ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର । ଚଳିତ ସେପ୍ଟେମ୍ବର ମାସର ଦରମା ଓ ପେନସନ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୨୫ରେ ମିଳିବ । ଆଗକୁ ହେବାକୁ ଥିବା ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଯେପରି କର୍ମଚାରୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ନେଇ ଏହି ଆନ୍ଦୋଳନର ଡାକରା ଦିଆଯାଇଛି। ପ୍ରାୟ ୯୦ ପ୍ରତିଶତ ବ୍ୟାଙ୍କ କର୍ମଚାରୀ ଏହି ସଂଗଠନର ପ୍ରତିନିଧିତ୍ୱ କରୁଥିବାରୁ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

Also Read: ଶୁଳ୍କ କମାଇଲେ ସରକାର: ପାର୍ବଣରେ କମିବ ଖାଇବା ତେଲର ଦାମ୍

କାହାକୁ ମିଳିବ ଆଗୁଆ ଦରମାର ଫାଇଦା

ସାଧାରଣ କେନ୍ଦ୍ର ସରକାରୀ କର୍ମଚାରୀ, ପ୍ରତିରକ୍ଷା, ଡାକ ଓ ଦୂରସଞ୍ଚାର ବିଭାଗ, ଶିଳ୍ପ ଭିତ୍ତିକ ଶ୍ରମିକ ଏବଂ ପେନସନଭୋଗୀମାନେ ସେପ୍ଟେମ୍ବର ୨୫ରେ ଆଗୁଆ ଅର୍ଥ ପାଇବେ । ଏହି ଅର୍ଥକୁ ଅଗ୍ରୀମ ଭାବେ ଗ୍ରହଣ କରାଯିବ । ଅକ୍ଟୋବର ମାସର ଦରମାରେ ସମ୍ପୂର୍ଣ୍ଣ ହିସାବ ସହ ଏହାର ଆଡଜଷ୍ଟମେଣ୍ଟ କରାଯିବ । ମାସ ଶେଷରେ ହେବାକୁ ଥିବା ଅନ୍ୟାନ୍ୟ ଜରୁରୀ ସରକାରୀ କାରବାରଗୁଡ଼ିକୁ ମଧ୍ୟ ସେପ୍ଟେମ୍ବର ୨୫ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରବିବାର ଖୋଲା ରହିବ ବ୍ୟାଙ୍କ

ସେପ୍ଟେମ୍ବର ୩୦ ତାରିଖ ହେଉଛି ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ ଜମା-ଖର୍ଚ୍ଚ ହିସାବ ନିକାଶ  ଦିନ । ଧର୍ମଘଟ ଏବଂ କ୍ଲୋଜିଂ ଏକାସାଙ୍ଗରେ ପଡ଼ୁଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆସନ୍ତା ରବିବାର ଦିନ ସମସ୍ତ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।  ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରିବାକୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି । 

Also Read: ଆମେରିକାର ୧୦୦% ଟାରିଫ୍ ଧମକ ମଧ୍ୟରେ ଅର୍ଥମନ୍ତ୍ରୀଙ୍କ ରୋକ୍‌ଠୋକ୍ ଜବାବ