ନୂଆଦିଲ୍ଲୀ: ପୃଥିବୀରେ ଜୀବନ ଆଜି ଏକ ବଡ଼ ସଙ୍କଟ ଦେଇ ଗତି କରୁଛି କି? ବୈଜ୍ଞାନିକ ଓ ପରିବେଶ ବିଶେଷଜ୍ଞଙ୍କ ମଧ୍ୟରେ ଏହି ପ୍ରଶ୍ନକୁ ନେଇ ଚିନ୍ତା ବଢ଼ିଛି। ପୃଥିବୀର ଇତିହାସରେ ପୂର୍ବରୁ ପାଞ୍ଚଟି ବଡ଼ ମହାବିନାଶ ଘଟିଛି। ଏବେ ଅନେକ ବୈଜ୍ଞାନିକ ଆଜିର ଜୀବ ବିବିଧତା ହ୍ରାସକୁ ସମ୍ଭାବ୍ୟ ‘ଷଷ୍ଠ ମହାବିନାଶ’ ସହ ଯୋଡ଼ି ଦେଖୁଛନ୍ତି। 

ସବୁଠାରୁ ବଡ଼ ଚିନ୍ତାର କଥା ହେଉଛି ପ୍ରଜାତି ସଂଖ୍ୟା କମିବା। ୨୦୨୬ ଜୁଲାଇର IUCN ରେଡ୍ ଲିଷ୍ଟ ଅପଡେଟ୍ ଅନୁସାରେ, ଏପର୍ଯ୍ୟନ୍ତ ୧,୭୫,୯୦୯ଟି ପ୍ରଜାତିର ମୂଲ୍ୟାଙ୍କନ କରାଯାଇଛି ଏବଂ ସେଥିରୁ ୪୯,୫୦୫ଟି ପ୍ରଜାତି ବିଲୁପ୍ତିର ବିପଦରେ ଅଛନ୍ତି।

ତେବେ କାହିଁକି ବଢ଼ୁଛି ବିପଦ?ବିଶେଷଜ୍ଞଙ୍କ ଅନୁସାରେ ଏହାର ଅନେକ କାରଣ ରହିଛି। ଜଙ୍ଗଲ ନଷ୍ଟ ହେବା, ପ୍ରାକୃତିକ ବାସସ୍ଥାନ କମିବା, ପ୍ରଦୂଷଣ, ଅତ୍ୟଧିକ ଶିକାର ଓ ପ୍ରାକୃତିକ ସମ୍ପଦର ବ୍ୟବହାର, ଜଳବାୟୁ ପରିବର୍ତ୍ତନ ଏବଂ ବାହାର ଅଞ୍ଚଳର ପ୍ରଜାତି ଦ୍ୱାରା ସ୍ଥାନୀୟ ପ୍ରଜାତିଙ୍କୁ କ୍ଷତି ହେବା ଏହାର ମୁଖ୍ୟ କାରଣ।

read also - ଖାଇବା ପରେ ଗୁଜୁରାତି ଚୋବାଇଲେ କ’ଣ ହୁଏ ? ଜାଣନ୍ତୁ ଏହାର ଔଷଧୀୟ ଗୁଣ

କେବଳ ସ୍ଥଳଭାଗ ନୁହେଁ, ପାଣି ଭିତରେ ଥିବା ଜୀବଜନ୍ତୁମାନେ ମଧ୍ୟ ବିପଦରେ ଅଛନ୍ତି। ୨୦୨୫ର ଏକ IUCN ମୂଲ୍ୟାଙ୍କନରେ ବିଶ୍ୱର ପ୍ରାୟ ୨୪ ପ୍ରତିଶତ ମିଠାପାଣି ପ୍ରଜାତି ବିଲୁପ୍ତିର ଅଧିକ ବିପଦରେ ଥିବା କୁହାଯାଇଥିଲା।

ତେବେ କ’ଣ ଷଷ୍ଠ ମହାବିନାଶ ଆରମ୍ଭ ହୋଇଗଲା?ଏହି ପ୍ରଶ୍ନର ଉତ୍ତରକୁ ନେଇ ବୈଜ୍ଞାନିକ ମହଳରେ ଆଲୋଚନା ରହିଛି। କିଛି ଅଧ୍ୟୟନ ବର୍ତ୍ତମାନର ବିଲୁପ୍ତି ଓ ଜୀବ ବିବିଧତା ହ୍ରାସକୁ ଷଷ୍ଠ ମହାବିନାଶର ସଙ୍କେତ ବୋଲି ଦେଖୁଛି। IUCNର ଏକ ସାମ୍ପ୍ରତିକ ରିପୋର୍ଟ ମଧ୍ୟ ବର୍ତ୍ତମାନର ଜୀବ ବିବିଧତା ସଙ୍କଟକୁ ‘ଷଷ୍ଠ ମହାବିନାଶ’ ସହ ଯୋଡ଼ିଛି।

ତେବେ ଏହାକୁ ନେଇ ଗୋଟିଏ କଥା ସ୍ପଷ୍ଟ ,ଯେ ପ୍ରକୃତି ଉପରେ ମଣିଷର ଚାପ ବଢ଼ୁଛି।ଏବଂ ଆଶାର କଥା ହେଉଛି, ପ୍ରକୃତି ସୁରକ୍ଷା କାମ କରୁଛି। IUCN କହିଛି ଯେ ସଂରକ୍ଷଣ ପଦକ୍ଷେପ ନଥିଲେ କିଛି ପ୍ରଜାତିର ବିଲୁପ୍ତି ବିପଦ ଆହୁରି ଅଧିକ ହୋଇଥାନ୍ତା।

ପ୍ରଶ୍ନ ହେଉଛି ଆମେ ପ୍ରକୃତିକୁ ବଞ୍ଚାଇବା ପାଇଁ ଏବେ କ’ଣ କରୁଛୁ?କାରଣ ଜଙ୍ଗଲ, ନଦୀ, ସମୁଦ୍ର, ପଶୁ ଓ ପକ୍ଷୀ ବଞ୍ଚିଲେ ହିଁ ପୃଥିବୀର ପ୍ରାକୃତିକ ସନ୍ତୁଳନ ବଞ୍ଚିବ। ଆଉ ପ୍ରକୃତିର ସନ୍ତୁଳନ ବଞ୍ଚିଲେ ମଣିଷର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ।