ନୂଆଦିଲ୍ଲୀ: ଭାଗ୍ୟ କେତେବେଳେ ଯେ କାହାକୁ କୋଟିପତି କରିଦିଏ, ତାହା କହିବା ମୁସ୍କିଲ। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ମୋବାଇଲ୍ ଫୋନ୍ରେ ନିଜ ଲଟେରି ଟିକେଟ୍ ଯାଞ୍ଚ କରୁଥିବା ସମୟରେ ଜଣେ ମହିଳାଙ୍କ ଭାଗ୍ୟ ବଦଳିଯାଇଛି। ଲଟେରିର ସମସ୍ତ ୬ଟି ନମ୍ବର ମେଳ ଖାଇବାରୁ ସେ ଜିତିଛନ୍ତି ୫ ମିଲିୟନ୍ ଡଲାର (ପ୍ରାୟ ୫୦ ଲକ୍ଷ କାନାଡିଆନ୍ ଡଲାର)ର ଜ୍ୟାକପଟ୍। ଏହି ଖବର ଜାଣିବା ପରେ ମହିଳାଙ୍କ ଖୁସି କହିଲେ ନସରେ।

ଏହି ଭାଗ୍ୟଶାଳୀ ମହିଳାଙ୍କ ନାମ ଜୟ । ଗତ ଅକ୍ଟୋବର ୨୧ ତାରିଖର ଲଟେରି ଡ୍ର'ରେ ସେ ସମସ୍ତ ୬ଟି ନମ୍ବର ମେଳ କରି ୫ ମିଲିୟନ୍ ଡଲାରର ବଡ଼ ପୁରସ୍କାର ଜିତିଛନ୍ତି। ନିୟମିତ ଭାବେ ଟିକେଟ୍ ଯାଞ୍ଚ କରୁଥିବା ସମୟରେ ମୋବାଇଲ୍ ଫୋନ୍ରେ ତାଙ୍କୁ ଏହି ଖୁସି ଖବର ମିଳିଥିଲା। ପ୍ରଥମେ ନିଜ ଆଖିକୁ ମଧ୍ୟ ସେ ବିଶ୍ୱାସ କରିପାରିନଥିଲେ। ପାଞ୍ଚ ମିଲିୟନ୍ ଡଲାର ଜିତିଥିବା ଜାଣିବା ପରେ ସେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।ୱେଷ୍ଟର୍ଣ୍ଣ କାନାଡା ଲଟେରି କର୍ପୋରେସନ୍ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଜୟ କହିଛନ୍ତି, "ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲି।"

ଲଟେରି ଜିତିବା ପରେ ଜୟଙ୍କ ମନରେ ଏକାସାଙ୍ଗରେ ଅନେକ ଭାବନା ସୃଷ୍ଟି ହୋଇଥିଲା। ଆଶ୍ଚର୍ଯ୍ୟ, ଖୁସି ଓ ଆଶ୍ୱସ୍ତି ଭଳି ଭାବନା ତାଙ୍କୁ ଘେରି ରହିଥିଲା। ଏତେ ବଡ଼ ରାଶି ଜିତିବା ପରେ ସେ ପ୍ରଥମେ ନିଜ ଘରର ଋଣ ଶୁଝିବାକୁ ଚାହୁଁଛନ୍ତି। ଏହାପରେ ସାରା ବିଶ୍ୱ ଭ୍ରମଣ କରିବାକୁ ତାଙ୍କର ଯୋଜନା ରହିଛି। ଜୟ ଖୁସିରେ କହିଛନ୍ତି, "ମୁଁ ପ୍ରଥମେ ମୋ ଘରର ମର୍ଗେଜ୍ ଋଣ ଶୁଝିଦେବି। ଏହାପରେ ସାରା ବିଶ୍ୱ ବୁଲିବାକୁ ଯିବି।"

କେବଳ ନିଜ ସ୍ୱପ୍ନ ପୂରଣ କରିବା ନୁହେଁ, ଲଟେରିରୁ ମିଳିଥିବା ଟଙ୍କାକୁ ନିଜ ପରିବାର ଓ ପ୍ରିୟଜନଙ୍କ ସହ ମଧ୍ୟ ବାଣ୍ଟିବାକୁ ଚାହୁଁଛନ୍ତି ଜୟ। ତାଙ୍କ ପାଇଁ ନିଜ ଲକ୍ଷ୍ୟ ପୂରଣ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜ ଲୋକଙ୍କୁ ଖୁସି ଦେବା ମଧ୍ୟ ସେତିକି ମହତ୍ତ୍ୱ ରଖେ। ତାଙ୍କ କହିବା ଅନୁଯାୟୀ, ଏହି ବିପୁଳ ପୁରସ୍କାର ଜିତିବାର ସବୁଠାରୁ ବଡ଼ ଖୁସି ହେଉଛି ଏବେ ତାଙ୍କୁ ଆଉ ଆର୍ଥିକ ଚିନ୍ତାରେ ରହିବାକୁ ପଡ଼ିବ ନାହିଁ। ସେ ଏଣିକି ଆର୍ଥିକ ଚାପରୁ ମୁକ୍ତ ହୋଇ ନିଜ ଜୀବନକୁ ନୂଆ ଢଙ୍ଗରେ ଉପଭୋଗ କରିପାରିବେ।

ଏହି ବର୍ଷ ଆରମ୍ଭରେ ଦୁବାଇ ଡ୍ୟୁଟି ଫ୍ରି ମିଲେନିୟମ୍ ମିଲିଅନିୟର ଡ୍ର'ରେ କେରଳର ଦୁଇ ଜଣ ପ୍ରବାସୀ ଭାରତୀୟ ମଧ୍ୟ ଭାଗ୍ୟଶାଳୀ ବିଜେତା ହୋଇଥିଲେ। ଉଭୟେ ୧ ମିଲିୟନ୍ ଡଲାର ଲେଖାଏଁ ପୁରସ୍କାର ଜିତିଥିଲେ। ସେମାନଙ୍କ ମଧ୍ୟରୁ ୪୮ ବର୍ଷୀୟ କବୀର ପୁଭାଥିଙ୍ଗଲ ଆବୁଧାବିରେ ଜଣେ ଏଭିଏସନ୍ ଅପରେଟର ଭାବେ କାମ କରୁଥିବା ବେଳେ ୩୦ ବର୍ଷୀୟ ମହମ୍ମଦ ଶିବିଲ ଥାୟିଲ ଶାରଜା ବିମାନବନ୍ଦର ଇଣ୍ଟରନ୍ୟାସନାଲ୍ ଫ୍ରି ଜୋନ୍ରେ ଜଣେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟରତ।

also read-; ଭାରତ ଏସିଆରେ ତୃତୀୟ ଶକ୍ତିଶାଳୀ ଦେଶ, ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା

ସତରେ, ଭାଗ୍ୟ କେତେବେଳେ ଯେ ଜୀବନର ମୋଡ଼ ବଦଳାଇଦିଏ, ତାହା କେହି ଜାଣିନାହାନ୍ତି। ଜୟଙ୍କ ପାଇଁ ମୋବାଇଲ୍ରେ ଲଟେରି ଟିକେଟ୍ ଯାଞ୍ଚ କରିବାର ଏକ ସାଧାରଣ ମୁହୂର୍ତ୍ତ ଜୀବନର ସବୁଠାରୁ ବଡ଼ ଖୁସି ପାଲଟିଯାଇଛି। ଏବେ ଘର ଋଣମୁକ୍ତ କରିବାଠାରୁ ଆରମ୍ଭ କରି ବିଶ୍ୱ ଭ୍ରମଣ ପର୍ଯ୍ୟନ୍ତ ତାଙ୍କର ଅନେକ ସ୍ୱପ୍ନ ପୂରଣ ହେବାକୁ ଯାଉଛି।