ଭୁବନେଶ୍ୱର: କିଏ ହେବ ଓଡ଼ିଶାର ନୂଆ ପୁଲିସ ମହାନିର୍ଦ୍ଦେଶକ(ଡିଜିପି)? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୧୬ ତାରିଖରେ ଡିଜିପି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଥିବାରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରିଷ୍ଠତା ଦୃଷ୍ଟିରୁ ୧୯୯୦ରୁ ୧୯୯୩ ବ୍ୟାଚ୍ ମଧ୍ୟରେ ଓଡ଼ିଶା କ୍ୟାଡର୍ର ପାଞ୍ଚ ଜଣ ଆଇପିଏସ୍ ଅଧିକାରୀ ରହିଛି । ସେମାନେ ହେଲେ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୨ ବ୍ୟାଚର ସ୍ଵପ୍ନ ତିୱାରୀ, ୧୯୯୩ ବ୍ୟାଚର ତିନି ଜଣ ସୁଶାନ୍ତ ନାଥ, ବିନୟତୋଷ ମିଶ୍ର ଓ ଆର୍ ପି କୋଚେ।

ଏମାନଙ୍କ ମଧ୍ୟରୁ ସ୍ୱପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ଓଡ଼ିଶା ଫେରିବାର ସମ୍ଭାବନା କ୍ଷୀଣ। ୧୯୯୩ ବ୍ୟାଚର ବିନୟତୋଷ ମିଶ୍ର ନଭେମ୍ବର ୩ ତାରିଖରେ ଅବସର ନେବେ। ନିୟମ ଦୃଷ୍ଟିରୁ ଡିଜିଙ୍କ ଅବସର ସମୟ ଠାରୁ ପରବର୍ତ୍ତୀ ଡିଜିଙ୍କ ଅବସର ତାରିଖ ମଧ୍ୟରେ ଅତି କମରେ ୬ମାସ ସମୟ ରହିବା କଥା।ଏଣୁ ତାଙ୍କ ନାମ ବିଚାରକୁ ନିଆଯିବ ନାହିଁ। ନାମ ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ଆଗରେ ରହିଛି। ତାଙ୍କ ପଛକୁ ରହିଛନ୍ତି ସୁଶାନ୍ତ ନାଥ ଓ ଆର୍ ପି କୋଚେ। ଶ୍ରୀ ଷଡ଼ଙ୍ଗୀ ଏବେ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିପେନ୍ସର ଡିଜି ଦାୟିତ୍ବରେ ଅଛନ୍ତି।

ପୂର୍ବରୁ କଟକ-ଭୁବନେଶ୍ଵରର ପୁଲିସ କମିସନର୍ ଭାବେ ଆଇନଶୃଙ୍ଖଳା ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାର ଅଭିଜ୍ଞତା ମଧ୍ୟ ରହିଛି। ସେହିଭଳି ଶ୍ରୀ ନାଥ ଏବେ ଜେଲ୍ ଡିଜି ଦାୟିତ୍ୱରେ ରହିଛନ୍ତି। ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ବିଭାଗ କାମ କରି ନିଜ କାର୍ଯ୍ୟଦକ୍ଷତା ଦେଖାଇଛନ୍ତି। ଶ୍ରୀ କୋଚେ ଏବେ ଓଡ଼ିଶା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ଵରେ ଅଛନ୍ତି ପୂର୍ବରୁ ସେ ଆଇନଶୃଙ୍ଖଳା ଏଡିଜି ଭାବେ ନିଜ ଦକ୍ଷତା ଦେଖାଇଛନ୍ତି।

ବର୍ତ୍ତମାନର ସରକାର କ୍ଷମତାକୁ ଆସିଲା ପରେ ମୁଖ୍ୟ ଶାସନ ସଚିବ ଭାବେ ଲଗାତାର ଦୁଇ ଜଣ ଅଣଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଡିଜି ଭାବେ ମଧ୍ୟ ଅଣଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଅବଶ୍ୟ ସର୍ବଭାରତୀୟ ସେବା ଚାକିରିରେ ଓଡ଼ିଆ-ଅଣଓଡ଼ିଆ କିଛି ପ୍ରାସଙ୍ଗିକତା ରଖେନି। କାର୍ଯ୍ୟଦକ୍ଷତା ଓ ବରିଷ୍ଠତା ଏକମାତ୍ର ଯୋଗ୍ୟତା ।

କିନ୍ତୁ ବର୍ତ୍ତମାନର ସରକାର ଓଡ଼ିଆ ଅସ୍ମିତାର ନାରା ଦେଇଥିବାରୁ ସମାଲୋଚିତ ହେଉଛନ୍ତି। ଏବେ ଡିଜି ନିଯୁକ୍ତିରେ ଓଡ଼ିଆ ଅଧିକାରୀଙ୍କୁ ହିଁ ପ୍ରାଧାନ୍ୟ ଦିଆଯିବ ବୋଲି କୁହାଯାଉଛି। ଏହି ତିନି ଅଧିକାରୀଙ୍କ ଏନ୍ଓସି ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଫାଇଲ୍ ପଠାଯାଇଛି। ଡିଜି ଅବସର ନେବାର ତିନି ମାସ ପୂର୍ବରୁ ଅର୍ଥାତ ମେ’ ୧୬ ତାରିଖ ପୂର୍ବରୁ ଏହି ନାମଗୁଡ଼ିକ ୟୁପିଏସସିକୁ ପଠାଯିବ।