ନୂଆଦିଲ୍ଲୀ: ଗୋଟିଏ ପକ୍ଷୀ ପ୍ରବାସନ ସମୟରେ କେତେ କିଲୋମିଟର ଉଡ଼ିପାରିବ ? ଏହା ଆକଳନ କରିବା ବି କଷ୍ଟ । ନିକଟରେ ଏକ ବାଜପକ୍ଷୀର ଛୁଆ ମଣିପୁରରୁ ସୋମାଲିଆ ପ୍ରାୟ ୫୭୦୦ କିଲୋମିଟର ୧୦୧ ଘଣ୍ଟାରେ ଯାତ୍ରା କରିଛି । ବିନା ବିଶ୍ରାମ ଏବଂ ବିନା ଖାଦ୍ୟରେ ୪ ଦିନ ୫ ଘଣ୍ଟା ଉଡ଼ାଣ ଭରିବା ସହ ସୋମାଲିଆରେ ପହଞ୍ଚିଛି ଆଲାଙ୍ଗ ନାମକ ଏକ ଅମୁର ଫାଲକନ୍‌ ବା ବାଜପକ୍ଷୀ । ପକ୍ଷୀମାନଙ୍କର ଏହି ବିସ୍ମୟକର ପ୍ରବାସ ଯାତ୍ରା ଉପରେ ନଜର ରଖିଥିବା ଅଧିକାରୀମାନେ ସାଟେଲାଇଟ୍ ଟ୍ରାକିଂ ତଥ୍ୟ ଜାରି କରି ଏହି ସୂଚନା ଦେଇଛନ୍ତି । ପକ୍ଷୀଟି ମଣିପୁରର ତାମେଙ୍ଗଲୋଙ୍ଗ ବିଶ୍ରାମସ୍ଥଳୀ ଛାଡ଼ିବା ପରେ ସିଧାସଳଖ ଆଫ୍ରିକା ଉପକୂଳରେ ପହଞ୍ଚିଛି । ସେହିପରି 'ଆପାପାଙ୍ଗ' ନାମକ ଅନ୍ୟ ଏକ ବୟସ୍କ ଅଣ୍ଡିରା ଫାଲକନ୍ ମଣିପୁରରେ ଲଗାତାର ୨୫ ଦିନ ଧରି ଖାଦ୍ୟ ଖାଇ ବିଶ୍ରାମ ନେବା ପରେ ସମୁଦ୍ର ପଥରେ ଯାତ୍ରା ଆରମ୍ଭ କରିଛି । ୯୫ ଘଣ୍ଟା ମଧ୍ୟରେ ୪,୧୦୦ କିଲୋମିଟର ଦୂରତା ଅତିକ୍ରମ କରି ଏବେ ଆରବ ସାଗର ଉପରେ ନିଜର ଯାତ୍ରା ଜାରି ରଖିଛି ଆପାପାଙ୍ଗ।

ନନ୍‌ଷ୍ଟପ ଯାତ୍ରାର ରାଜ୍‌ କଣ ?
ମାତ୍ର ୧୫୦ ଗ୍ରାମ ଓଜନ ବିଶିଷ୍ଟ ଏହି କ୍ଷୁଦ୍ର  ଅମୁର ଫାଲକନ୍ ଆରବ ସାଗର ଅତିକ୍ରମ କରି ପ୍ରକୃତିର ଅନ୍ୟତମ ସବୁଠାରୁ ଦୀର୍ଘ ଏବଂ କଠିନ ପ୍ରବାସ ଯାତ୍ରା ସମ୍ପନ୍ନ କରିଥାନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଏହି ପକ୍ଷୀ ପୂର୍ବ ଋଷିଆ, ଉତ୍ତର-ପୂର୍ବ ଚୀନ୍ ଏବଂ ମଙ୍ଗୋଲିଆରେ ଥିବା ସେମାନଙ୍କର ପ୍ରଜନନ ସ୍ଥଳୀରୁ ଶୀତଋତୁ କଟାଇବା ପାଇଁ ଦକ୍ଷିଣ ଏବଂ ପୂର୍ବ ଆଫ୍ରିକା ଅଭିମୁଖେ ଯାତ୍ରା କରିଥାନ୍ତି । ଏହି ଦୀର୍ଘ ଯାତ୍ରା ସମୟରେ ସେମାନେ ବଡ଼ ବଡ଼ ଦଳରେ ଉଡ଼ି ଉତ୍ତର-ପୂର୍ବ ଭାରତର ମଣିପୁର ଏବଂ ନାଗାଲାଣ୍ଡ ଭଳି ଅଞ୍ଚଳ ଦେଇ ଯାଇଥାନ୍ତି । ଏଠାରେ ରହିବା ସମୟରେ ସେମାନେ ଉଈ ଏବଂ ଅନ୍ୟାନ୍ୟ କୀଟପତଙ୍ଗ ଖାଇ ନିଜ ଶରୀରରେ ଆବଶ୍ୟକୀୟ ଚର୍ବି ଜମା କରିଥାନ୍ତି । ଏହା ସେମାନଙ୍କୁ ପରବର୍ତ୍ତୀ ସମୟରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ବିନା ସ୍ଥଳଭାଗ ଦେଖି ସମୁଦ୍ର ଉପରେ ଉଡ଼ିବା ପାଇଁ ଅସୀମ ଶକ୍ତି ଯୋଗାଇଥାଏ ।

ଟ୍ରାନ୍ସମିଟର ଦେଉଛି ତଥ୍ୟ
ଆଲାଙ୍ଗର ଏହି ୧୦୧ ଘଣ୍ଟାର ନିରବଚ୍ଛିନ୍ନ ସମୁଦ୍ର ଯାତ୍ରା ଏହି ପକ୍ଷୀମାନଙ୍କର ଅଦ୍ଭୁତ ଶାରୀରିକ ସାମର୍ଥ୍ୟକୁ ପ୍ରମାଣିତ କରୁଛି । ଆପାପାଙ୍ଗ ମଧ୍ୟ ଆଫ୍ରିକା ଅଭିମୁଖେ ତା'ର ଦୀର୍ଘ ଯାତ୍ରା ଜାରି ରଖିଛି । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକମାନେ 'ମଣିପୁର ଅମୁର ଫାଲକନ୍ ଟ୍ରାକିଂ ପ୍ରୋଜେକ୍ଟ' ଅଧୀନରେ ଆଲାଙ୍ଗ ଏବଂ ଆପାପାଙ୍ଗ ଶରୀରରେ ସାଟେଲାଇଟ୍ ଟ୍ରାନ୍ସମିଟର ଲଗାଇଥିଲେ । ଏହି ଟ୍ରାନ୍ସମିଟର ସାହାଯ୍ୟରେ ବୈଜ୍ଞାନିକମାନେ ପକ୍ଷୀମାନଙ୍କର ଗତିପଥ, ଉଡ଼ାଣ ସମୟ ଏବଂ ବିଶ୍ରାମ ସ୍ଥଳୀଗୁଡ଼ିକୁ ସଠିକ୍ ଭାବରେ ଅନୁଧ୍ୟାନ କରିପାରୁଛନ୍ତି । ତାମିଲନାଡୁର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁପ୍ରିୟା ସାହୁ ଏହି ଦୁଇ ଫାଲକନଙ୍କ ସଫଳ ପ୍ରବାସ ଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।