ଭୁବନେଶ୍ୱର ୧୧।୦୪ : ଗୁଳୁଗୁଳିରେ ଶନିବାରଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ। ୧୩ରୁ ନିଆଁ ମାଡ଼ ହେବ ପଶ୍ଚିମ ଓଡ଼ିଶାରେ I ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ସୋମ‌ବାର ବେଳକୁ ବଲାଙ୍ଗିର ୪୬ ଡିଗ୍ରୀ ଓ ବରଗଡ଼ ୪୫ ଡିଗ୍ରୀ ସେଲସିୟସ୍ ତାତିରେ ଜଳୁଥିବେ।

ଭୁବନେଶ୍ଵର ବି ୩୯ ଡିଗ୍ରୀ ତାଉରେ ଡହଡହ ହୋଇ ସିଝୁଥିବ। ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ। ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ୧୩ ଓ ୧୪ ତାରିଖରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ) ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରା‌ଯାଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବାବେଳେ ଲୋକେ ସତର୍କ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି।

Also Read:-Horoscope Today : ଏପ୍ରିଲ ୧୧ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ। ଉପକୂଳ ଓଡ଼ିଶାରେ ପାରଦ ୩୫-୩୭ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ତାରିଖ ବେଳକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉପକୂଳରେ ଆର୍ଦ୍ରତା ପରିମାଣ ପ୍ରାୟ ୭୫% ରହିବ। ତେଣୁ ଅସହ୍ୟ ଗୁଳୁଗୁଳି ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତତଲା ପବନ ପ୍ରବାହିତ ହେବ । ଦିନ ଓ ରାତି ତାପମାତ୍ରାରେ ଫରକ ବହୁ ଅଧିକ ରହିବ । ଆଗାମୀ ୨୪ ଘଣ୍ଟା ପରେ କାଳବୈଶାଖୀ ସମ୍ଭାବନା କମିଯିବ । ଖରାଟିଆ ଫସଲରେ ଜଳସେଚନ ପରିମାଣ ବୃଦ୍ଧି କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶନିବାର କାଳବୈଶାଖୀ ସମ୍ଭାବନା ପ୍ରାୟତଃ ନାହିଁ । ରବିବାର ଓ ସୋମବାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶନିବାରଠାରୁ ବାଲେଶ୍ଵର, ଭଦ୍ରକ, ଯଳପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପାରେ। ଯାହାଳି ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୧୩ ତାରିଖରୁ ସମ୍ବଲପୁର, ବଲାଙ୍ଗୀର, ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ( ହିଟ୍ ୱେଲ) ନେଇ ସତର୍କ କରାଯାଇଛି। ଶୁକ୍ରବାର ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୩୭ଡିଗ୍ରୀ ଅତିକ୍ରମ କରିଥିଲା। ବୌଦ୍ଧ ୩୯, ଟିଟିଲାଗଡ଼ ୩୮.୫, ହୀରାକୁଦ ୩୮, ନୂଆପଡ଼ା ୩୮ ଡିଗ୍ରୀ ଥିଲା।