ଭୁବନେଶ୍ବର ୩।୧୦: ନୟାପଲ୍ଲୀ ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ । ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂରା ଘଟଣା ଥିଲା ଏମିତି

ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ହେବ। ବଡ ଭଉଣୀ ଯାଇଥିଲେ କୌଣସି କାମରେ ବାହାରକୁ। ସାନ ଭଉଣୀ ବେଡ ରୁମରେ ବସି ଲ୍ୟାପଟପରେ କିଛି କରୁଥିଲେ। ହଠାତ୍ ମାସ୍କପିନ୍ଧା ଜଣେ ଯୁବକ ମେନ୍ ଗେଟ୍ ଖୋଲି, ବେଡ ରୁମକୁ ଯିବା ପୂର୍ବରୁ ଅନ୍ୟ ୨ଟି କବାଟ ଖୋଲି ପହଞ୍ଚିଥିଲେ ଯୁବତୀ ଥିବା ରୁମରେ। ଆଉ ସାଙ୍ଗରେ ଥିଲା ବନ୍ଧୁକ। ତାପରେ ଯୁବତୀଙ୍କ ସହ ଯାହା ହେଲା ତାହା କହି ହେବନାହିଁ। ୧୫ ମିନିଟ୍ ଧରି ତାଙ୍କୁ ଅସଦାଚରଣ କରାଯାଇଥିଲା। ପାଖାପାଖି ୨୦ ମିନିଟ୍ ପରେ ଉକ୍ତ ଯୁବକଟି ସେଠାରୁ ଚାଲିଯାଇଥିଲେ। ବଡ ଭଉଣୀ ଘରେ ପହଞ୍ଚିବାପରେ ସାନ ଭଉଣୀର ଏ ଅବସ୍ଥା ଦେଖି ସେ ତୁରନ୍ତ ନୟାପଲ୍ଲୀ ଥାନାରେ କରିଥିଲେ ଅଭିଯୋଗ। ତେବେ ଉକ୍ତ ଯୁବକ ଜଣକ ତାଙ୍କର କୌଣସି ପରିଚିତ ନଥିଲେ କି ତାଙ୍କର ବୟଫ୍ରେଣ୍ଡ ନଥିଲେ। ସେ ଥିଲେ ଜଣେ ଅଚିହ୍ନା ଯୁବକ।

ବୁଧବାର ରାତି ପ୍ରାୟ ୮ଟାରେ ଖବର ମିଳିବା ପରେ ପୋଲିସ ଆରମ୍ଭ କରିଦେଇଥିଲା ତଦନ୍ତ। ରାତିସାରା ଡିସିପିଙ୍କ ଠାରୁ ଆରମ୍ଭ କରି ଏସିପି, ଆଇଆଇସି ଏବଂ ଅନ୍ୟ ଅଫିସର ମାନେ ଲାଗିପଡିଥିଲେ ଅଭିଯୁକ୍ତକୁ ଖୋଜିବାରେ । ମାତ୍ର ଅଭିଯୁକ୍ତର କୌଣସି ପତ୍ତା ପାଇନଥିଲେ । ଗୁରୁବାର ସକାଳେ ଯୁବତୀଙ୍କ ସହ ହୋଇଥିବା ଅସଦାଚରଣ ଘରେ ପହଞ୍ଚିଥିଲା ସାଇଣ୍ଟିଫିକ୍ ଟିମ୍ ସହ ପୋଲିସର ଏକ ଟିମ୍ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସେଠାରୁ ନମୁନା ସଂଗ୍ରହ କରିଥିବାବେଳେ ପୋଲିସର ଜଣେ ମହିଳା ଅଫିସର ଯାଇ ଯୁବତୀଙ୍କୁ ପଚରାଉଚରା କରିଛନ୍ତି । ତେବେ ଯାହା ସୂଚନା ମିଳିଛୁ ଅଭିଯୁକ୍ତ ଜଣକ ଉକ୍ତ ଘର ଉପରେ ବୋଧ ହୁଏ ନଜର ରଖିଥାଏ । ଭଉଣୀ କେତେବେଳେ ଯାଉଛନ୍ତି, ଆସୁଛନ୍ତି । ସମସ୍ତ ଖବର ସେ ରଖିବା ସହ ଉକ୍ତ ଯୁବତୀ ଜଣକ କେତେବେଳେ ଏକୁଟିଆ ରହୁଛନ୍ତି । ସେ ସବୁ ଉପରେ ନଜର ରଖିବା ପରେ ଏଭଳି ଲୋମଟାଙ୍କୁରା କାଣ୍ଡ ଘଟାଇଛି ।

Also Read:- ଚାମେଲି ଓଝା ମାମଲାର ତଦନ୍ତ କରିବ NHRC, ୫ରେ ଆସିବ ୩ ଜଣିଆ ଟିମ୍

ଅନ୍ୟପଟେ ପୂରା ପୋଲିସ ଟିମ୍ ଲାଗିପଡିଛନ୍ତି ଅଭିଯୁକ୍ତକୁ ଧରିବା ପାଇଁ। ଅଭିଯୁକ୍ତ କିଏ ଓ ଘଟଣା କିଭଳି ଘଟିଲା, ତାହା ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି ପୋଲିସ । ବେହେରା ସାହିର ବିଭିନ୍ନ ସ୍ଥାନର CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ଅଭିଯୁକ୍ତଙ୍କ ଗତିବିଧି ଓ ଘଟଣା ସହ ଜଡିତ ଅନ୍ୟ ତଥ୍ୟ ଖୋଜୁଛି ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣା କିଭଳି ଘଟିଲା ଏବଂ ଅଭିଯୋଗ ପଛର ପ୍ରକୃତ ତଥ୍ୟ କ’ଣ, ତାକୁ ନେଇ ଉଠିଛି ପ୍ରଶ୍ନ । ପୋଲିସ ପୁରୁଣା ଅଭିଯୁକ୍ତମାନଙ୍କ ତାଲିକା ବାହାର କରି ସେମାନଙ୍କୁ ଟ୍ରାକ କରିବାରେ ଲାଗିଛି। ସେପଟେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବୁଧବାର ରାତିରେ, ଜଣେ ୨୬ ବର୍ଷୀୟ ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ସେ ତାଙ୍କ ଭଡା ଘରେ ଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ସେଠାରେ ଆସି ତାଙ୍କୁ ଦୁର୍ଷର୍ମ କରିଥିଲେ । ପୀଡିତା ତାଙ୍କ ବଡ଼ ଭଉଣୀଙ୍କ ସହିତ ରୁହନ୍ତି ଏବଂ ମାଲିକ ପ୍ରଥମ ମହଲାରେ ରୁହନ୍ତି । ଅଭିଯୁକ୍ତ ଏକ ବନ୍ଧୁକ/ଖେଳଣା ବନ୍ଧୁକ ଦେଖାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଏଫଆଇଆର ପଞ୍ଜୀକୃତ କରି, ତୁରନ୍ତ ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ।