ନୂଆଦିଲ୍ଲୀ: ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ଏକ ରିପୋର୍ଟ ଅନୁସାରେ, ୨୦୨୬ ମସିହାର ପ୍ରଥମାର୍ଦ୍ଧରେ ଚୀନ୍‌ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ବ୍ୟବହାରଯୋଗ୍ୟ ବିଭିନ୍ନ ସାମଗ୍ରୀର ପ୍ରାୟ ୧,୩୦୦ଟି ସିପ୍‌ମେଣ୍ଟ ପଠାଇଛି । ଏହା ଇରାନର ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ବଜାୟ ରଖିବାରେ ସାହାଯ୍ୟ କରିଛି। ଇରାନର ସୀମା ଶୁଳ୍କ ରେକର୍ଡରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସିପ୍‌ମେଣ୍ଟଗୁଡ଼ିକରେ ଡ୍ରୋନ୍ ଏବଂ ଅନ୍ୟାନ୍ୟ ସାମରିକ ପ୍ରଣାଳୀରେ ବ୍ୟବହୃତ ହୋଇପାରୁଥିବା ବିଭିନ୍ନ ଯନ୍ତ୍ରାଂଶ ରହିଥିଲା। ଗତ ଜୁନ୍ ୧୭ ତାରିଖରେ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ୬୦ ଦିନିଆ ଯୁଦ୍ଧବିରତି ଚୁକ୍ତି ହୋଇଥିବା ଦିନ ଏକ ସିପ୍‌ମେଣ୍ଟ ଇରାନରେ ପହଞ୍ଚିଥିବା ବେଳେ, ଏହାର ଦୁଇ ଦିନ ପରେ ଅନ୍ୟୁନ ୬ ନିୟୁତ ଡଲାର ମୂଲ୍ୟର ଡ୍ରୋନ୍ ଯନ୍ତ୍ରାଂଶ ବହନ କରୁଥିବା ଏକାଧିକ ସିପ୍‌ମେଣ୍ଟ ପହଞ୍ଚିଥିଲା।

 'ଇମ୍ପୋର୍ଟ-ଜିନିୟସ୍'ରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୫ ଜାନୁଆରୀରୁ ୨୦୨୬ ଜୁନ୍ ମଧ୍ୟରେ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ କମ୍ପାନୀଗୁଡ଼ିକୁ ଜିପିଏସ୍ (GPS) ଉପକରଣ, ମୋଟର ଏବଂ ବିମାନ ଇଞ୍ଜିନ୍ ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ଗସ୍ତରେ ଅଛନ୍ତି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରୁଛନ୍ତି। 

ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା (AI) ସୁରକ୍ଷା ଏବଂ ତାଇୱାନ୍ ବିବାଦ ଭଳି ପ୍ରସଙ୍ଗ ସହିତ ଇରାନକୁ ଚୀନ୍‌ର ସହଯୋଗ ପ୍ରସଙ୍ଗ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଫେବୃଆରୀ ୨୮ ରେ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଚୀନ୍ ଇରାନକୁ ପ୍ରାୟ ୩୦୦ ଟନ୍ ରାସାୟନିକ ଯୌଗିକ ପଦାର୍ଥ ଯୋଗାଇ ଦେଇଥିଲା। ଯୁଦ୍ଧ ଆରମ୍ଭରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କମିଥିଲେ ବି, ଏପ୍ରିଲ୍ ମାସରେ ଆମେରିକାର ନୌସେନା ପ୍ରତିବନ୍ଧକ ପରେ ଇରାନ ଚୀନ୍ ସହ ବିମାନ ସଂଯୋଗ ବୃଦ୍ଧି କରିଥିଲା। 'ଫ୍ଲାଇଟ୍‌ରାଡାର୨୪' (FlightRadar24) ର ତଥ୍ୟ ଅନୁଯାୟୀ, ଆମେରିକା ଦ୍ୱାରା ପ୍ରତିବନ୍ଧକ ପରେ ବି 'ମାହାନ ଏୟାର' (Mahan Air) ମାର୍ଚ୍ଚ ମାସର ସପ୍ତାହକୁ ୪ଟି ବିମାନ ସେବା ବଦଳରେ ଏପ୍ରିଲ ଶେଷ ସୁଦ୍ଧା ବେଜିଂ, ସାଂଘାଇ ଓ ଗୁଆଙ୍ଗଝୁରୁ ତେହେରାନ୍‌କୁ ସପ୍ତାହକୁ ପ୍ରାୟ ୨୭ଟି ବିମାନ ସେବା ବୃଦ୍ଧି କରିଥିଲା।