ଯାଜପୁର: ଘରୋଇ ହସ୍ପିଟାଲରେ ପ୍ରସୂତିଙ୍କ ମୃତ୍ୟୁ ପରେ ଉତ୍ତେଜନା । ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ହସ୍ପିଟାଲରେ ହୋହାଲ୍ଲା କରିଛନ୍ତି । ଯାଜପୁର ଟାଉନ ସ୍ଥିତ ତ୍ରାହି ଅଚ୍ୟୁତ ସେବା ସଦନ ନାମକ ଏକ ଘରୋଇ ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଏଭଳି ଉତ୍ତେଜନା ଦେଖାଦେଇଛି ।

ସୂଚନା ଅନୁସାରେ, ଭଣ୍ଡାରିପୋଖରୀ ଅଞ୍ଚଳର ଜୟନ୍ତ ରଣାଙ୍କ ପତ୍ନୀ ପ୍ରସବ ପାଇଁ ଗତ ରବିବାର ଯାଜପୁର ଟାଉନର ତ୍ରାହି ଅଚ୍ୟୁତ ସେବା ସଦନକୁ ଆସିଥିଲେ । ମାତ୍ର ସେଠାରେ ଇଞ୍ଜେକ୍ସନ ଦେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଏମିତିରେ ତାଙ୍କୁ କଟକର ଏକ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ସହ ଭୁଲ୍ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ମହିଳାଙ୍କ ମୃତ୍ୟୁ ଖବର ପରେ ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ହସ୍ପିଟାଲରେ ପହଞ୍ଚି ହୋହାଲ୍ଲା କରିଥିଲେ । ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।

Also Read: ଟ୍ରକରେ ନିଆଁ : ହୁତୁହୁତୁ ହୋଇ ଜଳିଲା, କାରଣ ଅସ୍ପଷ୍ଟ

ତେବେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମୃତଙ୍କ ପରିବାର ଲୋକେ। ସେପଟେ ଯାଜପୁର ଏଡିଏମଓ ମନୋଜ ସେନାପତି କହିଛନ୍ତି ଘଟଣାର ତଦନ୍ତ କରାଯିବ । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।