ଲକ୍ଷ୍ନୌ: ଭାରତ ବନାମ ୱେଷ୍ଟ ଇଣ୍ଡିଜ୍ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟ ଇଣ୍ଡିଜ୍ ଭାରତକୁ ୧୭୨ ରନ ଟାର୍ଗେଟ୍ ଦେଇଛି। ଦଳ ଆରମ୍ଭରୁ ମଜଭୁତ ପ୍ରଦର୍ଶନ କରିଥିଲା। ଲାଗୁଥିଲା ସ୍କୋର ୨୦୦ ପାର୍ ହୋଇଯାଇପାରେ। ହେଲେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ କରି ଭ୍ରମଣକାରୀ ଦଳ ଉପରେ ଚାପ ପକାଇବାରେ ସଫଳ ହୋଇଥିଲେ। ଏହାସତ୍ତ୍ୱେ ବି ୱେଷ୍ଟ ଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ଅଲଆଉଟ୍ ହୋଇ ୧୭୧ ରନ୍ ଛିଡ଼ା କରିପାରିଛି।

ଦଳ ପକ୍ଷରୁ ଶେରଫେନ୍ ରଦରଫୋର୍ଡ ସର୍ବାଧିକ ୫୬ ରନ୍ କରିଥିବା ବେଲେ ୱିକେଟ୍ କିପର କ୍ୟାପ୍ଟେନ ସାଇ ହୋପ୍ ୫୨ ରନ୍ର ଯୋଗଦାନ ଦେଇଥିଲେ। ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ।

ସେପଟେ ଭାରତ ପକ୍ଷରୁ ନମନ ଧୀର-୩ଟି, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ଅର୍ଶିଦୀପ ଓ ମୟଙ୍କ ଯାଦବ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

ଏମିତି ଖେଳିଲା ୱେଷ୍ଟ ଇଣ୍ଡିଜ୍

ମ୍ୟାଚ୍ ଆରମ୍ଭରେ, ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍ ଉପରେ ଚାପ ପକାଇଥିଲେ। ପ୍ରଥମ ସଫଳତା ଦେଇଥିଲେ ଦ୍ରୁତ ବୋଲର ଅର୍ଶଦୀପ ସିଂହ। ଘାତକ ୟର୍କର ମାରି କାମିଲ୍ ପୁରନ୍ (୧୨ ରନ୍)ଙ୍କୁ ବୋଲ୍ଡ କରିଦେଇଥିଲେ ଅର୍ଶିଦୀପ।

ଏହାପରେ ଶିମରନ୍ ହେଟମାୟର (୫) ଅସାବଧାନତାରେ ରନ ଆଉଟ୍ ହୋଇଯାଇଥିଲେ। କ୍ରିଜ୍ରେ ଡାଇଭ୍ ମାରୁଥିବା ସମୟରେ ତାଙ୍କ ବ୍ୟାଟ୍ ଏୟାରରେ ରହିବା କାରଣରୁ ସେ ଆଉଟ୍ ହୋଇଥିଲେ। ଏହାପରେ ରୋଭମ୍ୟାନ୍ ପାୱେଲ ବଡ଼ ଶଟ୍ ମାରିବାକୁ ଚେଷ୍ଟା କରି ଅକ୍ଷର ପଟେଲଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ।

ଦଳର ପ୍ରାରମ୍ଭିକ ବିପର୍ଯ୍ୟୟ ପରେ, କ୍ୟାପ୍ଟେନ୍ ଶାଇ ହୋପ୍ ଏବଂ ଶେରଫେନ୍ ରଦରଫୋର୍ଡ ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏହି ଦୁଇ ବ୍ୟାଟର କିଛି ସମୟ ପାଇଁ ଦୃଢ଼ ପ୍ରଦର୍ଶନ କରିବା ପରେ ପୁଣି ଭାରତୀୟ ବୋଲରଙ୍କ ଆଟାକ ଆରମ୍ଭ ହୋଇଥିଲା।

ଡେବ୍ୟୁ କରୁଥିବା ଅଲରାଉଣ୍ଡର ନମନ ଧୀର ଚମତ୍କାର ବୋଲିଂ କରି ଅର୍ଦ୍ଧଶତକ ହାସଲ କରିଥିବା ଶାଇ ହୋପଙ୍କୁ ଆଉଟ୍ କରିଥିଲେ। ନମନ ବଲ୍ ସାମାନ୍ୟ ଟର୍ଣ୍ଣ ହେବା ପରେ ହୋପ ମିଡ୍-ଅଫ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହାପରେ ଚାଇନାମ୍ୟାନ୍ ବୋଲର କୁହାଯାଉଥିବା କୁଲଦୀପ ଯାଦବ ରୋଷ୍ଟନ୍ ଚେଜ୍କୁ ଆଉଟ୍ କରିଥିଲେ। ପୁଣି ପରବର୍ତ୍ତି ଓଭର କରିବାକୁ ଆସିଥିବା ନମନ ଧୀର ବିସ୍ଫୋରକ ବ୍ୟାଟର ରୋମାରିଓ ସେଫର୍ଡଙ୍କୁ ଆଉଟ୍ କରିବା ପରେ ଶେଷ ୱିକେଟ୍ ଦେଇଥିଲେ କୁଲଦୀପ ଯାଦବ। ସେ ମାଥ୍ୟୁ ଫୋର୍ଡଙ୍କୁ ଇସାନ କିଶାନଙ୍କ ହାତରେ କ୍ୟାଚ୍ ଦେଇ ଆଉଟ କରାଇଥିଲେ। ଫଳରେ ୱେଷ୍ଟ ଇଣ୍ଡିଜ୍ ଅଲ୍ଆଉଟ ହୋଇଯାଇଥିଲା।