ନୂଆଦିଲ୍ଲୀ ୦୧।୧୦; ବୁଧବାର ଦିନ ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇର ଏକ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ଛୁରୀରେ ଆକ୍ରମଣ କରି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ସମୟରେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛର ସାହସିକତା ପ୍ରଦର୍ଶନ କରିଥିଲେ । ବିମାନରେ ଥିବା ୧୭୪ ଜଣଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏବେ ଏହାକୁ ନେଇ କ୍ୟାପ୍ଟେନ୍ ସ୍ମିତଙ୍କୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ X ରେ ଲେଖିଛନ୍ତି, "ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛରଙ୍କ ଅସାଧାରଣ ସାହସକୁ ମୋର ସଲାମ। ଛୁରୀ ଦ୍ୱାରା ଗୁରୁତର ଆହତ ହେବା ସତ୍ତ୍ୱେ, ସେ ଆକ୍ରମଣକାରୀଙ୍କ ସହ ଲଢ଼ି କକପିଟ୍ ଦ୍ୱାର ଖୋଲି ଦେଇଥିଲେ। ଏହା ଯାତ୍ରୀ ଏବଂ କର୍ମଚାରୀଙ୍କୁ ଆକ୍ରମଣକାରୀଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିଥିଲା। ମଝି ଆକାଶରେ ବଡ ଦୁର୍ଘଟଣାକୁ ଏଡାଇ ଦେଇଥିଲା। ସେ ଇସ୍ରାଏଲୀ ନାଗରିକଙ୍କ ସମେତ ୧୭୪ ଜଣଙ୍କ ଜୀବନ ବଞ୍ଚାଇଥିଲେ।

ମୁଁ କ୍ୟାପ୍ଟେନ୍ ମଚ୍ଛରଙ୍କ ଶୀଘ୍ର ସୁସ୍ଥତା କାମନା କରୁଛି।" ସେ ଜଣେ ପ୍ରକୃତ ହିରୋ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତୀୟ ପାଇଲଟଙ୍କୁ ପ୍ରଶଂସା କରିଛନ୍ତି। କହିଛନ୍ତି ତାଙ୍କ ବୀରତ୍ଵକୁ ଶହେ ସଲାମ...ଏ ଘଟଣା ବିଷୟରେ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି।