ଇସଲାମାବାଦ: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପାକିସ୍ତାନର ଖାଇବର ପଖତୁନଖଓ୍ଵା ପ୍ରଦେଶ। ଏହି ରାଜ୍ୟରେ ରାଜନୈତିକ ଏବଂ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (PTI) ଦ୍ୱାରା ଶାସିତ ଏହି ପ୍ରଦେଶରେ କେନ୍ଦ୍ର ସରକାର ଜରୁରୀକାଳୀନ ପରିସ୍ଥିତି କିମ୍ବା ରାଜ୍ୟପାଳ ଶାସନ ଲାଗୁ କରିବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି । ଏହାକୁ ନେଇ ପାକିସ୍ତାନରେ ଏବେ ଶାସକ ଶେହବାଜ ସରକାର ଏବଂ ପିଟିଆଇ ମଧ୍ୟରେ ରାଜନୈତିକ ଲଢେଇ ଜୋରଦାର ହୋଇପାରେ।

କାହିଁକି ଉପୁଜିଲା ଏପରି ପରିସ୍ଥିତି ?

ପାକିସ୍ତାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ତାରିଖ ଫଜଲ ଚୌଧୁରୀ ସୂଚନା ଦେଇଛନ୍ତି ଯେ, ଖାଇବର ପଖତୁନଖଓ୍ଵାରେ କ୍ରମାଗତ ବିଗୁଡ଼ୁଥିବା ସୁରକ୍ଷା ସ୍ଥିତି ଏବଂ ଆତଙ୍କବାଦକୁ ପ୍ରତିହତ କରିବାରେ ପ୍ରଦେଶ ସରକାରଙ୍କ ବିଫଳତାକୁ ଆଧାର କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି। ସମ୍ବିଧାନର ଧାରା ୨୩୨ ଅନୁଯାୟୀ ଏହି କାର୍ଯ୍ୟାଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଆକଳନ କରାଯାଉଛି।

Also Read: ଆଫଗାନିସ୍ତାନ ଉପରେ ପାକିସ୍ତାନର ପୁଣି ଏୟାର ଷ୍ଟ୍ରାଇକ, କୁନାର-ହେଲମନ୍ଦରେ ୯ ମୃତ

ପିଟିଆଇର ଅକ୍ଟୋବର ୪ ଶୋଭାଯାତ୍ରା ଓ ତିକ୍ତତା

ଅନ୍ୟପଟେ ପିଟିଆଇ ପକ୍ଷରୁ ଆଗାମୀ ଅକ୍ଟୋବର ୪ ତାରିଖରେ ଏକ ବଡ଼ଧରଣର ଶୋଭାଯାତ୍ରା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ ପିଟିଆଇ ନେତୃତ୍ୱ ଏହି ଶୋଭାଯାତ୍ରା ବାତିଲ୍ କରିବାକୁ ମନା କରିଦେଇଛନ୍ତି। ଦଳର ନେତାମାନେ ଏହାକୁ ଏକ ଶାାନ୍ତିପୂର୍ଣ୍ଣ ଏବଂ ସାମ୍ବିଧାନିକ ଅଧିକାର ବୋଲି କହିଛନ୍ତି। କେନ୍ଦ୍ର ସରକାର ଏବଂ ପିଟିଆଇ ଶାସିତ ପ୍ରଦେଶ ମଧ୍ୟରେ ଏହି ମୁହାଁମୁହିଁ ସ୍ଥିତି ପାକିସ୍ତାନର ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଦେଇଛି।