ନୂଆଦିଲ୍ଲୀ: ପଶ୍ଚିମ ଏସିୟା ସଂକଟ ମଧ୍ୟରେ ଇନ୍ଧନ, ବିଦ୍ୟୁତ ଓ ମେନୁଫେକ୍ଚରିଂ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ ମାର୍ଚ୍ଚ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୩ ବର୍ଷ ଅର୍ଥାତ ୩୮ ମାସର ସର୍ବୋଚ୍ଚସ୍ତର ୩.୮୮%କୁ ପହଞ୍ଚି ଯାଇଛି। ବୁଧବାର ଜାରି ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି। ପାଇକାରୀ ମୂଲ୍ୟ ସୂଚକାଙ୍କ(ଡବ୍ଲୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ମାର୍ଚ୍ଚରେ ଲଗାତାର ପଞ୍ଚମ ମାସ ବୃଦ୍ଧି ହୋଇଛି। ପ୍ରାଥମିକ ଖାଦ୍ୟପଦାର୍ଥ ମୂଲ୍ୟ ସ୍ଥିର ଥିବା ବେଳେ ମୁଖ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ହୋଇଛି।

ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ-ଇରାନ ସଂଘର୍ଷ ଆରମ୍ଭ ପରେ ଶକ୍ତି କ୍ଷେତ୍ରରେ ଦେଖା ଦେଇଥିବା ବୃଦ୍ଧି ମାର୍ଚ୍ଚରେ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ପାଲଟିଛି। ଡବ୍ଲୁପିଆଇ ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ ୨.୧୩ ଓ ମାର୍ଚ୍ଚ ୨୦୨୫ରେ ୨.୨୫% ଥିଲା। ଉଦ୍ୟୋଗମନ୍ତ୍ରାଳୟ ବୟାନରେ କହିଛି ଯେ ଅଶୋଧିତ ପେଟ୍ରୋଲିୟମ ଓ ପାକୃତିକ ଗ୍ୟାସ୍, ଅନ୍ୟ ମେନୁଫେକ୍ଚରିଂ ବସ୍ତୁ, ଅଣ ଖାଦ୍ୟ ସାମଗ୍ରୀ, ମୂଳ ଧାତୁ ଓ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଏହି ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ।

ଡବ୍ଲୁପିଆଇ ତଥ୍ୟ ଅନୁସାରେ ଇନ୍ଧନ ଓ ବିଦ୍ୟୁତ ଶ୍ରେଣୀରେ ମୁଦ୍ରାସ୍ଫୀତି ମାର୍ଚ୍ଚରେ ବଢି ୧.୦୫% ହୋଇଯାଇଛି। ତେବେ ଫେବୃଆରୀ ମାସରେ ଏଥିରେ ୩.୭୮% ହ୍ରାସ ରେକର୍ଡ କରାଯାଇଥିଲା। ଅଶୋଧିତ ପେଟ୍ରୋଲିୟମ ମୁଦ୍ରାସ୍ଫୀତି ମାର୍ଚ୍ଚ ମାସରେ ବଢି ୫୧.୫୭% ହୋଇଯାଇଛି। ତେବେ ଏହା ପୂର୍ବ ମାସରେ ଏଥିରେ ୧.୨୯% ହ୍ରାସ ଦେଖାଯାଇଥିଲା। ଉତ୍ପାଦିତ (ମେନୁଫେକ୍ଚର୍ଡ) ସାମଗ୍ରୀର ମୁଦ୍ରାସ୍ଫୀତି ହାର ଫେବୃଆରୀର ୨.୯୨% ରୁ ବଢି ମାର୍ଚ୍ଚ ମାସରେ ୩.୩୯% ହୋଇ ଯାଇଛି।

ଫାଇନାନସିଆଲ ସର୍ଭିସେସ କମ୍ପାନୀ ବାର୍କଲେଜ କହିଛି ଯେ ‘ବୈଶ୍ୱିକ ଏନର୍ଜୀ ଦର ଲଗାତାର ଉଚ୍ଚସ୍ତରରେ ରହିବା ଧିରେ ଧିରେ ଅନ୍ୟ ସାମଗ୍ରୀର ମୂଲ୍ୟକୁ ପ୍ରଭାବିତ କରିଛି। ଏଥିରୁ ସଂସ୍ଥା ଏକ ଆକଳନ କରିଛି ଯେ ଆଗକୁ ପାଇକାରୀ ମୁଦ୍ରାସ୍ଫୀତି ଆହୁରି ବଢିବ’। ତେବେ ଖାଦ୍ୟବସ୍ତୁ ମୁଦ୍ରାସ୍ଫୀତି ହାର ଫେବୃଆରୀର ୨.୧୯% ସ୍ଥାନରେ ମାର୍ଚ୍ଚରେ ୧.୯୦%କୁ ଓହ୍ଲାଇ ଆସିଥିଲା। ଏଥିରେ ପନିପରିବା ମୁଦ୍ରାସ୍ଫୀତି ୧.୪୫%କୁ ହ୍ରାସ ହୋଇଥିଲା ଯାହା ଫେବୃଆରୀରେ ୪.୭୩% ଥିଲା।

ଏଥିରେ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥଶାସ୍ତ୍ରୀ ସୋନଲ ବଧାନ ଆକଳନ କରିଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ବଢି ରହିଲେ ଆଗାମୀ ମାସମାନଙ୍କରେ ଏହାର ପ୍ରଭାବ ସମଗ୍ର ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିପାରେ। ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଇରାନ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ୫୦%ରୁ ଅଧିକ ବୃଦ୍ଧି ହୋଇଛି। ଭାରତ ସରକାର ମାର୍ଚ୍ଚ ୨୬ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୧୦ ଟଙ୍କା ଉତ୍ପାଦଶୁଳ୍କ ହ୍ରାସ କରିଥିଲେ। ଉତ୍ପାଦ ଶୁଳ୍କରେ ଏହି ହ୍ରାସ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ତୀବ୍ର ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଥିଲା, ଯାହା ପ୍ରତି ବ୍ୟାରଲ ୭୦ ଡଲାରରୁ ବଢି ୧୨୨ ଡଲାରକୁ ପହଞ୍ଚି ଯାଇଥିଲା।

ଏହା ପୂର୍ବରୁ ଜାରି ତଥ୍ୟ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚମାସରେ ବଢି ୩.୪% ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ପ୍ରାରମ୍ଭ ରେ ଜାରି ଆର୍ଥିକ ବର୍ଷ ୨୦୨୬-୨୭ ତାଙ୍କର ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ଉପସ୍ଥାପନ କରି ପ୍ରମୁଖ ନୀତିଗତ ହାର ରେପୋକୁ ୫.୨୫%ରେ ଯଥାବତ ରଖିଥିଲେ। ଆରବିଆଇ ନୀତିଗତ ହାର ନିର୍ଦ୍ଧାରଣ ଲାଗି ମୁଖ୍ୟ ରୂପେ ଖୁଚୁରା ମୁଦ୍ରାସ୍ଫୀତିକୁ ଆଧାର କରିଥାନ୍ତି।