ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ବିଶ୍ୱ ରାଜନୀତି ଓ ସାମୁଦ୍ରିକ ବାଣିଜ୍ୟ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ବରିଷ୍ଠ ସାମରିକ ପରାମର୍ଶଦାତା ୟାହ୍ୟା ରହିମ୍ ସଫାଭି 'ଫାର୍ସ' ନ୍ୟୁଜ୍ ଏଜେନ୍ସି ଦ୍ୱାରା ଜାରି ଏକ ଭିଡିଓରେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା କିମ୍ବା ଇସ୍ରାଏଲ୍ ଇରାନ ଉପରେ ପୁନର୍ବାର ଆକ୍ରମଣ କରନ୍ତି, ତେବେ ଏହି ଯୁଦ୍ଧ କେବଳ ପାରସ୍ୟ ଉପସାଗର, ହର୍ମଜ୍ ପ୍ରଣାଳୀ କିମ୍ବା ଲୋହିତ ସାଗର ମଧ୍ୟରେ ସୀମିତ ରହିବ ନାହିଁ। ଏହି ଯୁଦ୍ଧର ପରିସର ବିସ୍ତାରିତ ହୋଇ ଭାରତ ମହାସାଗର ଏବଂ ଏହାର ଆଗକୁ ମଧ୍ୟ ପହଞ୍ଚିପାରେ। ଏହାସହ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର (IRGC) ମଧ୍ୟ ଚେତାବନୀ ଦେଇଛି ଯେ, ପରିସ୍ଥିତି ଜଟିଳ ହେଲେ ସେମାନେ ନିଜର ସାମରିକ ରଣନୀତି ଏବଂ ଆକ୍ରମଣର ଲକ୍ଷ୍ୟସ୍ଥଳୀରେ ପରିବର୍ତ୍ତନ କରିପାରନ୍ତି।

ବିଶ୍ୱ ଜଳଭାଗର ପ୍ରାୟ ୨୦ ପ୍ରତିଶତ ଅଂଶ ଭାରତ ମହାସାଗର ଏବଂ ଏହାର ପ୍ରମୁଖ ସମୁଦ୍ର ମାର୍ଗଗୁଡ଼ିକ ବିଶ୍ୱ ବାଣିଜ୍ୟର ମେରୁଦଣ୍ଡ । ପାରସ୍ୟ ଉପସାଗର ଓ ଓମାନ ଉପସାଗରକୁ ଯୋଡ଼ୁଥିବା ହର୍ମୁଜ୍ ପ୍ରଣାଳୀ ଏବଂ ଲୋହିତ ସାଗରକୁ ଆଡେନ୍ ଉପସାଗର ସହ ଯୋଡ଼ୁଥିବା ବାବ୍ ଏଲ୍-ମାଣ୍ଡେବ୍ ପ୍ରଣାଳୀ ଦେଇ ବିଶ୍ୱର ପ୍ରମୁଖ ତୈଳ ଓ ବାଣିଜ୍ୟିକ ଜାହାଜ ଯାତାୟାତ କରିଥାଏ।  ଯୁଦ୍ଧ ଭୟ ଓ ସୁରକ୍ଷା କାରଣରୁ ଏହି ଜଳପଥଗୁଡ଼ିକରେ ଜାହାଜ ଚଳାଚଳ ଯଥେଷ୍ଟ କମିଯାଇଛି। ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ଦେଇ ଦୈନିକ ହାରାହାରି ୧୨୫ଟି ସାମଗ୍ରୀ ପରିବହନ ଜାହାଜ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ ପାଇ ମାତ୍ର କିଛି ନିର୍ଦ୍ଦିଷ୍ଟ ଜାହାଜରେ ସୀମିତ ରହିଛି।

ଏହି ସମ୍ଭାବ୍ୟ ଯୁଦ୍ଧ ସମ୍ପ୍ରସାରଣ ଭାରତ ପାଇଁ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତ ନିଜ ଆବଶ୍ୟକତାର ଅଧିକାଂଶ ଅଶୋଧିତ ତୈଳ, LPG ଏବଂ LNG ଏହି ଗଲ୍ଫ ଦେଶଗୁଡ଼ିକରୁ ଏବଂ ଏହି ସମୁଦ୍ର ମାର୍ଗ ଦେଇ ଆମଦାନୀ କରିଥାଏ। ଯଦି ଭାରତ ମହାସାଗରରେ କୌଣସି ଅଶାନ୍ତି ସୃଷ୍ଟି ହୁଏ, ତେବେ ଜାହାଜ ଭଡ଼ା ଏବଂ ବୀମା ଖର୍ଚ୍ଚ ବୃଦ୍ଧି ପାଇବା ସହ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବ, ଯାହା ଭାରତରେ ମୁଦ୍ରାସ୍ଫୀତି ବଢ଼ାଇବ। ଏହାସହିତ ଗଲ୍ଫ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଭାରତୀୟ ଏବଂ ବାଣିଜ୍ୟିକ ଜାହାଜରେ କାର୍ଯ୍ୟରତ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି ହେବ। ଏହି ଅଞ୍ଚଳରେ ଜଣେ ପ୍ରମୁଖ ସୁରକ୍ଷା ପ୍ରଦାନକାରୀ ଭାବରେ ଭାରତକୁ ନିଜର ନୌସେନା ପାଟ୍ରୋଲିଂ ବୃଦ୍ଧି କରିବା ସହ କୂଟନୈତିକ ସ୍ତରରେ ସମୁଦ୍ର ପଥକୁ ସୁରକ୍ଷିତ ରଖିବାକୁ ହେବ।