ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଜାରି ଯୁଦ୍ଧ ଏକ ନୂଆ ମୋଡରେ ଆସି ପହଞ୍ଚି ଯାଇଛି। ଇରାନ ଆମେରିକାର ଏକ ଏଫ-୧୫ଇ ଯୁଦ୍ଧବିମାନକୁ ଖସାଇ ଦେଇଛି। ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ କ୍ଷେତ୍ରରେ ଆମେରିକୀୟ ଯୁଦ୍ଧ ବିମାନ ଗଳି ପଡିବାର ଏହା ପ୍ରଥମ ଘଟଣା। ଏଫ-୧୫ର ଦୁଇ ସଦସୀୟ ଚାଳକ ଦଳଙ୍କ ମଧ୍ୟରୁ ଜଣକୁ ଆମେରିକୀୟ ସୈନିକ କୌଣସି ପ୍ରକାର ଉଦ୍ଧାର କରିନେଇଛନ୍ତି। ତେବେ ଆଉ ଜଣେ ପାଇଲଟ ଏବେବି ନିଖୋଜ ଅଛନ୍ତି। ଇରାନୀ ଗଣମାଧ୍ୟମ ନିଖୋଜ ପାଇଲଟଙ୍କୁ ପୋଲିସ ଅଥବା ସାମରିକ ବଳଙ୍କ ହାତରେ ଧରାଇ ଦେଲେ ନଗଦ ପୁରସ୍କାର ସହ ବୋନସ ଘୋଷଣା କରିଛନ୍ତି।

ଏଣୁ ନିଖୋଜ ପାଇଲଟଙ୍କୁ ଖୋଜିବା ପାଇଁ ଆମେରିକୀୟ ସୈନ୍ୟ ଓ ଇରାନୀଙ୍କ ମଧ୍ୟରେ ରେସ୍ ଆରମ୍ଭ ହୋଇଯାଇଛି। ନିଖୋଜ ପାଇଲଟ ଧରାପଡିବା ଇରାନରେ ନୂଆ କଥା ହେବନି। ଇରାନ ସେନା ଏପରି ମାମଲାରେ ପୂର୍ବରୁ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିବାର ଉଦାହରଣ ରହିଛି। ଇରାନରେ ଧରାପଡିଲେ ଆମେରିକୀୟଙ୍କ ଆଖିରେ ପଟି ବାନ୍ଧି ଦିଆଯାଏ। ସେମାନଙ୍କୁ ଆଣ୍ଠୁମାଡି ବସାଇ ସେମାନଙ୍କ ସହ ଖରାପ ବ୍ୟବହାର କରାଯାଏ। ପିଛିଲା ଘଟଣା ୧୨ ଜାନୁୟାରୀ ୨୦୧୬ରେ ହୋଇଥିଲା। ୧୦ ଆମେରିକୀୟ ନୌସୈନିକ (୯ ଜଣ ପୁରୁଷ ଜଣେ ମହିଳା) ଇରାନ ଜଳ କ୍ଷେତ୍ରକୁ ପଶି ଯାଇଥିଲେ। ଆଇଆରଜିସି ଗାର୍ଡ ମାନେ ସେମାନଙ୍କୁ ବନ୍ଧୁକ ମୁନରେ ଧରି ପକାଇଥିଲେ।

ସେତେବେଳେ ଆମେରିକୀୟ ନାବିକଙ୍କ ଆଖିରେ ପଟି ବାନ୍ଧି ଦିଆଯାଇଥିଲା। ବଡି ଆର୍ମର ଓହ୍ଲାଇ ଦିଆଯାଇଥିଲା ଓ ଆଣ୍ଠୁ ମାଡି ବସି ପଛକୁ ହାତ ରଖିବାକୁ ସେମାନଙ୍କୁ କୁହାଯାଇଥିଲା। ସେମାନଙ୍କୁ ଫାରସୀ ଦୀପକୁ ନେଇ ସେଠାରେ ପଚରା ଉଚରା କରାଯାଇଥିଲା ଓ ସାରା ରାତି ହାଜତରେ ରଖା ଯାଇଥିଲା। ମୁକ୍ତି ଲାଗି ସେମାନଙ୍କୁ ଇରାନୀ କ୍ଷମାଯାଚନା ପଢିବାକୁ ଦିଆଯାଇଥିଲା। ସେମାନଙ୍କୁ କ୍ୟାମେରା ଆଗରେ ଖୁସି ଥିବା ଦେଖାଇବାକୁ କୁହାଯାଇଥିଲା ଓ ଖାଇବାକୁ ଦିଆଯାଇଥିଲା। ଏହି ପରି ୧୫ ଘଣ୍ଟା ବିତାଇବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

୧୯୭୯ ମସିହାରେ ଏକ ଘଟଣା ଘଟିଥିଲା, ଏହା ସବୁଠୁ ଗୁରୁତର ଥିଲା। ସେତେବେଳେ ତେହେରାନରେ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା। ଛାତ୍ରମାନେ ୬୬ ଜଣ ଆମେରିକୀୟଙ୍କୁ ବନ୍ଧକ କରିଥିଲେ। ଏମାନଙ୍କ ମଧ୍ୟରୁ ୫୨ ଜଣଙ୍କୁ ୪୪୪ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖା ଯାଇଥିଲା। ସେମାନେ ୨୦ ଜାନୁୟାରୀ ୧୯୮୧ରେ ମୁକ୍ତ ହୋଇଥିଲେ। ଏଥିରୁ ଯାହା ଜଣାପଡେ ଇରାନ ଆମେରିକୀୟଙ୍କ ସହିତ ଖରାପ ଆଚରଣ କରେ। ଏବେ ନିଖୋଜ ପାଇଲଟଙ୍କ ସୁରକ୍ଷା ଚିନ୍ତାର କାରଣ ପାଲଟିଛି। ଏହା ଛଡା ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଏବେ ଚରମରେ ରହିଛି।