ନୂଆଦିଲ୍ଲୀ ୧୪।୧: ଚଳିତବର୍ଷ ଦେଶରେ ରେକର୍ଡ ୧୧.୭୯ କୋଟି ଟନ ଗହମ ଉତ୍ପାଦନର ଆକାଳନ କରାଯାଉଛି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧବାର ଏହି ଆକଳନ କରିଛନ୍ତି। ଚୌହାନ କହିଛନ୍ତି ଯେ ଯଦି ସବୁକିଛି ଠିକଠାକ୍ ରହେ ତେବେ ଗତବର୍ଷର ଉତ୍ପାଦନ ରେକର୍ଡ ଭାଙ୍ଗିବ। ଗତବର୍ଷ ଅପେକ୍ଷା ଚାଷୀ ଏ ବର୍ଷ ଅଧିକ ଜମିରେ ଗହମ କରିଥିବା ବେଳେ ଫସଲ ପରିସ୍ଥିତି ମଧ୍ୟ ଏ ପର୍ଯ୍ୟନ୍ତ ଅନୁକୂଳ ରହିଛି। ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଏକ କାର୍ଯ୍ୟକ୍ରମ ଅବସରରେ ଚୌହାନ ଏହି ଆକଳନ କରିଛଛନ୍ତି।

ଆଇସିଏଆର ମହାନିର୍ଦ୍ଦେଶକ ଏମ.ଏଲ.ଜାଟ କହିଛନ୍ତି ଯେ ଏ ବର୍ଷ ଚାଷୀ ୩.୨ କୋଟି ହେକ୍ଟରରୁ ଅଧିକ ଜମିରେ ଗହମ ଚାଷ କରିଛନ୍ତି ଓ ଫସଲର ସ୍ଥିତି ଏପର୍ଯ୍ୟନ୍ତ ଭଲ ଅଛି। ପାଣିପାଗ ଅନୁକୂଳ ଥିବାରୁ ଚାଷ ମଧ୍ୟ ଭଲ ସ୍ଥିତିରେ ଅଛି। ଯଦି ସବୁକିଛି ଠିକଠାକ ଚାଲେ ତେବେ ଏ ବର୍ଷ ଆମେ ୧୨ କୋଟି ଟନ ଗହମ ଉତ୍ପାଦନର ଲକ୍ଷ୍ୟ ହାସଲ କରିବା ନିଶ୍ଚିତ ବୋଲି କହିଛନ୍ତି। ଆଇସିଏଆର ମହାନିର୍ଦ୍ଦେଶକ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଫସଲର ସ୍ଥିତି ବେଶ୍ ଅନୁକୂଳ ଅଛି। ଯଦି ଏପରି ପାଣିପାଗ ଜାରି ରହିଲା ତେବେ ଆମେ ୧୨୦ ମିଲିୟନ ଟନ ଉତ୍ପାଦନ ପର୍ଯ୍ୟନ୍ତ ପହଞ୍ଚି ଯାଇ ପାରିବା।

ତେବେ ଏଥି ପାଇଁ ଜାଟ୍ ସବୁ ଶ୍ରେୟ ଚାଷୀଙ୍କୁ ଦେଇଛନ୍ତି। ସେମାନଙ୍କ ପୂର୍ବାନୁମାନ ଓ ଶୀଘ୍ର ବୁଣା, ରୁଆ ଶେଷ କରିବା ଯୋଗୁ ଆମକୁ ଏ ବର୍ଷ ଏହି କୃଷି ଫଳାଫଳ ମିଳିବାକୁ ଯାଉଥିବା ସେ କହିଛନ୍ତି। କୃଷିମନ୍ତ୍ରାଳୟ ସୂଚନା ଅନୁସାରେ ୨୦୨୫-୨୬ ରବି ଋତୁରେ ଜାନୁୟାରୀ ୨ ତାରିଖ ସୁଦ୍ଧା ୩୩.୪୧ ମିଲିୟନ ହେକ୍ଟରର ରେକର୍ଡ ଏରିୟାରେ ଗହମ ଚାଷ ହୋଇଛି। ତେବେ ଗତବର୍ଷ ଏହି ସମୟରେ ଗହମ ଚାଷର କ୍ଷେତ୍ରଫଳ ୩୨.୮୦ ମିଲିୟନ ହେକ୍ଟର ଥିଲା।

ତଥ୍ୟରୁ ଜଣାପଡେ ଯେ ବୁଣା ହୋଇଥିବା ମୋଟ ରକବାରୁ ୭୩%ରୁ ଅଧିକ ଭାଗରେ ପାଣିପାଗ ପରିବର୍ତ୍ତନର ସମ୍ମୁଖୀନ ହୋଇ ପାରୁଥିବା ଓ ବାୟୋ ଫୋର୍ଟିଫାଏଡ ବିହନର ଉପଯୋଗ କରାଯାଇଛି। ସାଧାରଣତଃ ଗହମ ରବି ଓ ଶୀତ ଦିନିଆ ଫସଲ। ଚାଷୀ ବୁଣାବୁଣି ସାରିଥିବା ବେଳେ ମାର୍ଚ୍ଚରେ ଫସଲ ଅମଳ କରିବାକୁ ଅପେକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୀନ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତ ଗହମ ଉତ୍ପାଦକ ଦେଶ।