ ଢାଞ୍ଚାକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛନ୍ତି।

ସଂସଦ ବାହାରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଥିଲେ “ଆମେ ଲୋକସଭାରେ ବିଲକୁ ପରାସ୍ତ କରିଛୁ। ଆମେ ସବୁବେଳେ କହିଛୁ ଯେ ଏହି ବିଲ୍ ମହିଳାଙ୍କ ଉନ୍ନତି ପାଇଁ ନୁହେଁ, ବରଂ ଦେଶର ନିର୍ବାଚନ ଢାଞ୍ଚାକୁ ପରିବର୍ତ୍ତନ କରିବାର ପ୍ରୟାସ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହିଳା ସଂରକ୍ଷଣ ବିଲ୍ ୨୦୨୩ ଲାଗୁ କରିବାକୁ ଅନୁରୋଧ କରୁଛି ଏବଂ ସମଗ୍ର ବିରୋଧୀ ଦଳ ଆପଣଙ୍କୁ ଏଥିରେ ସାହାଯ୍ୟ କରିବେ।”

Also Read- ​​​​​​​Rahul Gandhi: ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ, ଆଣିଲେ ସଂଘାତିକ ଅଭିଯୋଗ

​​​​​​​