ନୂଆଦିଲ୍ଲୀ ୦୧।୧୦; ଆଫଗାନିସ୍ତାନର କୁନାର ଓ ହେଲମନ୍ଦ ପ୍ରଦେଶରେ ପୁଣି ପାକିସ୍ତାନର ଏୟାରଷ୍ଟ୍ରାଇକ। ଆଫଗାନ ତାଲିବାନ ସରକାରଙ୍କ ଦାବି—ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ, ୧୧ ଜଣ ଆହତ। ତିନୋଟି ଘର ନଷ୍ଟ ହୋଇଥିବା ମଧ୍ୟ କୁହାଯାଇଛି। ତେବେ ପାକିସ୍ତାନ କହିଛି, ଏହି ଆକ୍ରମଣରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରାଯାଇଥିଲା।

ଆଫଗାନ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦଙ୍କ ଅନୁସାରେ, ଗୁରୁବାର ଭୋର ୩ଟାରେ କୁନାରର ସେଲଟନ୍ ଜିଲ୍ଲାର ଚୋଗାମ୍ ଅଞ୍ଚଳ ଏବଂ ଦକ୍ଷିଣ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶର ଗାର୍ମସିର୍ ଜିଲ୍ଲାର ସଫାର ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। କୁନାରର ସାଧାରଣ ଆବାସିକ ଘରକୁ ଟାର୍ଗେଟ୍ କରାଯାଇଥିଲା। ସେଠାରେ ୫ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିବା ନେଇ ସ୍ଥାନୀୟ ରିପୋର୍ଟରେ କୁହାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ମଧ୍ୟ ଦାବି ହୋଇଛି। ଅନ୍ୟପଟେ ହେଲମନ୍ଦର ସଫାର ଅଞ୍ଚଳରେ ମଧ୍ୟ ଏୟାରଷ୍ଟ୍ରାଇକ୍ ହୋଇଥିବା ଆଫଗାନ କର୍ତ୍ତୃପକ୍ଷ କହିଛନ୍ତି। ସମଗ୍ର ଘଟଣାରେ ୯ ଜଣଙ୍କ ମୃତ୍ୟୁ ଓ ୧୧ ଜଣ ଆହତ ହୋଇଥିବା ଜାବିହୁଲ୍ଲା ମୁଜାହିଦ କହିଛନ୍ତି। ତିନୋଟି ଘର ନଷ୍ଟ ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି। ତେବେ ଏହି ଦାବିଗୁଡ଼ିକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁଅନ୍ୟପଟେ ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି ଯେ, ଗୁପ୍ତଚର ସୂଚନା ଆଧାରରେ ଆଫଗାନିସ୍ତାନର ଦୁଇଟି ସ୍ଥାନରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରାଯାଇଥିଲା।

ପାକିସ୍ତାନ ପକ୍ଷରୁ ସାଧାରଣ ନାଗରିକଙ୍କ ମୃତ୍ୟୁ ନେଇ ଆଫଗାନ ଦାବିକୁ ସ୍ୱୀକାର କରାଯାଇନାହିଁ। କହିବାକୁ ଗଲେ ପାକିସ୍ତାନ ଦୀର୍ଘଦିନ ଧରି ଆଫଗାନିସ୍ତାନରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ପାକିସ୍ତାନରେ ଆକ୍ରମଣ କରୁଥିବା ଅଭିଯୋଗ କରିଆସୁଛି। ତାଲିବାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରୁଛି। ଏହି ପରସ୍ପର ଅଭିଯୋଗ ଏବଂ ସୀମାପାର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ବଢ଼ିଛିତେବେ ଏହି ଏୟାରଷ୍ଟ୍ରାଇକ୍ରେ ପ୍ରକୃତରେ କେତେ ଜଣ ସାଧାରଣ ନାଗରିକ ପ୍ରଭାବିତ ହୋଇଛନ୍ତି ଏବଂ ଟାର୍ଗେଟ୍ କ’ଣ ଥିଲା, ସେନେଇ ଦୁଇ ପକ୍ଷର ଦାବି ଭିନ୍ନ। ଘଟଣାର ସ୍ୱାଧୀନ ଯାଞ୍ଚ ଏବଂ ଆଗାମୀ ପଦକ୍ଷେପ ଉପରେ ଏବେ ନଜର।