ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ‘ହର୍ମୁଜ ପ୍ରଣାଳୀ’ ଉପରେ କେନ୍ଦ୍ରିତ ହୋଇଯାଇଛି। ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଦେଇ ଏବେ ତୈଳ ଓ ଗ୍ୟାସ୍ ପରିବହନ ସମ୍ଭବ ହୋଇ ପାରୁନି, ଅନେକ ଜାହାଜ ସମୁଦ୍ରରେ ଫଶି ରହିଛନ୍ତି। ଏଣୁ ସାଧାରଣ ଜନତାଙ୍କୁ ପୁଣି ଥରେ ଗ୍ୟାସ ସଂକଟ ଡରେଇବା ଆରମ୍ଭ କଲାଣି। ୨୮ ଫେବୃଆରୀ ୨୦୨୬ରେ ଯେତେବେଳେ ଆମେରିକା ଓ ଇଜ୍ରାଏଲ ମିଳିତ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ ତା ପରଠାରୁ ଭାରତରେ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଥିଲା।

କେତେ ପ୍ରସ୍ତୁତ ଅଛି ଭାରତ?
ସବୁ ସ୍ଥାନରେ ଗ୍ୟାସ୍ ପାଇଁ ଲମ୍ବା ଧାଡି ଦେଖାଯାଇଥିଲା। ହେଲେ ଏବେ ଏପରି ହେବନି, କୌଣସି ମହାସଂକଟର ମୁକାବିଲା ନିମନ୍ତେ ଭାରତ ପୁରା ପ୍ରସ୍ତୁତି କରି ରଖିଛି। ପୂର୍ବରୁ ଷ୍ଟ୍ରେଟ୍ ଅଫ ହର୍ମୁଜ ରାସ୍ତାରେ ଭାରତ ୯୦ ପ୍ରତିଶତ ଏଲପିଜି ଆମଦାନୀ କରୁଥିଲା। ହେଲେ ଏବେ ଏହା ହେଉ ନାହିଁ। ଭାରତ ଏବେ ଏଲପିଜି ଗ୍ୟାସ୍ ପାଇଁ କେବଳ ପଶ୍ଚିମ ଏସିୟା ଉପରେ ନିର୍ଭରଶୀଳ ନାହିଁ। ଏବେ ଆମେରିକା ସମେତ ବିଭିନ୍ନ ଦେଶରୁ ଭାରତକୁ ଏଲପିଜି ଆସୁଛି।

ପ୍ରତିଦିନ ଭାରତରେ ୩୭ରୁ ୩୮ ହଜାର ମେଟ୍ରିକ ଟନ ଏଲପିଜି ତିଆରି ହେଉଛି। ଏବେ ଦେଶର ରିଫାଇନାରୀଙ୍କ ଉଦ୍ଦେଶ୍ୟ ହେଉଛି ପ୍ରଡକ୍ସନରେ ୧୦% ପର୍ଯ୍ୟନ୍ତ ବୃଦ୍ଧି କରିବା। ‘ଦି ଇକୋନମିକ ଟାଇମ୍ସ’ ରିପୋର୍ଟ ଅନୁଯାତୀ ସୂତ୍ରଙ୍କ ଅନୁସାରେ ଏବେ ଭାରତ ନିକଟରେ ପ୍ରଚୁର ଏଲପିଜି ଷ୍ଟକ୍ ରହିଛି। ହର୍ମୁଜ ଦେଇ ଏବେବି ଏଲପିଜି ଆସୁଛି, ହେଲେ ଭାରତ ତା ଉପରେ ଆଉ ପୂର୍ବଭଳି ନିର୍ଭର ନୁହେଁ। ହେଲେବି ଯଦି ସପ୍ତାହକ ଲାଗି ହର୍ମୁଜ ବନ୍ଦ ହୋଇଯାଏ ତେବେ ବଡ଼ ସମସ୍ୟା ଉପୁଜିପାରେ।

କିପରି ହେଉଛି ଭରଣା?
ଭାରତ ଏଲପିଜି ଆମଦାନୀ ଅଭାବ ପୁରା କରିବା ପାଇଁ ଘରୋଇ ପ୍ରଡକ୍ସନ ବଢାଇବା ସହ ଖର୍ଚ୍ଚ ହ୍ରାସ କରିଛି। ପେଟ୍ରୋଲିୟମ ମିନିଷ୍ଟ୍ରି ଅନୁସାରେ ଅଗଷ୍ଟରେ ଦେଶରେ ଏଲପିଜି ଖର୍ଚ୍ଚ ପରିମାଣ ୧୭% ହ୍ରାସ ହୋଇଛି। ଘର, କମର୍ସିଆଲ ୟୁଜର ଓ ଉଦ୍ୟୋଗ ସବୁ ଉପରେ ଏହାର ପ୍ରଭାବ ସ୍ପଷ୍ଟ ଅନୁଭୂତ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବୁଧବାର କହିଛନ୍ତି ଯେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମିଡଟର୍ମ ନିର୍ବାଚନ ପର୍ଯ୍ୟନ୍ତ ତୈଳଦର କମିବାର ନାହିଁ।

ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରଲପିଛା ଦର ୧୦୦ ଡଲାରକୁ ପହଞ୍ଚି ସାରିଲାଣି। ଏଣୁ ଭାରତରେ ତୈଳ ବିପଣନ କମ୍ପାନୀ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ କ୍ଷତି ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ ବିତରଣକାରୀ କମ୍ପାନୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ୨୩ ଟଙ୍କା କ୍ଷତି ସହିବାକୁ ପଡୁଛି। ସେହିପରି ଏଲପିଜିରେ କମ୍ପାନୀଙ୍କୁ ପ୍ରତି ସିଲିଣ୍ଡର ୨୦୦ ଟଙ୍କା କ୍ଷତି ହେଉଛି।