ନୂଆଦିଲ୍ଲୀ: ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । କିନ୍ତୁ ବେଶିଦିନ ଚାଲିଲାନି କାରସାଦି । ଧରା ପଡିଗଲା ଚାଲାକି । ଏବେ ଧରା ପଡିବା ପରେ ଭାରତୀୟ ବାୟୁସେନାର ଜଣେ ଓ୍ୱିଙ୍ଗ୍ କମାଣ୍ଡରଙ୍କ ନିକଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଛି । ଏହାସହ ପୋଲିସ ବଡ ଖୁଲାସା କରିଛି ।

ରିପୋର୍ଟ ଅନୁସାରେ, ଶତ୍ରୁ ଦେଶ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବାୟୁସେନା ଅଧିକାରୀ ଏମ୍ ଶବରଓ୍ୱାଲଙ୍କୁ ଗିରଫ କରାଯାଇଥିଲା । ପୋଲିସ ମାମଲାର ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ଉଲ୍ଲେଖ ଅଛି ଯେ, ସେ ପାକିସ୍ତାନର ଜଣେ ମହିଳା ଗୁଇନ୍ଦା ଅଧିକାରୀଙ୍କୁ ଏୟାରଫୋର୍ସର ଡ୍ରୋନ୍ ଏବଂ ଜେଟ୍ ଆଦିର ଫଟୋ ପଠାଇଥିଲେ । ଏହାସହ ଭିଡିଓ ମଧ୍ୟ ସେଣ୍ଡ୍ କରିଥିଲେ । ଖୁବ୍ ଶୀଘ୍ର ସେ ପାକ୍ ମହିଳାଙ୍କ ସହ ବନ୍ଧୁତା ବାନ୍ଧିଥିଲେ । ମହିଳାଜଣଙ୍କ ଯାହା ତଥ୍ୟ ମାଗୁଥିଲେ ସେ ତାଙ୍କୁ ତୁରନ୍ତ ପ୍ରଦାନ କରୁଥିଲେ । 

ସ୍ପେଶାଲ୍ ସେଲର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ବାୟୁସେନା ଓ୍ୱିଙ୍ଗ୍ କମାଣ୍ଡର ଶବରଓ୍ୱାଲ୍ ହନି ଟ୍ରାପର ଶିକାର ହୋଇଥିଲେ । ଟେଲିଗ୍ରାମ୍ ଜରିଆରେ ପାକିସ୍ତାନୀ ମହିଳାଙ୍କ ସହ ତାଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପରେ ସେମେନାଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ମାସେ ଧରି ଚାଲିଥିବା ବନ୍ଧୁତାରେ ପାକ୍ ମହିଳା ବହୁତ ତଥ୍ୟ ହାସଲ କରିନେଇଥିଲେ । ଏପରିକି ତାଙ୍କ କଥାରେ ବାୟୁସେନା ଅଧିକାରୀ ନିଜର ସହକର୍ମୀଙ୍କ ମୋବାଇଲରେ ଏକ ଆପ୍ଲିକେସନ୍ ଇନଷ୍ଟଲ୍ କରିଥିଲେ । ଏହାପରେ ଅଭିଯୁକ୍ତ ଓ୍ୱିଙ୍ଗ୍ କମାଣ୍ଡର ନିଜ ଭୁଲ ବୁଝିଥିଲେ । ସହକର୍ମୀଙ୍କ ଫୋନରୁ ଆପକୁ ଡିଲିଟ୍ କରିନେଇଥିଲେ । ତାଙ୍କ ପତ୍ନୀ ମଧ୍ୟ ଏୟାରଫୋର୍ସରେ କାର୍ଯ୍ୟରତ ଅଛନ୍ତି ।

ସୂଚନାଯୋଗ୍ୟ, ଶବରଓ୍ୱାଲଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେ ୩୦ ତାରିଖରେ ଗିରଫ କରିଥିଲା । ତାଙ୍କ ବିରୋଧରେ ଗୋପନୀୟ ତଥ୍ୟ ପ୍ରଦାନ ମାମଲା ଲାଗିଛି । ଏବେ ସେ ଗିରଫ ହୋଇ ହାଜତରେ ଅଛନ୍ତି । ତଦନ୍ତ ପରେ ଗତ ଜୁଲାଇ ୭ ତାରିଖରେ କୋର୍ଟରେ ଏଫଆଇଆର ଦାଖଲ କରାଯାଇଥିଲା ।