ଭୁବନେଶ୍ୱର : ଧୂମପାନ ଫୁସଫୁସ ପାଇଁ କେତେ ବିପଦଜନକ, ତାହା ସମସ୍ତେ ଜାଣନ୍ତି। ହେଲେ ବର୍ଷ ବର୍ଷ ଧରି ଧୂମପାନରେ ଫୁସଫୁସର କେତେ କ୍ଷତି ହୁଏ? ସିଗାରେଟ ଟାଣିବା ଛାଡ଼ିଦେଲେ କ'ଣ ପୁଣି ଫେରିପାରେ ଫୁସଫୁସର ସ୍ୱାସ୍ଥ୍ୟ? କେତେ ସମୟ ମଧ୍ୟରେ ଶରୀରରେ ଆରମ୍ଭ ହୁଏ ପରିବର୍ତ୍ତନ, କେଉଁ କ୍ଷତି ସୁଧୁରିପାରେ ଏବଂ କେଉଁ କ୍ଷତି ନିଅ ବିରାଟ ରୂପ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଥାଏ । ତେବେ ଦୀର୍ଘଦିନର ଧୂମପାନ ପରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ କ'ଣ କରିବେ ? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ଡାକ୍ତର ...

ଦୀର୍ଘ ସମୟ ଧରି ସିଗାରେଟ୍ କିମ୍ବା ଅନ୍ୟ ତମାଖୁଜାତ ଦ୍ରବ୍ୟ ସେବନ କଲେ ଫୁସଫୁସର କାର୍ଯ୍ୟକ୍ଷମତା ଧୀରେ ଧୀରେ କମିଯାଇଥାଏ । ହେଲେ ଧୂମପାନ ଛାଡ଼ିବା ପରେ ଶରୀର ନିଜକୁ କିଛି ମାତ୍ରାରେ ରିକଭର କରିବା ଆରମ୍ଭ କରେ। କିନ୍ତୁ ପ୍ରଶ୍ନ ହେଉଛି ବର୍ଷ ବର୍ଷର ଧୂମପାନରେ ହୋଇଥିବା ଫୁସଫୁସର କ୍ଷତି କ’ଣ ସହଜରେ ଠିକ୍ ହୋଇପାରେ? ଧୂମପାନ ଛାଡ଼ିବା ପରେ କେତେ ସମୟ ମଧ୍ୟରେ ଫୁସଫୁସରେ ପରିବର୍ତ୍ତନ ଦେଖାଯାଏ? ଏବଂ ଫୁସଫୁସକୁ ସୁସ୍ଥ ରଖିବା ପାଇଁ କ’ଣ କରିବା ଆବଶ୍ୟକ? ବର୍ଷ ବର୍ଷ ଧରି ସିଗାରେଟ୍ ଫୁଙ୍କୁଥିବାବେଳେ ହୁଏତ ଏହାର ଭୟଙ୍କର ପରିଣାମ ବିଷୟରେ ଅନେକେ ଭାବନ୍ତି ନାହିଁ। କିନ୍ତୁ ସମୟ ଗଡ଼ିବା ସହ ଧୂମପାନର ଧୂଆଁ ଫୁସଫୁସ ଉପରେ ଗଭୀର ପ୍ରଭାବ ପକାଇଥାଏ | ଶ୍ୱାସକଷ୍ଟ, ଲଗାତାର କାଶ ଠାରୁ ଆରମ୍ଭ କରି ଗୁରୁତର ଫୁସଫୁସ ରୋଗର ଆଶଙ୍କା ମଧ୍ୟ ବଢ଼ିପାରେ। ତେବେ ଯଦି ଦୀର୍ଘ ଦିନରୁ ଧୂମପାନ କରିଆସୁଛନ୍ତି ଏବଂ ଏବେ ଏହାକୁ ଛାଡ଼ିବାକୁ ଚାହୁଁଛନ୍ତି, ତା’ହେଲେ ଫୁସଫୁସ କେତେଦୂର ସୁସ୍ଥ ହୋଇପାରିବ ସେନେଇ ଡାକ୍ତରଙ୍କ ପରାମର୍ଶ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ସିଗାରେଟ୍ ଛାଡ଼ିବା ପରେ ହିଁ ଶରୀରରେ ଧୀରେ ଧୀରେ ପରିବର୍ତ୍ତନ ଆରମ୍ଭ ହୋଇଯାଏ। କିଛି ଦିନ ମଧ୍ୟରେ ରକ୍ତରେ କାର୍ବନ ମନୋକ୍ସାଇଡ୍ର ସ୍ତର ହ୍ରାସ ପାଇଥାଏ। ପ୍ରାୟ ୨ରୁ ୧୨ ସପ୍ତାହ ମଧ୍ୟରେ ଫୁସଫୁସର କାର୍ଯ୍ୟକ୍ଷମତା ଓ ରକ୍ତ ସଞ୍ଚାଳନରେ ସୁଧାର ଆରମ୍ଭ ହୋଇପାରେ। ୩ରୁ ୯ ମାସ ମଧ୍ୟରେ କାଶ, ଶ୍ୱାସକଷ୍ଟ ଓ ଘରଘର ଶବ୍ଦ ଭଳି ସମସ୍ୟା କମିପାରେ। NHS ଅନୁସାରେ, ଏହି ସମୟରେ ଫୁସଫୁସର କାର୍ଯ୍ୟକ୍ଷମତା ୧୦% ପର୍ଯ୍ୟନ୍ତ ବଢ଼ିପାରେ। କିନ୍ତୁ ଏହା ନିର୍ଭର କରେ ଫୁସଫୁସରେ କେତେ ମାତ୍ରାରେ କ୍ଷତି ହୋଇଛି । ଧୂମପାନ ଯୋଗୁଁ ଯଦି COPD କିମ୍ବା ଏମ୍ଫିସିମା ଭଳି ରୋଗରେ ଫୁସଫୁସର ଗଠନ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇସାରିଛି, ତେବେ ସେହି କ୍ଷତି ସମ୍ପୂର୍ଣ୍ଣ ଭାବେ ପୂରଣ ହେବା ସମ୍ଭବ ନୁହେଁ। କିନ୍ତୁ ଧୂମପାନ ଛାଡ଼ିବା ରୋଗର ଗତିକୁ ଧୀର କରିପାରେ ଏବଂ ଫୁସଫୁସର କାର୍ଯ୍ୟକ୍ଷମତା ଆହୁରି କମିବାର ଗତି ହ୍ରାସ କରିପାରେ। ଅର୍ଥାତ୍ ଧୂମପାନ ଛାଡ଼ିଲେ ଫୁସଫୁସ ରିକଭରିର ସୁଯୋଗ ମିଳେ, କିନ୍ତୁ ସମସ୍ତ ଡ୍ୟାମେଜ୍ ପୁଣି ଶତପ୍ରତିଶତ ସୁସ୍ଥ ହେବ ଏହା କହିହେବ ନାହିଁ।

ଫୁସଫୁସକୁ ରିକଭର କରିବାରେ କ'ଣ କରିବେ :

ସମ୍ପୂର୍ଣ୍ଣ ଭାବେ ଧୂମପାନ ବନ୍ଦ କରନ୍ତୁ, ମଝିରେ ମଝିରେ ସିଗାରେଟ୍ ଖାଇବା ମଧ୍ୟ ଛାଡ଼ିବାର ଲାଭକୁ କମାଇପାରେ। ପରୋକ୍ଷ ଧୂମପାନରୁ ଦୂରେ ରୁହନ୍ତୁ | ଅନ୍ୟମାନଙ୍କ ସିଗାରେଟ୍ ଧୂଆଁ ମଧ୍ୟ ଶ୍ୱାସତନ୍ତ୍ରକୁ କ୍ଷତି କରିପାରେ। ନିୟମିତ ଶାରୀରିକ କାର୍ଯ୍ୟକଳାପ କରନ୍ତୁ । ନିଜ ଶାରୀରିକ ସ୍ଥିତି ଅନୁଯାୟୀ ବ୍ୟାୟାମ କରନ୍ତୁ । ଦୀର୍ଘଦିନର କାଶ କିମ୍ବା ଶ୍ୱାସକଷ୍ଟକୁ ଅଣଦେଖା କରନ୍ତୁ । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶରେ ଫୁସଫୁସର ପରୀକ୍ଷା କରାନ୍ତୁ। ଧୂମପାନ ଛାଡ଼ିବାରେ ସହାୟତା ନିଅନ୍ତୁ । କାଉନସେଲିଂ ଓ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଔଷଧ/ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ଛାଡ଼ିବାର ସମ୍ଭାବନା ବଢ଼ାଇପାରେ। ଧୂମପାନ ଯେତେ ଦିନ ଟାଣିବେ , ଫୁସଫୁସର କ୍ଷତି ମଧ୍ୟ ସେତେ ବଢ଼େ। ଯେତେ ବୟସ ହେଉ କିମ୍ବା ଯେତେ ବର୍ଷ ଧୂମପାନ କରିଥାନ୍ତୁ, ଛାଡ଼ିବା ପରେ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିଥାଏ ।