ଭଦ୍ରକ ୧୨।୬: ମହୁମାଛି ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ । ୧୨ରୁ ଅଧିକ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଏରଡ଼ା ପଞ୍ଚାୟତର ବାସୁଆପଦା ଗାଁରେ । ଗ୍ରାମର ରଜନୀକାନ୍ତ ସାହୁଙ୍କ ସ୍ତ୍ରୀ ବାସନ୍ତୀ ଲତା ସାହୁ ମହୁମାଛି ଆକ୍ରମଣରେ ଜୀବନ ହରାଇଛନ୍ତି ।

ଗୁରୁବାର ଥିଲା ବାସନ୍ତୀ ଲତାଙ୍କ ଶାଶୁଙ୍କ ଶ୍ରାଦ୍ଧ ବାର୍ଷିକୀ । ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଥିବାବେଳେ ଗାଁ ପଡିଶାଙ୍କ ପାଇଁ ରୋଷେଇ ଚାଲିଥିଲା । ରୋଷେୟାଙ୍କ ପାଇଁ ଚା’ ନେଇ ଯାଇଥିଲେ ବାସନ୍ତୀ । ଏହି ସମୟରେ ନିଜ ଘର ଆଗରେ ଥିବା ଏକ ପାଣିଟାଙ୍କିରେ ଥିବା ମହୁମାଛି ବସାରୁ ହଜାର ହଜାର ବାଘୁଆ ମହୁମାଛି ହଠାତ ଆକ୍ରମଣ କରିଥିଲେ । ପ୍ରାୟ ୧୨ରୁ ଅଧିକ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିବା ବେଳେ କିଏ କୁଆଡେ ଧାଇଁଥିଲେ । ମାତ୍ର ବାସନ୍ତୀଙ୍କୁ ବହୁ ସଂଖ୍ୟାରେ ମହୁମାଛି ଆକ୍ରମଣ କରିବା ପରେ ସେ ଗୁରୁତର ହୋଇଥିଲେ ।

Also Read:- ଚିକିତ୍ସାଧୀନ ଅବସ୍ଥାରେ MV କନଷ୍ଟେବଲଙ୍କ ମୃତ୍ୟୁ, ସିବିଆଇ ତଦନ୍ତ ଦାବି କଲେ ପରିବାର

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିଲେ । କିନ୍ତୁ ଅବସ୍ଥାରେ ସୁଧାର ନ ଆସିବା ଯୋଗୁଁ  ପରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି ବୋଲି ସମ୍ପର୍କୀୟ ମାନେ କହିଛନ୍ତି । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।