ବଡ଼ବିଲ: କେନ୍ଦୁଝର ଜିଲ୍ଲାରେ ଘଟିଥିବା ଦୁଇଟି ପୃଥକ୍ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ଏହାସହ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସ ଦୁଇ ମୃତଙ୍କ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କଟଲପଶି ଛକ ନିକଟରେ ଏକ  ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେହିଭଳି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ଚମ୍ପୁଆ ଥାନା ପ୍ରତାପପଶି ଗ୍ରାମର ନିରାଶ ମହାନ୍ତ । ଦୁର୍ଘଟଣାରେ ପୂର୍ଣ୍ଣ ମହାନ୍ତ, ଶକୁନ୍ତଳା ମହାନ୍ତ ଗୁରୁତର ଆହତ ହୋଇଛନ୍ତି । ଏହି ୩ ଜଣ ଏକ ବାଇକ୍ ଯୋଗେ ଏମାନେ ରିମୁଳି ପଟୁ କେନ୍ଦୁଝର ଅଭିମୁଖେ ଯାଉଥିଲେ । କିନ୍ତୁ କଟଲପଶି ଛକ ନିକଟସ୍ଥ ଡାଇଭର୍ସନ ପାର୍ ହେଉଥିବା ସମୟରେ କେନ୍ଦୁଝର ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବାଇକ୍‌କୁ ସମ୍ମୁଖରୁ ଜୋରଦାର ଧକ୍କା ଦେଇଥିଲା।

Also Read: ଦଶହରା ମେଢ଼ ଦେଖିବାକୁ ଯାଇଥିଲେ ପରିବାର, ତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ସୁନା ଗହଣା ଲୁଟ୍​​​​​​​

ଅନ୍ୟପଟେ ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ନାରଦପୁର ନିକଟରେ ଘଟିଥିବା ଦୁର୍ଘଟଣାରେ ସ୍ଥାନୀୟ ଚମକପୁର ଗ୍ରାମର ଧବଳେଶ୍ୱର ନାଏକ (୮୦)ଙ୍କ ମୃତ୍ୟୁ ଘଟିଛି । ରାସ୍ତା ପାର୍ ହେଉଥିବା ସମୟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।