କେନ୍ଦ୍ରାପଡ଼ା ୩।୧୦: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ l ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହିତ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରିବ କମିଶନ l ଏଥିପାଇଁ ଏକ ୩ ଜଣିଆ ଟିମ୍ ଅକ୍ଟୋବର ୫ ରେ କେନ୍ଦ୍ରାପଡାରେ ପହଞ୍ଚିବେ l ଏନେଇ କମିଶନଙ୍କ ଦିଲ୍ଲୀ କାର୍ଯ୍ୟାଳୟରୁ କେନ୍ଦ୍ରାପଡା ଏସ୍ପି ଓ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଆଗୁଆ ସୂଚନା ଦିଆଯାଇଛି l

ତେବେ ଘଟଣାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି କମିଶନ ପଚରାଉଚରା କରିବେ l ମହାକାଳପଡ଼ା ପୋଲିସ, ବିଡିଓ, ବିଡିଓଙ୍କ କାର୍ଯ୍ୟାଳୟର କର୍ମଚାରୀ, ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତରଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି l

Also Read:- ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢ଼ିଲା ଓମଫେଡ୍ କ୍ଷୀର ଦାମ୍

ଗତ ଜୁନ୍ ୧୧ ତାରିଖରେ ତିଖିରି ସରପଞ୍ଚ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ । ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନ ଭାଇଙ୍କୁ ଥାନାକୁ ନେଇ ଆସିଥିଲେ ।

ଏହାପରେ ଚାମେଲି ଓଝା ନିଜ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣି ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଆନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ସମେତ ୭ରୁ ଅଧିକ ବିଜେପି କର୍ମୀ ତାଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ସେପଟେ ବିଡିଓଙ୍କ ଏତଲା ଆଧାରରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା ଏବଂ ଏସଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଚାମେଲି ଗିରଫ ହୋଇଥିଲେ । ତେବେ ଏସବୁ ଭିତରେ ପୋଲିସ ଗିରଫ ପରେ ଶାରିରୀକ ଅସୁସ୍ଥତା କାରଣରୁ ଚାମେଲି ଜେଲ୍ରେ ରହିବା ସମ୍ଭବପର ନହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସା କରାଯାଇଥିଲା । କେନ୍ଦ୍ରାପଡ଼ାଜେଏମଏଫସି ସିଟି ମାଜିଷ୍ଟ୍ରେଟ୍ ତାଙ୍କୁ ବେଲ୍ ପ୍ରଦାନ କରିଥିଲେ । ପୋଲିସକୁ ଆକ୍ରମଣ ଘଟଣାରେ ତାଙ୍କୁ ବେଲ୍ ମିଳିଥିବା ବେଳେ, ଦୁଇ ଜାମିନଦାର ଏବଂ ୩୦ ହଜାର ଟଙ୍କାରେ ମିଳିଥିଲା ଜାମିନ । ପୂର୍ବରୁ ମଧ୍ୟ ଏନଏଚଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ରିପୋର୍ଟ ତଲବ କରିସାରିଛନ୍ତି ।

Watch Video: