ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟ୍ରେନରେ କପଫର୍ମ ଟିକେଟ୍‌ ମିଳିବା ମୁସକିଲ ହୋଇପଡ଼ୁଛି । ଟିକେଟ୍‌ କପଫର୍ମ ପାଇଁ ମାସେ ପୂର୍ବରୁ ବୁକିଂ କରିବାକୁ ପଡ଼ୁଛି । କିନ୍ତୁ ଅନେକ ସମୟରେ ଓେଟିଂ ଲିଷ୍ଟ କିମ୍ବା ଆରଏସି (ରିଜର୍ଭେସନ ଏଗେନଷ୍ଟ କ୍ୟାନସେଲେସନ୍‌) ହୋଇପାରୁଛି । ଏଭଳି ସ୍ଥିତିରେ ଥରେ ଚିନ୍ତା କଲେ, ଆପଣଙ୍କ ଟିକେଟ କପଫର୍ମ ହୋଇଯାଇଛି, କିନ୍ତୁ ଟ୍ରେନ୍‌ର ବଗିରେ ସେହି ସିଟ୍‌ ନମ୍ବର ନାହିଁ, କେମିତି ଲାଗିବ ? ଜଣେ ଯାତ୍ରୀଙ୍କ ସହିତ ଏଭଳି ଘଟଣା ଘଟିଛି । ଅଭିଯୋଗ ପାଇବା ପରେ ରେଳବାଇ ତଦନ୍ତ ଆରମ୍ଭ କରିଥିବା ବେଳେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭାରତୀୟ ରେଳବାଇରେ ଯାତ୍ରା କରିଥିବା ଜଣେ ବ୍ୟକ୍ତିଙ୍କୁ ଅସୁବିଧାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ବାରାଣସୀ ସିଟିରୁ ଗୋରଖପୁର ଅଭିମୁଖେ ଯାଉଥିବା ଏକ ଟ୍ରେନରେ ଯାତ୍ରା କରିବା ସମୟରେ ସମ୍ପୃକ୍ତ ଯାତ୍ରୀଙ୍କ ପାଖରେ କନଫର୍ମ ଟିକେଟ୍ ଥିବା ସତ୍ତ୍ୱେ ତାଙ୍କୁ ବସିବା କିମ୍ବା ଶୋଇବା ପାଇଁ କୌଣସି ସିଟ୍ ମିଳିନଥିଲା। କାରଣ, ତାଙ୍କ ଟିକେଟରେ ଏ୧ (A1) କୋଚ୍‌ର ୫୪ ନମ୍ବର ବର୍ଥ ଆବଣ୍ଟିତ ହୋଇଥିବା ବେଳେ ପ୍ରକୃତରେ ସେହି କୋଚ୍‌ରେ ମାତ୍ର ୫୨ଟି ବର୍ଥ ହିଁ ରହିଥିଲା।

ଇଶାନ ବାଜପେୟୀ ନାମକ ଜଣେ ସୋସିଆଲ ମିଡିଆ 'ଏକ୍ସ' (X) ବ୍ୟବହାରକାରୀ ଏହି ଘଟଣାର ଏକ ଭିଡିଓ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। 
ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଟ୍ରେନ୍ କୋଚ୍ ଭିତରକୁ ପ୍ରବେଶ କରି ନିଜର ଆବଣ୍ଟିତ ସିଟ୍ ଖୋଜୁଛନ୍ତି । କୋଚ୍‌ରେ ଥିବା ବର୍ଥ ସଂଖ୍ୟାକୁ ରେକର୍ଡ କରୁଛନ୍ତି। ଇଶାନ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଟିକେଟରେ ବର୍ଥ ନମ୍ବର A1/54 କନଫର୍ମ ହୋଇଥିଲା । କିନ୍ତୁ କୋଚ୍‌ରେ ଶେଷ ବର୍ଥ ସଂଖ୍ୟା ୫୨ ଥିବାରୁ ରାତ୍ରିକାଳୀନ ଯାତ୍ରାରେ ତାଙ୍କୁ ବିନା ସିଟ୍‌ରେ ଯାତ୍ରା କରିବାକୁ ପଡ଼ିଥିଲା। ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଏଭଳି ଘଟଣା ଘଟିଥିବାରୁ ଏହା ତାଙ୍କ ପାଇଁ ଅତ୍ୟନ୍ତ ବିରକ୍ତିକର ଓ କଷ୍ଟଦାୟକ ଥିଲା । ଏନେଇ ସେ ରେଳବାଇ ହେଲ୍ପଲାଇନ୍ ନମ୍ବର ୧୩୯ ମାଧ୍ୟମରେ ଅଭିଯୋଗ ଦାଖଲ କରିବା ସହ ନିଜ କନଫର୍ମ ଟିକେଟର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି ।

ସେପଟେ ତାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି 'ରେଲୱେ ସେବା' ପକ୍ଷରୁ କୁହାଯାଇଛି ଯେ, ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲାକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଥଟ୍ଟା କରି କହିଛନ୍ତି ଯେ, ରେଳବାଇ ଏବେ କୋଚ୍‌ରେ ଥିବା ସିଟ୍ ସଂଖ୍ୟାଠାରୁ ଅଧିକ ବର୍ଥ ଆବଣ୍ଟନ କରିବାରେ ସଫଳ ହୋଇଛି। ସେହିପରି ଆଉ କିଛି ୟୁଜର୍ସ ସିଟ୍ ଆବଣ୍ଟନ ସିଷ୍ଟମରେ କିପରି ଏଭଳି ତ୍ରୁଟି ହେଲା ଏବଂ କୋଚ୍‌ରେ ନଥିବା ବର୍ଥ ନମ୍ବର କିପରି ଜାରି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି।