ଭୁବନେଶ୍ୱର : ଶାକାହାରୀ ଖାଦ୍ୟକୁ ସାଧାରଣତଃ ସ୍ୱାସ୍ଥ୍ୟକର ଡାଏଟ୍ ଭାବେ ଧରାଯାଏ। କିନ୍ତୁ ଖାଦ୍ୟରେ ବିବିଧତା ନଥିଲେ ଶରୀରରେ କିଛି ଜରୁରୀ ପୋଷକତତ୍ତ୍ୱର ଅଭାବ ଦେଖାଦେଇପାରେ। ବିଶେଷକରି ଭିଟାମିନ୍ B12, ଆଇରନ୍, ଓମେଗା-୩, ଭିଟାମିନ୍ D ଏବଂ ଜିଙ୍କ୍ର ଆବଶ୍ୟକତା ପୂରଣ ନହେଲେ ଶରୀର ଉପରେ ପଡ଼ିପାରେ ପ୍ରଭାବ। ତେବେ ଆପଣ ଜାଣିଛନ୍ତି କି , କେଉଁ ପୋଷକତତ୍ତ୍ୱର ଅଭାବରେ କ’ଣ ସମସ୍ୟା ହୋଇପାରେ ? ତେବେ ଶାକାହାରୀ ଖାଦ୍ୟରେ ଫଳ, ପନିପରିବା, ଡାଲି, ଶସ୍ୟ ଓ ବିଭିନ୍ନ ଉଦ୍ଭିଦଜାତ ଖାଦ୍ୟ ରହିଥାଏ। କିନ୍ତୁ ଖାଦ୍ୟ ଯଦି ସନ୍ତୁଳିତ ନୁହେଁ, କିଛି ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ର ଅଭାବ ହେବାର ଆଶଙ୍କା ବଢ଼ିପାରେ।

ଏଥିରେ ପ୍ରଥମେ ଆସୁଛି 'ଭିଟାମିନ୍ B12'। ଏହା ରକ୍ତକଣିକା ତିଆରି ଏବଂ ସ୍ନାୟୁତନ୍ତ୍ରର ସାଧାରଣ କାର୍ଯ୍ୟ ପାଇଁ ଜରୁରୀ। B12 ମୁଖ୍ୟତଃ ପଶୁଜାତ ଖାଦ୍ୟରେ ମିଳୁଥିବାରୁ ଭେଗାନ୍ମାନଙ୍କଠାରେ ଏହାର ଅଭାବ ଅଧିକ ରହିପାରେ। ଅଭାବ ହେଲେ ଦୁର୍ବଳତା, ରକ୍ତହୀନତା ଏବଂ ସ୍ନାୟୁ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ।

ଦ୍ୱିତୀୟରେ ହେଉଛି 'ଆଇରନ୍' । ଶରୀରରେ ହିମୋଗ୍ଲୋବିନ୍ ତିଆରି ପାଇଁ ଆଇରନ୍ ଆବଶ୍ୟକ। ଉଦ୍ଭିଦଜାତ ଖାଦ୍ୟରେ ଥିବା ଆଇରନ୍ ଶରୀରରେ ପଶୁଜାତ ଖାଦ୍ୟର ଆଇରନ୍ ତୁଳନାରେ କମ୍ ଶୋଷିତ ହୁଏ। ଏହାର ଅଭାବ ହେଲେ କ୍ଲାନ୍ତି, ଦୁର୍ବଳତା ଓ ରକ୍ତହୀନତା ହୋଇପାରେ। ତୃତୀୟରେ 'ଓମେଗା-୩ ଫ୍ୟାଟି ଏସିଡ୍' । ମସ୍ତିଷ୍କ, ଆଖି ଓ ହୃଦଜନିତ ସ୍ୱାସ୍ଥ୍ୟ ପାଇଁ ଏହି ଫ୍ୟାଟି ଏସିଡ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଖାଉନଥିବା ଲୋକଙ୍କୁ ଖାଦ୍ୟରୁ ଓମେଗା-୩ କମ ମିଳିପାରେ।

ଚତୁର୍ଥରେ 'ଭିଟାମିନ୍ D' । ହାଡ଼ ଓ ଦାନ୍ତର ସ୍ୱାସ୍ଥ୍ୟ ସହିତ ଶରୀରର କ୍ୟାଲସିୟମ୍ ବ୍ୟବହାରରେ ଏହାର ଭୂମିକା ରହିଛି। ଖାଦ୍ୟରେ ଭିଟାମିନ୍ D ର ଉତ୍ସ ସୀମିତ ଥିବାରୁ କେବଳ ଶାକାହାରୀ ନୁହେଁ, ଅନେକ ଲୋକଙ୍କଠାରେ ମଧ୍ୟ ଏହାର ଅଭାବ ହୋଇପାରେ। ସେପରି ପଞ୍ଚମରେ 'ଜିଙ୍କ୍' । ରୋଗ ପ୍ରତିରୋଧକ କ୍ଷମତା, କୋଷ ବିକାଶ ଓ ଘା’ ଶୁଖିବା ପ୍ରକ୍ରିୟାରେ ଜିଙ୍କ୍ର ଭୂମିକା ରହିଛି। ଡାଲି ଓ ଶସ୍ୟରେ ଜିଙ୍କ୍ ଥିଲେ ମଧ୍ୟ ସେଥିରୁ ଶରୀରକୁ କମ୍ ମିଳିଥାଏ ।

ତେବେ ପୋଷକତତ୍ତ୍ୱର ଅଭାବ ରୋକିବା ପାଇଁ ଖାଦ୍ୟରେ ଡାଲି, ଛତୁ, ବିନ୍ସ, ବାଦାମ ଓ ବିଭିନ୍ନ ବିଆ, ଶାକସବ୍ଜି, ଫଳ ଏବଂ ଆବଶ୍ୟକତା ଅନୁସାରେ ଫର୍ଟିଫାଏଡ୍ ଖାଦ୍ୟ ସାମିଲ କରିବା ଦରକାର। ଭେଗାନ୍ ଡାଏଟ୍ ଅନୁସରଣ କରୁଥିଲେ ବିଶେଷକରି B12 ପାଇଁ ଡାକ୍ତର କିମ୍ବା ପଞ୍ଜୀକୃତ ଡାଏଟିସିଆନ୍ଙ୍କ ପରାମର୍ଶ ନେବା ଉଚିତ। ତେଣୁ ଶାକାହାରୀ ହେବା ମାତ୍ରେ ପୋଷଣ ଅଭାବ ହେବ, ଏହା ଠିକ୍ ନୁହେଁ । ସନ୍ତୁଳିତ ଏବଂ ବିବିଧ ଖାଦ୍ୟ ଖାଇବା ହେଉଛି ମୁଖ୍ୟ କଥା। ଶରୀରରେ କୌଣସି ପୋଷକତତ୍ତ୍ୱର ଅଭାବ ସନ୍ଦେହ ହେଲେ କୌଣସି ସପ୍ଲିମେଣ୍ଟ୍ ନନେଇ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।