ନୂଆଦିଲ୍ଲୀ:୩୧/୦୩: ପିଢି ପରେ ପିଢି ଆମ ଭିତରେ ଏକ ଗଭୀର ଆସ୍ଥା ଓ ବିଶ୍ବାସ ରହିଛି କି ଭଗବାନ ହନୁମାନ ପରମ ବ୍ରହ୍ମଚାରୀ, ଶୃଙ୍ଖଳା ଓ ଭକ୍ତିର ପ୍ରତୀକ । ତାଙ୍କର ବିବାହ ହୋଇନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ବଜରଙ୍ଗବାଲି ହନୁମାନ କାହିଁକି ଓ କାହାକୁ ବିବାହ କରିଥିଲେ । ହଁ ଏକଥା ସତ ହନୁମାନ ବିବାହିତ । ତେଲେଙ୍ଗାନାର ଏକ ମନ୍ଦିର ହନୁମାନଙ୍କ ବିବାହର ସାକ୍ଷୀ । ହନୁମାନ ବ୍ରହ୍ମଚାରୀ ହୋଇ ମଧ୍ୟ କାହିଁକି ଏକ ସୁନ୍ଦରୀ ତେଜସ୍ବୀ ଓ ତପସ୍ବୀ କନ୍ୟାଙ୍କୁ ବିବାହ କରିଥିଲେ । ପୁରା ଘଟଣାକ୍ରମ ଜାଣିଲେ ହନୁମାନଙ୍କ ଜୀବନକୁ ନେଇ ଅନେକ କିଛି ରହସ୍ୟ ସାମ୍ନାକୁ ଆସିବ । ଆମ କଳ୍ପନାରେ ଥିବା ହନୁମାନ ଆଉ ସତରେ ହନୁମାନଙ୍କ ଜୀବନ ଅଧିକ ଗଭୀର,ଜଟିଳ ଓ ଶକ୍ତିଶାଳୀ ମନେ ହେବ ।

ଭକ୍ତଙ୍କ ମନରେ ବିଶ୍ବାସ

ଅଧିକାଂଶ ଭକ୍ତଙ୍କ ପାଇଁ ହନୁମାନ ଶୃଙ୍ଖଳା ଓ ବ୍ରହ୍ମଚର୍ଯ୍ୟର ପ୍ରତୀକ ।ପିଲାଟି ଦିନରୁ ଆମେ ସମସ୍ତେ ତାଙ୍କର ଅତୁଳନୀୟ ଶକ୍ତି, ଭକ୍ତି ଓ ଇଚ୍ଛା ଉପରେ ନିୟନ୍ତ୍ରଣ କରୁଥିବା ସୁନ୍ଦର ସୁନ୍ଦର କାହାଣୀ ଶୁଣିଛୁ ।ହନୁମାନଙ୍କ ପ୍ରତି ଆମ ଏ ବିଶ୍ବାସ ଏତେ ଦୃଢ ଯେ ଆମେ ସେ ବିଷୟରେ ୨ଥର କେବେ ଚିନ୍ତା କରିନୁ ।କିନ୍ତୁ ଅନେକ କ୍ଷେତ୍ରରେ ଆମେ ଯାହାକୁ ସଂପୂର୍ଣ୍ଣ ସତ ବୋଲି ଭାବିଥାଉ ତାହା କାହାଣୀର ଗୋଟିଏ ପାର୍ଶ୍ବ ହୋଇଥାଏ ।ଏହିଠାରୁ ହିଁ ଆରମ୍ଭ ହୁଏ କୌତୁହଳ । କାରଣ କିଛି ଶାସ୍ତ୍ର ଓ ମନ୍ଦିର ଏମିତି କିଛି କଥାକୁ ଇଙ୍ଗିତ କରନ୍ତି ଯାହାକୁ ସମସ୍ତେ ଖୋଲାଖୋଲି ଆଲୋଚନା କରିପାରନ୍ତି ନାହିଁ ।

ସବୁକିଛି ବଦଳାଇଦେଇଥିବା ଅବସ୍ଥା

ପରାଶର ସଂହିତାରେ ଏକଥା ଉଲ୍ଲେଖ ରହିଛି ଯେ ହନୁମାନ ଅବିବାହିତ ନୁହେଁ ବିବାହ କରିଥିଲେ । ତାଙ୍କ ବିବାହ ସୂର୍ଯ୍ୟଦେବତାଙ୍କ କନ୍ୟା  ସୁବର୍ଚଲାଙ୍କ ସହ ହୋଇଥିଲା । ସଂହିତା ଅନୁସାରେ ହନୁମାନ ସୂର୍ଯ୍ୟଦେବତାଙ୍କୁ ନିଜର ଗୁରୁ ବନାଇଥିଲେ । ସୂର୍ଯ୍ୟଦେବତାଙ୍କ ପାଖରେ ୯ଟି ଦିବ୍ୟ ବିଦ୍ୟା ଥିଲା ଯାହା ବଜରଙ୍ଗବାଲି ହାସଲ କରିବାକୁ ଚାହୁଁଥିଲେ । ତେବେ ସୂର୍ଯ୍ୟଦେବତା ୯ଟିରୁ ୫ଟି ବିଦ୍ୟାର ଜ୍ଞାନ ହନୁମାନଙ୍କୁ ଦେଇଦେଇଥିଲେ ।  ଆଉ ୪ଟି ବିଦ୍ୟା ପ୍ରଦାନ କରିବା ସମୟରେ ସୂର୍ଯ୍ୟଦେବତାଙ୍କ ସମ୍ମୁଖରେ ଏକ ସଂକଟ ଆସିଲା । ଏହି ୪ ବିଦ୍ୟାର ଜ୍ଞାନ କେବଳ ସେହି ଶିଷ୍ୟମାନଙ୍କୁ ଦିଆଯାଇପାରିବ ଯେଉଁମାନେ ବିବାହିତ ଥିବେ । ତେବେ ହନୁମାନ ବାଳବ୍ରହ୍ମଚାରୀ ଥିଲେ । ସେହି କାରଣରୁ ଶେଷ ୪ ବିଦ୍ୟା ପ୍ରଦାନ ପାଇଁ ଅସମର୍ଥତା ପ୍ରକାଶ କଲେ ସୂର୍ଯ୍ୟଦେବତା । ସମସ୍ୟାର ସମାଧାନ ପାଇଁ ସୂର୍ଯ୍ୟଦେବତା ହନୁମାନଙ୍କୁ ବିବାହ କରିବାକୁ କହିଥିଲେ । ହନୁମାନଙ୍କର ସାଂସାରିକ ଜୀବନରେ କୌଣସି ଆଗ୍ରହ ନଥିଲା । ପ୍ରଥମେ ହନୁମାନ ବିବାହ ପାଇଁ ରାଜି ହୋଇନଥିଲେ । ତଥାପି ଜ୍ଞାନକୁ ସଂପୂର୍ଣ୍ଣ କରିବାକୁ ତାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ଆଉ ସେଥିପାଇଁ ବିବାହ କରିବାକୁ ରାଜି ହୋଇଥିଲେ ହନୁମାନ । ଯେତେବେଳେ ହନୁମାନ ବିବାହ କରିବାକୁ ରାଜି ହୋଇଗଲେ ତାଙ୍କ ପାଇଁ ଯୋଗ୍ୟ କନ୍ୟା ଖୋଜିବା ଆରମ୍ଭ ହୋଇଯାଇଥିଲା । ଆଉ ଏହି ଖୋଜିବାର ଶେଷ ହୋଇଥିଲା ସୂର୍ଯ୍ୟଦେବତାଙ୍କ କନ୍ୟା ସୁବର୍ଚଲାଙ୍କ ପାଖରେ । ବିଦ୍ୟା ହାସଲ ପାଇଁ ହନୁମାନ ଯେଉଁ ରାସ୍ତା ବାଛିଥିଲେ ତାହା ତାଙ୍କ ଇଚ୍ଛା ନଥିଲା ବରଂ ଥିଲା ଉଦ୍ଦେଶ୍ୟ ପୂରଣ । ଆଉ ସେହି କଥା ତାଙ୍କ କାହାଣୀରେ ଆଣିଥିଲା ଆଶ୍ଚର୍ଯ୍ୟଜନକ ମୋଡ ।

ବିନା ଆସକ୍ତିରେ ବିବାହ

ଏହି ସର୍ତ୍ତ ପୂରଣ କରିବା ପାଇଁ ହନୁମାନ ସୂର୍ଯ୍ୟ ଦେବଙ୍କ ଝିଅ ସୁବର୍ଚଲାଙ୍କୁ ବିବାହ କରିଥିଲେ । କିନ୍ତୁ ଏହା ଭାବନା କିମ୍ବା ଆସକ୍ତିରେ ପରିପୂର୍ଣ୍ଣ ଏକ ପାରମ୍ପରିକ ବିବାହ ନଥିଲା । ଏହା ପ୍ରତୀକାତ୍ମକ,ଆଧ୍ୟାତ୍ମିକ ଏବଂ କର୍ତ୍ତବ୍ୟରେ ନିହିତ ଥିଲା । ସୁର୍ବଚଲା ପରମ ତପସ୍ବୀ ଓ ତେଜସ୍ବୀ ଥିଲେ ।ସୂର୍ଯ୍ୟଦେବତା ଏ କଥା ବି କହିଥିଲେ ସୁବର୍ଚଲାଙ୍କୁ ବିବାହ କରିବା ପରେ ମଧ୍ୟ ହନୁମାନ ବାଳ ବ୍ରହ୍ମଚାରୀ ରହିବେ ।କାହିଁକି ନା ବିବାହ ପରେ ସୁବର୍ଚଲା ଦେବୀ ଗଭୀର ଧ୍ୟାନରେ ବୁଡି ରହିଥିବା ବିଶ୍ବାସ କରାଯାଏ । ସେମାନଙ୍କର ମିଳନ କୌଣସି ସୁଖ ପାଇବାକୁ ନଥିଲା ବରଂ ଏକ ଉଦ୍ଦେଶ୍ୟ ପୂରଣ ପାଇଁ ସମର୍ପିତ ଥିଲା ।ହନୁମାନ ଓ ସୁବର୍ଚଲାଙ୍କ ଅନନ୍ୟ ସଂପର୍କକୁ ଆମେ କିପରି ବ୍ୟାଖ୍ୟା କରୁ ତାହା ଚ୍ୟାଲେଞ୍ଜ ନିଶ୍ଚୟ । ଏହା ଜ୍ଞାନ ଓ ବିଛିନ୍ନତା ମଧ୍ୟରେ ଏକ ସନ୍ତୁଳନକୁ ଦେଖାଏ ।

ଏବେବି କାହିଁକି କୁହାଯାଏ ବ୍ରହ୍ମଚାରୀ ?

ସୁବର୍ଚଲାଙ୍କୁ ବିବାହ ପରେ ମଧ୍ୟ ସଙ୍କଟମୋଚକ ହନୁମାନଙ୍କୁ ବ୍ରହ୍ମଚାରୀ ଭାବରେ ପୂଜା କରାଯାଏ । କାହିଁକି ? କାରଣ ବ୍ରହ୍ମଚର୍ଯ୍ୟ କେବଳ ଶାରିରୀକ ବ୍ରହ୍ମଚର୍ଯ୍ୟ ବିଷୟରେ ନୁହେଁ ବରଂ ଏହା ମନ ଓ ଇଚ୍ଛା ଉପରେ ନିୟନ୍ତ୍ରଣ କରେ । ହନୁମାନ କେବେ ସାଂସାରିକ ଜୀବନଯାପନ କରିନଥିଲେ କିମ୍ବା ସେପରି କୌଣସି ଆସକ୍ତିରେ ଲିପ୍ତ ନଥିଲେ । ତାଙ୍କ ଧ୍ୟାନ ସବୁବେଳେ ଭଗବାନ ରାମଙ୍କ ପ୍ରତି ଅଟଳ ଭକ୍ତି ଓ ଧର୍ମ ସେବାରେ ରହିଥିଲା । ଏ ବିବାହ କାହାଣୀ ତାଙ୍କ ପରିଚୟକୁ ବିରୋଧ କରେନି ବରଂ ଦୃଢ କରେ । ଏହା ପ୍ରମାଣିତ କରେ ଯେ ପ୍ରକୃତ ଶୃଙ୍ଖଳା ପରିସ୍ଥିତିରେ ନୁହେଁ ବରଂ ଉଦ୍ଦେସ୍ୟ ଓ ଆନ୍ତରିକ ନିୟନ୍ତ୍ରଣରେ ରହିଛି ।

ଏହି ଗୁପ୍ତ କଥାକୁ ଜୀବନ୍ତ ରଖୁଥିବା ମନ୍ଦିର

​​​​​​​

ହନୁମାନ ଓ ତାଙ୍କ ପତ୍ନୀ ସୁବର୍ଚଲାଙ୍କ ମନ୍ଦିର ତେଲେଙ୍ଗାନା ଖମାମ ଜିଲ୍ଲାର ୟେଲାଣ୍ଡୁରେ ରହିଛି । ଏହା ଏକ ବିରଳ ପ୍ରାଚୀନ  ମନ୍ଦିର । ଯେଉଁଠି ସୁବର୍ଚଲା ଦେବୀଙ୍କ ସହିତ ହନୁମାନଙ୍କ ପ୍ରତିମା ବିରାଜମାନ । ଭକ୍ତମାନେ ଏହି ସ୍ଥାନକୁ ଏକ ଅନନ୍ୟ ବିଶ୍ବାସ ସହ ପରିଦର୍ଶନ କରନ୍ତି । ବିଶ୍ବାସ କରାଯାଏ ଯିଏବି ହନୁମାନ ଓ ତାଙ୍କ ପତ୍ନୀ ସୁବର୍ଚଲାଙ୍କୁ ଦର୍ଶନ କରିଥାଏ ସେମାନଙ୍କର ବୈବାହିକ ଜୀବନର ସବୁ ଚିନ୍ତା ଦୂର ହୋଇଯାଏ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଆହୁରି ଗାଢ ହୋଇଥାଏ । ମନ୍ଦିର ଏହାର ରୀତିନୀତି ଏବଂ ମୂର୍ତ୍ତି ମାଧ୍ୟମରେ ଏକ ଭିନ୍ନ କାହାଣୀ କୁହେ । ଏହା ନୀରବରେ ଏକ କାହାଣୀକୁ ସାଇତି ରଖିଛି । ବିଶ୍ବବାସୀଙ୍କ ପାଇଁ ଏହା ଇତିହାସ ପ୍ରମାଣ କରେନି ବରଂ ସଂପର୍କରେ ବିଶ୍ବାସ,ସନ୍ତୁଳନ ଏବଂ ସମନ୍ବୟ ସହିତ ଏକ ଗଭୀର ସଂଯୋଗ ଅନୁଭବ କରାଏ ।

Also Read:https://www.prameyanews7.com/how-to-find-out-how-much-gas-is-left-in-the-cylinder