ଭୁବନେଶ୍ୱର: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ୍ ସେତିକିବେଳେ ମେଘ ଉଭାନ ହୋଇଯାଉଛି। ମୌସୁମୀ ଉପକୂଳ ଓଡ଼ିଶାକୁ ଛୁଇଁଥିଲେ ମଧ୍ୟ ରାଜଧାନୀରେ ବର୍ଷାର ଦେଖା ନାହିଁ। ବରଂ ତାତି ଓ ଗୁଳୁଗୁଳି ଦିନକୁ ଦିନ ବଢ଼ୁଛି। ତେବେ ଭୁବନେଶ୍ୱରରେ ବର୍ଷାକୁ କିଏ ଅଟକାଉଛି? କାହିଁକି ସହର ସୀମାରେ ମେଘ ଆସି ଫେରିଯାଉଛି? ବିଶେଷଜ୍ଞମାନେ ଏହା ପଛରେ ଦେଖାଉଛନ୍ତି ଏକ ଅଦୃଶ୍ୟ ‘ଉତ୍ତପ୍ତ ବଳୟ’ର ପ୍ରଭାବ।

ମଙ୍ଗଳବାର ଅପରାହ୍ନ। ଭୁବନେଶ୍ୱରର ପଶ୍ଚିମ ଆକାଶ କଳା ମେଘରେ ଢାଙ୍କି ଯାଇଥିଲା। ହାଲୁକା ପବନ ବି ବହୁଥିଲା। ଲାଗୁଥିଲା, ଯେ କୌଣସି ମୁହୂର୍ତ୍ତରେ ପ୍ରବଳ ବର୍ଷା ହେବ। କିନ୍ତୁ କିଛି ସମୟ ପରେ ମେଘ ଉଭାନ ହୋଇଗଲା ଏବଂ ବର୍ଷା ନହୋଇ ରାଜଧାନୀ ପୁଣି ନିରାଶ ହେଲା। ଏହା ପ୍ରଥମ ଘଟଣା ନୁହେଁ। ରଜ ସମୟରେ ମଧ୍ୟ ଆକାଶ ମେଘୁଆ ରହିଥିଲେ ସୁଦ୍ଧା କେବଳ ଛିଟିକି ବର୍ଷା ହୋଇଥିଲା।

ମୌସୁମୀ ଉପକୂଳ ଓଡ଼ିଶାରେ ପହଞ୍ଚିଥିବା କୁହାଯାଉଛି। ହେଲେ ଭୁବନେଶ୍ୱରରେ ତାହାର ପ୍ରଭାବ ଦେଖାଯାଉନି। ସୋମବାର ୩୭ ଡିଗ୍ରୀ ଥିବା ତାପମାତ୍ରା ମଙ୍ଗଳବାର ୩୯ ଦଶମିକ ୨ ଡିଗ୍ରୀକୁ ଛୁଇଁଥିଲା। ଉଚ୍ଚ ଆର୍ଦ୍ରତା କାରଣରୁ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ମନେ ହେଉଥିଲା। ଫଳରେ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ସହରବାସୀ।

ବିଶେଷଜ୍ଞଙ୍କ ମତରେ, ଦ୍ରୁତ ସହରୀକରଣ ଏବଂ ବ୍ୟାପକ କଂକ୍ରିଟକରଣ ଯୋଗୁ ଭୁବନେଶ୍ୱର ଉପରେ ଏକ ଉତ୍ତପ୍ତ ବଳୟ ବା ‘ହିଟ୍ ଡୋମ୍’ ସୃଷ୍ଟି ହୋଇଛି। ଏହି ଉତ୍ତାପ ବଳୟ ସହରକୁ ଆସୁଥିବା ମେଘକୁ ଭାଙ୍ଗି ଦେଉଛି କିମ୍ବା ଦିଗ ବଦଳାଇ ଦେଉଛି। ସେଥିପାଇଁ ପଶ୍ଚିମ ପଟୁ ଆସୁଥିବା ମେଘ ଭୁବନେଶ୍ୱର ଛାଡ଼ି କଟକ, ମାହାଙ୍ଗା କିମ୍ବା ସାଲେପୁର ଆଡ଼କୁ ଯାଇ ବର୍ଷା କରାଉଛି। ଅନ୍ୟପଟେ ଜଳୀୟବାଷ୍ପ ଉପରକୁ ଉଠିପାରୁନଥିବାରୁ ତଳ ବାୟୁମଣ୍ଡଳରେ ଗୁଳୁଗୁଳି ବଢ଼ାଉଛି।

ଭୁବନେଶ୍ୱରରେ ମେଘ ଆସୁଛି, କିନ୍ତୁ ବର୍ଷା ହେଉନି। ବିଶେଷଜ୍ଞଙ୍କ ମତରେ, ଏହା କେବଳ ପାଣିପାଗର ସାଧାରଣ ପରିବର୍ତ୍ତନ ନୁହେଁ, ବରଂ ଦ୍ରୁତ ସହରୀକରଣର ପରିଣାମ। ଯଦି ଏହି ପ୍ରବୃତ୍ତି ଜାରି ରହେ, ତେବେ ଆଗାମୀ ଦିନରେ ଭୁବନେଶ୍ୱରରେ ତାପମାତ୍ରା ଓ ଗୁଳୁଗୁଳି ଆହୁରି ବଢ଼ିବା ସହ ବର୍ଷାର ସ୍ୱାଭାବିକ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇପାରେ।