ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ସମୟରେ ତୁରନ୍ତ ଟଙ୍କାର ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକରୁ ଅଧିକ ଲୋକ ଏବେ ସୁନା ଋଣ ଆଡ଼କୁ ମୁହାଁଉଛନ୍ତି। ଆର୍ଥିକ ବର୍ଷ ୨୦୨୬ରେ ସୁନା ଋଣ ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ‘କ୍ରିଫ୍ ହାଇ ମାର୍କ’ ପକ୍ଷରୁ ପ୍ରକାଶିତ ‘ହାଉ ଇଣ୍ଡିଆ ଲେଣ୍ଡସ – କ୍ରେଡିଟ୍ ଲ୍ୟାଣ୍ଡସ୍କେପ୍ ଇନ୍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ସୁନା ଋଣ ଖୁଚୁରା କ୍ରେଡିଟ୍ ବଜାରରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କ୍ଷେତ୍ର ଭାବେ ଉଭା ହୋଇଛି।

ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୨୬ର ଚତୁର୍ଥ ତ୍ରୈମାସିକ ସୁଦ୍ଧା ବାର୍ଷିକ ଆଧାରରେ ସୁନା ଋଣ ପୋର୍ଟଫୋଲିଓରେ ୫୦.୪% ର ବୃଦ୍ଧି ଘଟି ଏହା ୧୮.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ, ବଜାରରେ ସୁନା ଦର କ୍ରମାଗତ ଭାବେ ବଢ଼ୁଥିବାରୁ ଏହା ଗ୍ରାହକଙ୍କୁ ବଡ଼ ସୁବିଧା ଦେଉଛି। ସମାନ ପରିମାଣର ସୁନା ଅଳଙ୍କାର ବଦଳରେ ଏବେ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ପରିମାଣର ଋଣ ପାଇପାରୁଛନ୍ତି।

ଅନ୍ୟାନ୍ୟ ପର୍ସନାଲ୍ କିମ୍ବା ବ୍ୟବସାୟିକ ଋଣ ତୁଳନାରେ ସୁନା ଋଣ ପାଇଁ ଅଧିକ କାଗଜପତ୍ର କିମ୍ବା ଆୟ ପ୍ରମାଣପତ୍ରର ଆବଶ୍ୟକତା ପଡ଼େନାହିଁ। ଚିକିତ୍ସା ଖର୍ଚ୍ଚ, ପିଲାଙ୍କ ପାଠପଢ଼ା କିମ୍ବା ବ୍ୟବସାୟର ଜରୁରୀ ଆବଶ୍ୟକତା ପାଇଁ ଲୋକେ ନିଜ ସୁନାକୁ ବିକ୍ରି ନକରି, ତାହାକୁ ବ୍ୟାଙ୍କରେ ବନ୍ଧକ ରଖି ସହଜରେ ପୁଞ୍ଜି ଯୋଗାଡ଼ କରିପାରୁଛନ୍ତି।