ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଖରାପ ସମ୍ପର୍କ ଯୋଗୁ ସିନ୍ଧୁ ଜଳ ସନ୍ଧି ଉପରେ ଏବେବି ପ୍ରଶ୍ନ ଚିହ୍ନ ଲାଗି ରହିଛି। ପହଲଗାଁବ ଆତଙ୍କବାଦୀ ଗୁଳିକାଣ୍ଡ ଘଟଣାକୁ ନେଇ ଭାରତ ଏହି ସନ୍ଧିକୁ ନିଲମ୍ବନ କରିଥିଲା, ଯାହା ଏବେବି ବଳବତ୍ତର ରହିଛି। ଏବେ ରାଜ୍ୟସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରସଙ୍ଗ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କୁ ଏ ବାବଦେ ଜବାବ ମାଗିଛନ୍ତି। ଏହାର ଜବାବରେ କେନ୍ଦ୍ର ସରକାର ପାକିସ୍ତାନକୁ ସିନ୍ଧୁ ଓ ଚିନାବ ନଦୀର ପାଣି କେବେ ମିଳିବ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି।

ବିଦେଶମନ୍ତ୍ରାଳୟ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧି ସେ ପର୍ଯ୍ୟନ୍ତ ବାଧିତ ରହିବ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ଦେବା ସମ୍ପୂର୍ଣ୍ଣ ବନ୍ଦ କରିଥିବାର ପୂର୍ଣ୍ଣ ଭରସା ନ ଦେଇଛି। ଖଡଗେ ରାଜ୍ୟସଭାରେ ଭାରତ-ପାକ୍ ମଧ୍ୟରେ ବର୍ତ୍ତମାନ ସମ୍ପର୍କ ଓ ସିନ୍ଧୁ ଜଳ ସନ୍ଧି ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ବିଦେଶ ମନ୍ତ୍ରାଳୟ ରାଜ୍ୟମନ୍ତ୍ରୀ କିର୍ତ୍ତି ବର୍ଦ୍ଧନ ସିଂହ ଏହାର ଉତ୍ତର ରଖି କହିଛନ୍ତି ଯେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ପହଲଗାଁବ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଅନେକ କୂଟନୈତିକ ପଦକ୍ଷେପ ଗ୍ରହଣ କରିଥିଲା। ଏହି ପଦକ୍ଷେପରେ ସିନ୍ଧୁ ଜଳ ସନ୍ଧି ନିଲମ୍ବନ ମଧ୍ୟ ଗୋଟିଏ ପଦକ୍ଷେପ ଥିଲା।

ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ପରିସ୍ଥିତି ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମା ପାର ଆତଙ୍କ ବାଦକୁ ସମର୍ଥନ ବନ୍ଦ ନ କରିଛି ଓ ସେ ବାବଦେ ବିଶ୍ୱସନୀୟ ଓ ପକ୍କା ପଦକ୍ଷେପ ଗ୍ରହଣ ନ କରିଛି। ସରକାରଙ୍କ ଜବାବ ଅନୁସାରେ ଏ ବାବଦେ କୌଣସି ସ୍ପଷ୍ଟ ତାରିଖ ଦିଆଯାଇ ନାହିଁ। ସିନ୍ଧୁ ଜଳ ସନ୍ଧି ପୁଣି ଲାଗୁ ହେବା ପାକିସ୍ତାନର ସୀମାପାର ଆତଙ୍କବାଦକୁ ସମର୍ଥନ ସହ ଯୋଡା ଯାଇଛି। ଏହାର ଅର୍ଥ ହେଉଛି ପାକିସ୍ତାନକୁ ସନ୍ଧି ଅନୁସାରେ ପାଣି ସମ୍ପର୍କିତ ପୁରୁଣା ବ୍ୟବସ୍ଥା ପୁଣି କେବେ ଆରମ୍ଭ ହେବ ଏହି କଥା ଉପରେ ନିର୍ଭର କରିବ ଯେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ କେଉଁଭଳି ପଦକ୍ଷେପ ନେଉଛି। ତେବେ ସରକାର ଏହା କହି ନାହାନ୍ତି ଏହି ଜଳ ସନ୍ଧି କେଉଁ ନିଶ୍ଚିତ ତାରିଖରୁ ଲାଗୁ ହେବ।

ତେବେ ସିନ୍ଧୁ ଜଳ ସନ୍ଧି ନିଲମ୍ବିତ ଥିଲେ ମଧ୍ୟ ଭାରତ-ପାକ୍ ସମ୍ପର୍କ ସମ୍ପୂର୍ଣ୍ଣ ସମାପ୍ତ ହୋଇ ନାହିଁ। ସରକାର ସଂସଦକୁ କହିଛନ୍ତି ଯେ ଦୁଇ ଦେଶ ଏବେବି ଜଣେ ଜଣକର ରାଜଧାନୀରେ ନିଜର କୂଟନୈତିକ ମିସନ ଜାରି ରଖିଛନ୍ତି। ଏହା ଛଡା କିଛି ଜରୁରି ସମ୍ପର୍କ ମଧ୍ୟ ଜାରି ରହିଛି, ଯେପରିକି ଡିଜିଏମଓ ସ୍ତରର କଥାବାର୍ତ୍ତା, ବାଲିଷ୍ଟିକ୍ ମିଜାଇଲ ପରୀକ୍ଷଣ ପୂର୍ବ ସୂଚନା, ପରମାଣୁ ପ୍ରତିଷ୍ଠାନ ସୂଚୀ ଆଦାନ ପ୍ରଦାନ ଓ ଭାରତ-ପାକ୍ ଜେଲରେ ବନ୍ଦୀ କୈଦୀଙ୍କ ସୂଚୀ ମଧ୍ୟ ସେୟାର କରୁଛନ୍ତି। ସଂସଦରେ ଏହା ବି ପଚରା ଯାଇଥିଲା ଯେ ଅବସରପ୍ରାପ୍ତ ଭାରତୀୟ କୂଟନୈତିକ ଅଧିକାରୀ, ସୈନ୍ୟ ଅଧିକାରୀ ଓ ସିଭିଲ ସୋସାଇଟି ସମ୍ପର୍କିତ ଲୋକେ ପାକିସ୍ତାନ ସହ ଟ୍ରାକ୍-୨ କଥାବାର୍ତ୍ତା କରୁଛନ୍ତି କି? ଏହାର ଜବାବରେ ସରକାର କହିଛନ୍ତି ଯେ ଦୁଇ ଦେଶଙ୍କ ଥିଙ୍କ ଟ୍ୟାଙ୍କ ଓ ଶିକ୍ଷାବିଦ୍ ଙ୍କ ମଧ୍ୟରେ ହେଉଥିବା ସମ୍ପର୍କ ସରକାରଙ୍କ ପରିସର ଅନ୍ତର୍ଭୁକ୍ତ ନୁହେଁ। ଯେଉଁମାନେ ଟ୍ରାକ୍-୨ ବାର୍ତ୍ତାରେ ଭାଗ ନେଉଛନ୍ତି ତାହା ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର। ସେମାନଙ୍କ ବିଚାରକୁ ଭାରତ ସରକାରଙ୍କ ଅଧିକାରୀକ ଅଭିମୁଖ୍ୟ ମନେ କରାଯାଇ ପାରିବନି।

ସିନ୍ଧୁ ଜଳସନ୍ଧି ଭାରତ ଓ ପାକିସ୍ତାନ ମଧ୍ୟରେ ପାଣି ଆବଣ୍ଟନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା। ଏଥିରେ ସରକାରଙ୍କ ଏବେକା ଆଭିମୁଖ୍ୟ ଦୁଇ ଦେଶଙ୍କ ସମ୍ପର୍କରେ ପାଣି ପ୍ରସଙ୍ଗର ଗୁରୁତ୍ୱକୁ ଦର୍ଶାଉଛି। ତେବେ ସରକାର ଏହି ପ୍ରଶ୍ନର ଉତ୍ତରରେ କୌଣସି ଖାସ ନଦୀ ଅଥବା କୌଣସି ରାଜ୍ୟକୁ ମିଳୁଥିବା ପାଣି ନେଇ ପୃଥକ କୌଣସି ସୂଚନା ଦେଇ ନାହାନ୍ତି।