ନୂଆଦିଲ୍ଲୀ: ପ୍ରେମିକା ସହ ସ୍ବାମୀ ମୋମୋ ଖାଉଥିବା ବେଳେ ଧରି ପକାଇଲା ସ୍ତ୍ରୀ । ଏହାକୁ ନେଇ ବିରୋଧ କରିବାରୁ ସ୍ତ୍ରୀକୁ ମାରିବାକୁ ଉଦ୍ୟମ କଲା ସ୍ବାମୀ । ଏବେ ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଥିବା ବେଳେ ତା ବିରୋଧରେ ହତ୍ୟା ଉଦ୍ୟମ ନେଇ ଦଫା ଲଗାଇଛି ।

ଉତ୍ତରପ୍ରଦେଶର ମେରଠ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୟଙ୍କ ନାମକ ଜଣେ ବ୍ୟକ୍ତି ତାଙ୍କର ଜଣେ ମହିଳା ବନ୍ଧୁ ମାହିଙ୍କ ସହ କାର ଭିତରେ ମୋମୋ ଖାଉଥିଲେ। ଠିକ୍ ସେହି ସମୟରେ ମୟଙ୍କଙ୍କ ପତ୍ନୀ ସୁନିତା ସେଠାରେ ପହଞ୍ଚି ସେମାନଙ୍କୁ ଏକାଠି ଦେଖିବାକୁ ପାଇଥିଲେ। 

ନିଜ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଦେଖି ସୁନିତା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇପଡ଼ିଥିଲେ ଏବଂ ଗାଡ଼ିର କାଚ ବାଡ଼େଇବାକୁ ଆରମ୍ଭ କରିଥିଲେ। ପରିସ୍ଥିତିକୁ ଦେଖି ମୟଙ୍କ ଗାଡ଼ି ଭିତରୁ ଲକ୍ କରି ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ସୁନିତା ଗାଡ଼ି  ବନେଟ୍ ଉପରେ ଶୋଇପଡ଼ିଥିଲେ । କିନ୍ତୁ ମୟଙ୍କ ସେଥିପ୍ରତି ଧ୍ୟାନ ନଦେଇ ଗାଡ଼ି ଆଗକୁ ନେଇ ଯାଇଥିଲେ। ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ସୁନିତାଙ୍କୁ ଘୋଷାଡ଼ି ନେଇଥିଲେ ମୟଙ୍କ ।

ସେ ଭୟଭୀତ ହୋଇ ଲୋକମାନଙ୍କୁ ପାଟି କରି ସାହାଯ୍ୟ ମାଗିଥିଲେ। ଶେଷରେ ରାସ୍ତାରେ ସ୍ଥାନୀୟ ଲୋକମାନେ ଏକାଠି ହେବା ଦେଖି ମୟଙ୍କ ଗାଡ଼ି ରୋକିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ପୀଡ଼ିତା ସୁନିତା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ସେ ନିଜ ସ୍ୱାମୀଙ୍କ ବିରୋଧରେ ମାରପିଟ୍, ଯୌତୁକ ନିର୍ଯାତନା ଏବଂ ପରକୀୟ ପ୍ରୀତି ଭଳି ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। 

କୋତୱାଲୀ ସର୍କଲ ଅଫିସର ସଂଗ୍ରାମ ସିଂହଙ୍କ କହିଛନ୍ତି, ଅଭିଯୁକ୍ତ ମୟଙ୍କଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ପୁଲିସ ତୁରନ୍ତ ପଦକ୍ଷେପ ନେଇ ମୟଙ୍କ ଏବଂ ମାହି ଉଭୟଙ୍କୁ ଗିରଫ କରିଛି ।  ଘଟଣାରେ ବ୍ୟବହୃତ ଟୟୋଟା ଅର୍ବାନ କ୍ରୁଜର ଟାଇସର୍ କାରଟିକୁ ମଧ୍ୟ ଜବତ କରିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି।