ନୂଆଦିଲ୍ଲୀ :  ରାଜନୀତିରେ ମାତ୍ର ସାତ ବର୍ଷର ଯାତ୍ରା , କିନ୍ତୁ ବେଶ୍ ପ୍ରଭାବୀ । ଅଗ୍ନି ଭଳି ଅଗ୍ନିମିତ୍ରା। ପଶ୍ଚିମବଙ୍ଗରେ ବିଜେପିର ମହିଳା ବ୍ରିଗେଡ୍ କୁ ନେଇ ସେ ମମତାଙ୍କୁ ଦେଇଥିଲେ ଚକ୍ମା । ଫେଶନ ଡିଜାଇନରରୁ ଏଣ୍ଟର ପ୍ରେନ୍ୟୁଅର, ତାପରେ ରାଜନୀତି ଆଉ ଏବେ ଉପ ମୁଖ୍ୟମନ୍ତ୍ରୀ। ଦଳରେ ଯେମିତି ପ୍ରଭାବୀ ଜନତାଙ୍କ ମଧ୍ୟରେ ବି ସେମିତି ପତିଆରା । ଦକ୍ଷିଣ ଆସାନସୋଲର ଦୁଇବାର ବିଧାୟିକା । ନିଜର ବ୍ୟକ୍ତିତ୍ବ ପାଇଁ ସେ ବେଙ୍ଗଲରେ କେବଳ ବିଜେପିର ଫେସ ନୁହନ୍ତି , ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀର ଦାବିଦାର । ତେବେ ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ସନ୍ତୁଷ୍ଟ କରିଛି, ସୁଯୋଗ ଦେଇଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି। ୨୦୭ ଆସନ ଜିତି ଦଳ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ସହିତ ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନର ଅନ୍ତ ଘଟାଇଛି। ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା ହୋଇସାରିଥିବା ବେଳେ ରାଜ୍ୟ ପାଇଁ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି- ନିଶୀଥ ପ୍ରାମାଣିକ ଏବଂ ଅଗ୍ନିମିତ୍ରା ପଲ୍। କିନ୍ତୁ ବେଙ୍ଗଲର ପ୍ରଥମ ବିଜେପି ସରକାରରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା ପଲ୍। ଦକ୍ଷିଣ ଆସାନସୋଲ୍ ଦକ୍ଷିଣ ଆସନରେ TMC ର ତାପସ ବାନାର୍ଜୀଙ୍କୁ ୪୦,୮୩୯ ଭୋଟର ପରାସ୍ତ କରିଛନ୍ତି ଅଗ୍ନିମିତ୍ରା । ରାଜନୀତିକୁ ଆସିବା ପୂର୍ବରୁ ଅଗ୍ନିମିତ୍ରା ଥିଲେ ବଲିଉଡର ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍! ଗ୍ଲାମର୍ ଦୁନିଆରୁ ବାହାରି ପଶ୍ଚିମବଙ୍ଗର ଉପ-ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ... ଅଗ୍ନିମିତ୍ରାଙ୍କ ଯାତ୍ରା ବେଶ୍ ରୋଚକ...

୨୫ ନଭେମ୍ବର ୧୯୭୪ ମସିହା, ଆସାନସୋଲର ଏକ ସମ୍ଭ୍ରାନ୍ତ ଡାକ୍ତର ପରିବାରରେ ଜନ୍ମଗ୍ରହଣ କରିଥିଲେ ଅଗ୍ନିମିତ୍ରା। ବାପା ଡକ୍ଟର ଅଶୋକ ରାୟ ଜଣେ ପ୍ରସିଦ୍ଧ ଶିଶୁ ରୋଗ ବିଶେଷଜ୍ଞ। ଲୋରେଟୋ କନଭେଣ୍ଟରୁ ସ୍କୁଲ୍ ଶିକ୍ଷା ଶେଷ କରିବା ପରେ ଡାକ୍ତର କିମ୍ବା ଇଞ୍ଜିନିୟର ହେବା ଚାହୁଁଥିଲେ ଅଗ୍ନିମିତ୍ରା । କିନ୍ତୁ ବାଟ ଥିଲା ଅଲଗା । ୧୯୯୪ ରେ ସେ ବନୱାରିଲାଲ ଭାଲୋଟିଆ କଲେଜରୁ ବିଜ୍ଞାନରେ ସ୍ନାତକ କଲେ । ତାପରେ ୧୯୯୭ ରେ ଫ୍ୟାଶନ୍ ଡିଜାଇନିଂରେ ଡିପ୍ଲୋମା ।ଯାଦବପୁର ଯୁନିଭରସିଟିରୁ ଏମ୍ବିଏ ବି କରିଛନ୍ତି ଅଗ୍ନିମିତ୍ରା । ୯୦ ଦଶକର ଶେଷ ଭାଗରେ ସେ ନିଜର ବ୍ରାଣ୍ଡ INGA ଆରମ୍ଭ କରିଥିଲେ। ଖୁବ୍ କମ୍ ଦିନରେ ସେ କୋଲକାତାର ସବୁଠାରୁ ସଫଳ ଡିଜାଇନର୍ ପାଲଟିଗଲେ। ଶ୍ରୀଦେବୀ, ମିଥୁନ ଚକ୍ରବର୍ତ୍ତୀ, କାଜୋଲ୍ ଏବଂ ଇଶା ଦେଓଲଙ୍କ ଭଳି ବଲିଉଡ୍ ତାରକାଙ୍କ ପାଇଁ ସେ ପୋଷାକ ଡିଜାଇନ୍ କରୁଥିଲେ। ଜଣେ ସଫଳ ଉଦ୍ୟୋଗୀ ପାର୍ଥୋ ପାଲଙ୍କୁ ବିବାହ କରିଛନ୍ତି ସେ ଏବଂ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି।

ବୃତ୍ତିଗତ ଜୀବନରେ ସଫଳତାର ଶୀର୍ଷରେ ଥିଲେ ବି ଅଗ୍ନିମିତ୍ରାଙ୍କ ମନରେ ଏକ ଶୂନ୍ୟସ୍ଥାନ ଥିଲା। ସମାଜ ପାଇଁ କିଛି କରିବାର ଗଭୀର ଇଚ୍ଛା ତାଙ୍କୁ ଏହି ଗ୍ଲାମର୍ ଦୁନିଆରୁ ଟାଣି ଆଣିଥିଲା ରାଜନୀତିର ଖରାତରା ଭିତରକୁ। ତା'ପରେ ଆରମ୍ଭ ହେଲା ଜଣେ 'ଭୂମିପୁତ୍ରୀ'ର ନୂଆ ଅଧ୍ୟାୟ। ମାଟି ସହ ଯୋଡ଼ି ହେବା ପାଇଁ ସେ ପଶ୍ଚିମବଙ୍ଗର ସାମାଜିକ ସ୍ଥିତିକୁ ଅତି ନିକଟରୁ ଅଧ୍ୟୟନ କଲେ ସେ ।

୨୦୧୯ ମସିହାରେ ବିଜେପିରେ ଯୋଗ ଦେଲେ । ତାଙ୍କର ପ୍ରଭାବ ପୁରା ଦଳର ମନୋଭାବ ଉପରେ ପଡିଲା ଖୁବଶୀଘ୍ର ତାଙ୍କୁ ଦଳର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଦାୟିତ୍ବ ମିଳିଲା। ୨୦୨୧ ବିଧାନସଭା ନିର୍ବାଚନରେ ଦକ୍ଷିଣ ଆସାନସୋଲ୍ ବିଧାନସଭା ଆସନରେ ସେ ପ୍ରଥମ ଥର ଲଢ଼ିଲେ । ଆଉ ଏକ କଡ଼ା ଟକ୍କରରେ ଟିଏମସିର ବହୁ ଚର୍ଚ୍ଚିତ ନେତ୍ରୀ ସାୟୋନି ଘୋଷଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରଲେ। ବିଧାୟିକା ହେବା ପରେ ଅବୈଧ ବାଲି ଖାଦାନ, ଜବରଦଖଲ, ଏବଂ ସବୁଠାରୁ ବଡ଼ କଥା- ପଶ୍ଚିମବଙ୍ଗରେ ହେଉଥିବା ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ସେ ଦିଦିଙ୍କ ତୃଣମୂଳ ସରକାର ବିରୋଧରେ ଗର୍ଜିଲେ। ବଙ୍ଗଳାରେ ସେ ବିଜେପିର 'ମହିଳା ଶକ୍ତି'ର ଏକ ନିର୍ଭୀକ ଚେହେରା ପାଲଟିଗଲେ।ଯଦିଓ ୨୦୨୨ ଏବଂ ୨୦୨୪ରେ ଦୁଇଟି ଲୋକସଭା ଉପନିର୍ବାଚନଏବଂ ନିର୍ବାଚନ ସେ ହାରିଲେ , କିନ୍ତୁ ତାହା ତାଙ୍କୁ ରୋକି ନଥିଲା । ୨୦୨୬ ନିର୍ବାଚନରେ ତାଙ୍କ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ଥିଲା ଶିଳ୍ପର ବିକାଶ ଏବଂ ମହିଳା ସୁରକ୍ଷା। ନିଜର ସ୍ବଚ୍ଛ ଭାବମୂର୍ତ୍ତି ଏବଂ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ ତାଙ୍କୁ ଦେଲା ରେକର୍ଡ ମାର୍ଜିନର ବିଜୟ । ଆଜି ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ମିଳିଛି।

Tamil Nadu Government Formation: ତାମିଲନାଡ଼ୁରେ ଏବେ ବିଜୟ ସରକାର, TVKକୁ ମିଳିଲା VCKର ସମର୍ଥନ ପତ୍ର

ଅଗ୍ନିମିତ୍ରାଙ୍କର କେତେ ସମ୍ପତ୍ତି ? ୨୦୨୬ ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ହେଉଛି ୩.୯ କୋଟି ଟଙ୍କା। ଏଥିରେ ୨.୬ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ଏବଂ ୧.୩ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଯେତେବେଳେ କି ତାଙ୍କ ଉପରେ ପ୍ରାୟ ୧.୨ କୋଟି ଟଙ୍କାର ଋଣ ବି ରହିଛି। ବିନା କୌଣସି ଦୁର୍ନୀତି ଅଭିଯୋଗରେ ଏକ Clean Image ରଖିଥିବା ଅଗ୍ନିମିତ୍ରା ଏବେ ନୂଆ ସରକାରରେ ପଶ୍ଚିମବଙ୍ଗର ବିକାଶର ଏକ ବଡ଼ ଦାୟିତ୍ୱ ମୁଣ୍ଡାଇବେ। ମଡେଲିଂ ଓ ଫ୍ୟାଶନ୍ ଦୁନିଆରୁ ବାହାରି ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଯାତ୍ରା... ନୂଆ ପିଢ଼ିର ଯୁବତୀମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ବଡ଼ ପ୍ରେରଣା।