ଲକ୍ଷ୍ନୌ: ଭାରତୀୟ ସଂସ୍କୃତି ପ୍ରତି ଶ୍ରଦ୍ଧା ଏକ ଜାପାନୀ ଦମ୍ପତିଙ୍କୁ ସାଥିରେ ରହିବାକୁ ପ୍ରେରଣା ଦେଇଛି । ୪ ବର୍ଷ ପୂର୍ବରୁ ଦୁହେଁ ଅଲଗା ହୋଇଯାଇଥିଲେ, କିନ୍ତୁ ଭାରତୀୟ ବିବାହ ପରମ୍ପରା ସେମାନଙ୍କୁ ପୁଣି ଥରେ ଏକାଠି କରିଦେଇଛି । ସବୁଠାରୁ ବଡ଼ କଥା ହେଉଛି, ଲକ୍ଷ୍ନୌର ଗୋମତୀ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହିନ୍ଦୁ ରୀତିନୀତିରେ ପୁନର୍ବିବାହ କରିଛନ୍ତି ଜାପାନୀ ଦମ୍ପତି । ହିରୋ ଚିହାରା ଏବଂ ଶିଜୁ ନାମକ ଏହି ଦମ୍ପତି ନଭେମ୍ବର ୨୩ ତାରିଖରେ ଲକ୍ଷ୍ନୌର ଗୋମତୀ ନଗର ସ୍ଥିତ ରାଧା-କୃଷ୍ଣ ମନ୍ଦିରରେ ସେମାନଙ୍କର ତିନି ସନ୍ତାନ, ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। 

୨୦୨୩ ମସିହାରେ ପୁଣି ଥରେ ଏକାଠି ହୋଇଥିବା ଏହି ଦମ୍ପତି ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଥିବା ସେମାନଙ୍କର ଗଭୀର ଭଲପାଇବା କାରଣରୁ ନିଜ ବିବାହ ପାଇଁ ଭାରତକୁ ବାଛିଥିଲେ। ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିବାର ସେମାନଙ୍କର ଏହି ନିଷ୍ପତ୍ତି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ ଉତ୍ସବରେ ହିରୋ ଏବଂ ଶିଜୁ ସମ୍ପୂର୍ଣ୍ଣ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିଥିଲେ । ବର ହିରୋ କୁର୍ତ୍ତା-ପାଇଜାମା ପିନ୍ଧିଥିବା ବେଳେ କନିଆ ଶିଜୁ ସାଲୱାର-କୁର୍ତ୍ତା ପରିଧାନ କରିଥିଲେ।  ବିବାହରେ ଗେଣ୍ଡୁ ଫୁଲର ବରମାଳା ବଦଳ, ସିନ୍ଦୂର ଦାନ ଏବଂ ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେବା ଭଳି ସମସ୍ତ ପାରମ୍ପରିକ ହିନ୍ଦୁ ରୀତିନୀତି ପାଳନ କରାଯାଇଥିଲା। 

ବିବାହର ଭିଡିଓରେ ଦମ୍ପତି ଏକାଠି ବସି ବରମାଳା ପିନ୍ଧାଉଥିବା ଏବଂ ସମସ୍ତ ବିଧିବିଧାନରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହି ଖୁସିର ମୁହୂର୍ତ୍ତରେ ସେମାନଙ୍କର ତିନି ପିଲା ମଧ୍ୟ ଉପସ୍ଥିତ ଥିଲେ ।  ହିରୋ ଚିହାରା କହିଛନ୍ତି ଯେ,‘ଏତେ ସୁନ୍ଦର ଭାବରେ ବିବାହ କରିବା ଆମ ପାଇଁ ଏକ ଅତ୍ୟନ୍ତ ମୂଲ୍ୟବାନ ଅନୁଭୂତି। ୨୦୨୨ରେ ଆମର ଛାଡ଼ପତ୍ର ହୋଇଥିଲା, କିନ୍ତୁ ପରେ ଆମେ ପରଷ୍ପରକୁ ପୁଣି ବିବାହ କରିବାକୁ ନିଷ୍ପତ୍ତି ନେଲୁ। ଆମେ ଭାରତକୁ ବହୁତ ଭଲପାଉ ଏବଂ ଆମେ ଚାହୁଁଥିଲୁ ,ଆମର ବିବାହ ଭାରତରେ ହିଁ ହେଉ।’

ରିପୋର୍ଟ ଅନୁଯାୟୀ, ହିରୋ ଏବଂ ଶିଜୁ ସେମାନଙ୍କର ଭାରତୀୟ ବନ୍ଧୁମାନଙ୍କ ପ୍ରେରଣାରେ ୨୦୨୩ ମସିହାରେ ପୁନର୍ବାର ଏକାଠି ହୋଇଥିଲେ। ନଭେମ୍ବର ୨୧ ତାରିଖରେ ସେମାନଙ୍କର ଜଣେ ବନ୍ଧୁ ପଙ୍କଜ ଯୋଶୀଙ୍କ ବିବାହରେ ଯୋଗଦେବା ପାଇଁ ଏହି ଦମ୍ପତି ନିଜ ପରିବାର ସହ ଲକ୍ଷ୍ନୌ ଆସିଥିଲେ। ତେବେ ଭାରତ ଗସ୍ତ ସମୟରେ ଏଠାକାର ବିବାହ ପରମ୍ପରା ଦେଖି ସେମାନେ ଏତେ ପ୍ରଭାବିତ ହୋଇଥିଲେ ଯେ, ନିଜ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ଗୋମତୀ ନଗର ସ୍ଥିତ ରାଧା-କୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।