ନୂଆଦିଲ୍ଲୀ: ପ୍ରଥମେ କେବେ ନିଶାପାନ କରିଥିଲା ମଣିଷ। ମିଳିଲା ବଡ଼ ପ୍ରମାଣ ! ପ୍ରାୟ ୨୫ ହଜାର ବର୍ଷ ପୁରୁଣା ଦାନ୍ତରୁ ମିଳିଛି ମାନବ ଇତିହାସର ଏକ ରୋଚକ ପ୍ରମାଣ। ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରୁ ମିଳିଥିବା ପ୍ରାଚୀନ ଦାନ୍ତରେ ଦେଖିବାକୁ ମିଳିଛି ଗୋଲାକାର ଗାତ ଭଳି ଚିହ୍ନ। ଅର୍ଥାତ ନିଶାଦ୍ରବ୍ୟ ନେଉଥିଲେ ହିମଯୁଗର ମଣିଷ। ଆପଣ ପଚାରିବେ କେମିତି ?

ଗବେଷକଙ୍କ ମତ, ସୁଲାୱେସିର ପ୍ରାଚୀନ ଶିକାରୀ ଓ ଖାଦ୍ୟ ସଂଗ୍ରହକାରୀ ମାନବଗୋଷ୍ଠୀ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ସୁପାରି ବ୍ୟବହାର କରୁଥିବା ସମ୍ଭାବନା ରହିଛି। ସୁପାରିରେ ଥିବା ‘ଏରେକୋଲିନ୍’ ନାମକ ରାସାୟନିକ ଉପାଦାନ ମସ୍ତିଷ୍କ ଉପରେ ପ୍ରଭାବ ପକାଇବା ସହ ଯନ୍ତ୍ରଣାକୁ କମାଇପାରେ। ଏହି ଆବିଷ୍କାରକୁ ମଣିଷଙ୍କ ଦ୍ୱାରା ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ପଦାର୍ଥର ନିୟମିତ ବ୍ୟବହାରର ସବୁଠାରୁ ପୁରୁଣା ପ୍ରମାଣ ମଧ୍ୟରୁ ଗୋଟିଏ ବୋଲି ଗବେଷକମାନେ ମତ ରଖିଛନ୍ତି। ଏହା ଜଣାଶୁଣା ପ୍ରାଚୀନ ବିୟର ପ୍ରସ୍ତୁତିର ପ୍ରମାଣଠାରୁ ମଧ୍ୟ ହଜାର ହଜାର ବର୍ଷ ପୁରୁଣା।

ବ୍ରିସବେନ୍ର ଗ୍ରିଫିଥ୍ ବିଶ୍ୱବିଦ୍ୟାଳୟର ଗବେଷକ ଆଡାମ୍ ବ୍ରମଙ୍କ ଅନୁସାରେ, ମଣିଷ ଦ୍ୱାରା ବ୍ୟବହୃତ ସାଇକୋଆକ୍ଟିଭ୍ ପଦାର୍ଥର ଉତ୍ପତ୍ତି ସମ୍ପର୍କରେ ଏବେ ବି ଅନେକ କଥା ଅଜଣା। ପ୍ରାୟ ୨୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଶିକାରୀ-ସଂଗ୍ରାହକ ମାନବଗୋଷ୍ଠୀ ମସ୍ତିଷ୍କର କାର୍ଯ୍ୟକଳାପକୁ ପ୍ରଭାବିତ କରୁଥିବା ଉଦ୍ଭିଦ ସମ୍ପର୍କରେ ଜାଣିଥିବାର ଏହା ସଙ୍କେତ ଦେଉଛି। ଏହି ଗବେଷଣା ‘ସାଇନ୍ସ ଆଡଭାନ୍ସେସ୍’ ପତ୍ରିକାରେ ପ୍ରକାଶିତ ହୋଇଛି।

ଗବେଷକମାନେ ଦୁଇଜଣ ଶିକାରୀ-ଖାଦ୍ୟ ସଂଗ୍ରହକାରୀଙ୍କ କଙ୍କାଳ ଅବଶେଷ ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ଜଣଙ୍କ ଦାନ୍ତ ପ୍ରାୟ ୧୬ ହଜାରରୁ ୨୫ ହଜାର ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଦାନ୍ତରେ ଥିବା ଅସାଧାରଣ ଗୋଲାକାର ଗାତ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦାନ୍ତ କ୍ଷୟ ଓ ଘର୍ଷଣ ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ ମଧ୍ୟ ଏଭଳି ଚିହ୍ନ ପୂର୍ବରୁ ଦେଖିନଥିବା କୁହାଯାଇଛି।

ଆଧୁନିକ ସମୟରେ ପାନ-ସୁପାରି ବ୍ୟବହାର କରିବା ବେଳେ ସୁପାରିକୁ କାଟି ଚୂନ ସହ ମିଶାଯାଏ। କିନ୍ତୁ ପ୍ରାଚୀନ ମଣିଷମାନେ ସମ୍ଭବତଃ ପୂରା ସୁପାରିକୁ ମୁହଁରେ ରଖି ଦୀର୍ଘ ସମୟ ଧରି ଶୋଷୁଥିଲେ। ଏହି ପ୍ରକ୍ରିୟାରେ ଦାନ୍ତରେ ଏଭଳି ଗାତ ଓ ଘର୍ଷଣ ଚିହ୍ନ ସୃଷ୍ଟି ହୋଇଥାଇପାରେ। ପରୀକ୍ଷଣରେ କୃତ୍ରିମ ଲାଳରେ ସୁପାରି ଭିଜାଇ ଦେଖାଯାଇଥିଲା ଯେ, କେବଳ ସୁପାରି ଚୋଷିବା ଦ୍ୱାରା ମଧ୍ୟ ଏରେକୋଲିନ୍ ବାହାରିପାରେ। ପ୍ରାଚୀନ ଦାନ୍ତରେ ଏରେକୋଲିନ୍ର ଅବଶେଷ ମିଳିବା ଏହି ଧାରଣାକୁ ଆହୁରି ମଜବୁତ କରିଛି।

ଗବେଷକଙ୍କ ଅନୁମାନ, ଦାନ୍ତ କିମ୍ବା ମୁହଁର ଯନ୍ତ୍ରଣାରୁ ଆରାମ ପାଇବା ଏହି ଅଭ୍ୟାସର ଏକ କାରଣ ହୋଇଥାଇପାରେ। ସୁପାରି ଚୋଷିବା ପରେ ମୁହଁରେ କିଛି ସମୟ ପାଇଁ ଅବଶ ଅନୁଭୂତି ହୋଇପାରେ। ତେବେ ଦୀର୍ଘ ସମୟ ଧରି ଏହା ବ୍ୟବହାର କଲେ ଦାନ୍ତର ଘର୍ଷଣ ବଢ଼ି ଯନ୍ତ୍ରଣା ମଧ୍ୟ ବଢ଼ିପାରେ। ଫଳରେ ପୁଣି ଆରାମ ପାଇବା ପାଇଁ ସୁପାରି ବ୍ୟବହାର କରିବାର ଏକ ଚକ୍ର ସୃଷ୍ଟି ହୋଇଥାଇପାରେ।

ଗବେଷଣା ଏହା ମଧ୍ୟ ସୂଚାଉଛି ଯେ, କୃଷିର ଆରମ୍ଭ ପୂର୍ବରୁ ହିଁ ମଣିଷ ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ଉଦ୍ଭିଦ ବ୍ୟବହାର କରୁଥିଲା। ପୂର୍ବରୁ ପ୍ରାୟ ୧୨,୫୦୦ ବର୍ଷ ପୂର୍ବେ କୃଷିର ବିକାଶ ସହ ନିଶାଦ୍ରବ୍ୟର ନିୟମିତ ବ୍ୟବହାର ଜଡ଼ିତ ଥିବା ଧାରଣା ରହିଥିଲା। ଏହି ଆବିଷ୍କାର ସେହି ସମୟସୀମାକୁ ଆହୁରି ପଛକୁ ନେଇଯାଇଛି।

ଆଜି ବି ଏସିଆ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଲୋକ ସୁପାରି ବ୍ୟବହାର କରନ୍ତି। ସୁଲାୱେସି ଭଳି ଅଞ୍ଚଳରେ ହିମଯୁଗର ଶିକାରୀ ଓ ଖାଦ୍ୟ ସଂଗ୍ରହକାରୀମାନେ କେବଳ ଖାଦ୍ୟ ପାଇଁ ନୁହେଁ, ବରଂ ଯନ୍ତ୍ରଣାରୁ ଆରାମ କିମ୍ବା ମାନସିକ ପ୍ରଭାବ ପାଇଁ ମଧ୍ୟ ପ୍ରାକୃତିକ ଉଦ୍ଭିଦର ବ୍ୟବହାର କରୁଥିବାର ସଙ୍କେତ ଏହି ଅଧ୍ୟୟନ ଦେଉଛି।