ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ବରିଷ୍ଠ ଆଡଭୋକେଟ୍ ରାଜଦୀପାଙ୍କୁ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ବିରୋଧରେ କଥିତ ଆପତିଜନକ ସୋସିଆଲ ମିଡିଆ ପୋଷ୍ଟ ମାମଲାରେ ସହାୟତା ନିମନ୍ତେ ‘ଆମିକସ କ୍ୟୁରୀ’ ନିଯୁକ୍ତ କରିଛନ୍ତି। ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଦିଲ୍ଲୀ ଉତ୍ପାଦ ଶୁଳ୍କ ମାମଲାର ଶୁଣାଣି କରୁଥିଲେ। ରାଜଦୀପା ବେହୁରା ଏହା ପୂର୍ବରୁ ଦିଲ୍ଲୀ ସରକାରଙ୍କ ଅତିରିକ୍ତ ସ୍ଥାୟୀ ଓକିଲ ରୂପେ ଓ ସିବିଆଇର ସ୍ପେଶାଲ ପ୍ରସିକ୍ୟୁଟର ରୂପେ ମଧ୍ୟ କାମ କରିଛନ୍ତି। ଆମିକସ୍ କ୍ୟୁରୀ ଏକ ଲାଟିନ ଶବ୍ଦ ଯାହା ନ୍ୟାୟାଳଙ୍କ ମିତ୍ର ବା ଏପରି ବ୍ୟକ୍ତିଙ୍କୁ ସନ୍ଦର୍ଭିତ କରିଥାଏ ଯିଏ କୌଣସି ଆଇନଗତ ମାମଲାରେ ପ୍ରତ୍ୟକ୍ଷ ରୂପେ ପକ୍ଷକାର ହୁଅନ୍ତି ନାହିଁ, ହେଲେ ମାମଲାରେ ବିଶେଷଜ୍ଞତା ଓ ଅନ୍ତର୍ଦୃଷ୍ଟି ଦେଇ ନ୍ୟାୟାଳୟଙ୍କୁ ସହାୟତା କରିବାକୁ ଅନୁମତି ପ୍ରାପ୍ତ କରିଥାନ୍ତି।

ରାଜଦୀପା ବେହୁରାଙ୍କୁ ୨୦୨୪ରେ ଆବେଦନ କରିଥିବା ୩୦୦ ଓକିଲଙ୍କ ମଧ୍ୟରୁ ବରିଷ୍ଠ ଆଡଭୋକେଟ୍ ରୂପେ ନାମିତ କରାଯାଇଥିଲା। ସେ ଦିଲ୍ଲୀ ହାଇକୋର୍ଟଙ୍କ ସ୍ଥାୟୀ କମିଟି ୩୦୦ ଓକିଲଙ୍କ ସାକ୍ଷାତକାର ନେବା ପରେ ୭୧ ଜଣ ଓକିଲଙ୍କ ମଧ୍ୟରେ ତାଙ୍କୁ ଜଣେ ବାଛିଥିଲେ। ବେହୁରାଙ୍କର ଅପରାଧିକ ଓ ସିଭିଲ କେସ୍ ଶୃଙ୍ଖଳାରେ ୨୫ ବର୍ଷର ଅଭିଜ୍ଞତା ରହିଛି। ଏହା ଛଡା ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ନବୀନ ଚାୱଲା ଓ ଜଷ୍ଟିସ୍ ରବିନ୍ଦ୍ର ଦୁଡେଜାଙ୍କ ଦୁଇ ଜଣିଆ ପୀଠ ଅବମାନନାର ଦୁଇଟି ମାମଲାକୁ ଗୋଟିଏ କେସ୍ ରେ ପରିଣତ କରିଛନ୍ତି। ଏଥିରୁ ଗୋଟିଏ ମାମଲା ଜଷ୍ଟିସ୍ ଶର୍ମାଙ୍କ ଦ୍ୱାରା କେଜରିୱାଲ ଓ ଅନ୍ୟଙ୍କ ବିରୋଧରେ ଉତ୍ପାଦ ଶୁଳ୍କ ନୀତି ମାମଲାରେ ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ମାମଲାଟି ଆଡଭୋକେଟ୍ ଅଶୋକ ଚୈତନ୍ୟଙ୍କ ଦ୍ୱାରା ତାଙ୍କ ବିରୋଧରେ ରୁଜୁ କରାଯାଇଥିଲା। ଏହି ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୪ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଦ୍ୱାରା କରାଯିବ।

ଏହି ମାମଲା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି (ଆପ) ସରକାର ଦ୍ୱାରା ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତି ୨୦୨୨ ସିବିଆଇ ଯାଞ୍ଚ ମାମଲା ସମ୍ପର୍କିତ। ଫେବୃଆରୀ ୨୦୨୬ରେ ନିମ୍ନ କୋର୍ଟ କେଜରିୱାଲଙ୍କ ସମେତ ମାମଲାର ସମସ୍ତ ୨୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। କୋର୍ଟଙ୍କ ଏହି ଆଦେଶକୁ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ସିବିଆଇ ଆବେଦନ ଉପରେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଶୁଣାଣି ଆରମ୍ଭ କରିଥିଲେ। ତେବେ ପରେ ସେ ନିଜକୁ ନିଜେ ମାମଲାରୁ ଓହରି ଯାଇଛନ୍ତି।