ବୌଦ୍ଧ ୧୦।୨: ଘରୋଇ ବସ୍‌ରେ ଜଣେ ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ । ଜଣେ ଯୁବକଙ୍କୁ ଛୁରାରେ ଆକ୍ରମଣ କରି ଲହୁ ଲୁହାଣ କଲା ଦୁର୍ବୃତ୍ତ । ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ସାହାଜପାଲ ଠାରେ ବସ୍ ଭିତରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲା ଜଣେ ମଦ୍ୟପ ଯୁବକ । ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ଛୁରାମାଡ ଯୁବକଙ୍କୁ ଗୁରୁତର ଭାବେ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ବେକରେ ଗଭୀର ଆଘାତ ହୋଇଥିବା ସୂଚନା । ଛୁରାମାଡ଼ କରିଥିବା ବ୍ୟକ୍ତି ବାଉଁଶୁଣି ଥାନାରେ ଅଟକ । ବସ୍‌କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଜଣେ ମଦ୍ୟପ ଯୁବକ ବସ୍‌ରେ ଥିବା ଜଣେ ଯୁବତୀଙ୍କୁ ଅସଭ୍ୟ ଭାଷା କହିବା ସହିତ ବାରମ୍ବାର ଅସଦାଚରଣ କରୁଥିଲେ । ଯୁବତୀ ଜଣକ କାନ୍ଦି କାନ୍ଦି ନିଜ ସିଟ୍‌ରୁ ଉଠି ଅନ୍ୟତ୍ର ବସିବା ବେଳେ ସେଠାରେ ମଧ୍ୟ ଯୁବକ ଜଣକ ତାଙ୍କୁ ଅସଦାଚରଣ କରୁଥିଲା ତେବେ ଏହାକୁ ଦେଖି ତତର୍କିଲା ଗ୍ରାମର ସାଗର ତାଣ୍ଡିଆ ପ୍ରତିବାଦ କରିଥିଲେ । ଯୁବକ ଜଣକ ଉତ୍ୟକ୍ତ ହୋଇ ସାଗରଙ୍କ ବେକକୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଯାହାଫଳରେ ସାଗରଙ୍କ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବାଉଁଶୁଣି ପୋଲିସ ପହଞ୍ଚି ଉକ୍ତ ମଦ୍ୟପ ଯୁବକଙ୍କ ଅଟକ ରଖିଥିବା ବେଳେ ବସ୍‌କୁ ଏବଂ ବସ୍ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ କରୁଛି ।

ତେବେ ବସ୍‌ରେ ଜଣେ ଯୁବତୀଙ୍କୁ ଜଣେ ମଦ୍ୟପ ଯୁବକ ବାରମ୍ବାର ଅସଦାଚରଣ କରୁଥିଲେ ମଧ୍ୟ ବସ୍ କର୍ମଚାରୀ ମାନେ କାହିଁକି ତାକୁ ପ୍ରତିବାଦ କରୁନଥିଲେ କେଉଁ କାରଣରୁ କୌଣସି ବସ୍ କର୍ମଚାରୀ ଏହି ଘଟଣାରେ ହସ୍ତକ୍ଷେପ କଲେ ନାହିଁ କାହିଁକି ? ଡ୍ରାଇଭର ଗାଡ଼ିକୁ ଅଟକାଇ ପୋଲିସକୁ ଯୋଗାଯୋଗ କଲେ ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଘୋରଡ଼ା ଗ୍ରାମର ୨୨ ବର୍ଷୀୟ ମାନସ ବାଘ ।