ନୂଆଦିଲ୍ଲୀ ୧୪।୦୫ : ସେଦିନ ଥିଲା ୨୦୧୨, ଆଜି ୨୦୨୬ । ଇତିମଧ୍ୟରେ ବିତିଯାଇଛି ୧୪ ବର୍ଷ । ତଥାପି ନା ସୁଧୁରୁଛି ବ୍ୟବସ୍ଥା । କାଲି ଯେମିତି ଅପରାଧୀ ଥିଲେ ବେଖାତିର, ଆଜି ବି ସେମିତି ବେଖାତିର । ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ପୁଣି ଏକ ଲଜ୍ଜା। ଜଣେ ମହିଳାଙ୍କୁ ବସ୍ ରେ ଗଣଦୁଷ୍କର୍ମ କରାଯାଇଥିବାର ଆସିଛି ଅଭିଯୋଗ। ଏହି ଅମାନୁଷିକ କାମରେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ସଂପୃକ୍ତ ଅଛନ୍ତି। ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବସ୍ କୁ ଜବତ କରିଛି। ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ।

ଚଳନ୍ତା ବସରେ ମହିଳାଙ୍କୁ ପୁଣି ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଡିସେମ୍ବର ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଣି ଚଳନ୍ତା ବସରେ ରାଜଧାନୀ ଦିଲ୍ଲୀରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ରାଣୀ ବାଗ ଅଞ୍ଚଳରେ ୩୦ ବର୍ଷୀୟ ମହିଳାଙ୍କୁ ଚଳନ୍ତା ବସରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

Also Read:-Trisha Krishnan: ରାଜନୀତିରେ ବଡ ଟ୍ଵିଷ୍ଟ ? ବିଜୟଙ୍କ ବିରୋଧୀ ତ୍ରିଶାଙ୍କୁ ଦେଲେ ୧୨ କୋଟିର ଅଫର, ଇଣ୍ଡଷ୍ଟ୍ରିରେ ହଇଚଇ

ପୀଡିତାଙ୍କ କହିବା ଅନୁଯାୟୀ, ସୋମବାର ରାତିରେ ତାଙ୍କୁ ଅପହରଣ କରି ଦୁଇ ଘଣ୍ଟା ଧରି ଦୁଷ୍କର୍ମ କରାଯାଇଥିଲା। ପୋଲିସ ବସକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାଟି ସୋମବାର ବିଳମ୍ବିତ ରାତିରେ ରାଣୀ ବାଗ ଅଞ୍ଚଳରେ ଘଟିଥିଲା। ପୀଡିତା ପିତାମପୁରାର ଏକ ବସ୍ତି ଅଞ୍ଚଳରେ ରୁହନ୍ତି। ମଙ୍ଗୋଲପୁରୀର ଏକ କାରଖାନାରେ କାମ କରନ୍ତି। ପୀଡିତା ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ, ବସ୍ ରେ ଥିବା କିଛି ଲୋକ ତାଙ୍କୁ ସମୟ ପଚାରିବା ବାହାନାରେ ଅଟକାଇଥିଲେ ଏବଂ ଜୋରଜବରଦସ୍ତ ତାଙ୍କୁ ଚଳନ୍ତା ବସ୍ ଭିତରକୁ ଟାଣି ନେଇଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅପରାଧରେ ବ୍ୟବହୃତ ଘରୋଇ ସ୍ଲିପର ବସ୍ ଜବତ କରିବା ସହ ଏବଂ ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଗିରଫ କରିଛି ପୋଲିସ। ଏହି ଘଟଣା ପୁଣି ଥରେ ଜାତୀୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ସେପଟ ପୋଲିସ ମୁତାବିକ, ମହିଳା ଜଣଙ୍କ ବିବାହିତ । ତାଙ୍କର ତିନୋଟି ସନ୍ତାନ ରହିଛି । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାସହ ମହିଳା ଏବଂ ଅଭିଯୁକ୍ତଙ୍କର ତୁରନ୍ତ ମେଡିକାଲ ଟେଷ୍ଟ କରାଯିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।