କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ  ଲାଗି ରହିଛି ହାଇଡ୍ରାମା। ଉପନିର୍ବାଚନ ପ୍ରସ୍ତୁତି ମଧ୍ୟରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ମ ଦେଖିବାକୁ ମିଳିଛି। ନନ୍ଦୀଗ୍ରାମ ଆସନରୁ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ ଗିରଫ ହେବା ପରେ ଏବେ ରେଜିନଗର ବିଧାନସଭା ଆସନର ଜଣେ ସ୍ବାଧୀନ ପ୍ରାର୍ଥୀ ଗିରଫ ହୋଇଛନ୍ତି। ଶନିବାର ପୋଲିସ ରେଜିନଗରର ସ୍ବାଧୀନ ପ୍ରାର୍ଥୀ ସୈଫୁଲ ଇସଲାମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ତାଙ୍କ ବିରୋଧରେ ୨୦୨୧ ମସିହାର ବିଧାନସଭା ନିର୍ବାଚନ ସମୟରେ ଘଟିଥିବା ଏକ ହିଂସାକାଣ୍ଡ ଓ ଗୋଷ୍ଠୀ ସଂଘର୍ଷ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କିଏ ଏହି ସୈଫୁଲ ଇସଲାମ ?

ସୈଫୁଲ ଇସଲାମ ପୂର୍ବରୁ ହୁମାୟୁନ୍ କବୀରଙ୍କ ‘ଆମ ଜନତା ଉନ୍ନୟନ ପାର୍ଟି’ (AJUP) ସହ ଜଡ଼ିତ ଥିଲେ। ଏଥର ସେ ସ୍ବାଧୀନ ଭାବେ ରେଜିନଗରରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଅନ୍ୟପଟେ, ଏହି ନିର୍ବାଚନମଣ୍ଡଳୀରେ ଉତ୍ତେଜନା ସେତିକିରେ ଥମିନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ ମୁର୍ଶିଦାବାଦ ଜିଲ୍ଲାର ହରିହରପାଡ଼ା ନିକଟରେ ଚେକିଂ ସମୟରେ AJUPର ରାଜ୍ୟ ସମ୍ପାଦକ ଆଶିକ ଇକବାଲଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ନୋଟର ୧୦୮ଟି ନକଲି ନୋଟ୍, ୨ଟି ବେଆଇନ୍ ବନ୍ଧୁକ ଏବଂ ୪ଟି ଗୁଳି ଜବତ କରାଯାଇଛି। ଏହି ସଂକ୍ରାନ୍ତରେ ପୋଲିସ AJUP ମୁଖିଆ ହୁମାୟୁନ୍ କବୀରଙ୍କୁ ମଧ୍ୟ ସୋମବାର ହାଜର ହେବାକୁ ନୋଟିସ୍ ଜାରି କରିଛି।

Also Read: ମିଲନ ପ୍ରଧାନଙ୍କ ଗିରଫକୁ ନେଇ ଜୋର ଧରିଲା ରଜନୀତି, ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ରାଜନୈତିକ ନାଟକ ଓ ମମତାଙ୍କ ମନାଇବା ପ୍ରଚେଷ୍ଟା

ରେଜିନଗର ଆସନରେ ଶନିବାର ସାରା ଦିନ ନାଟକୀୟ ପରିସ୍ଥିତି ଲାଗି ରହିଥିଲା। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ରବିଉଲ ଆଲମ ଚୌଧୁରୀ ପ୍ରଥମେ ନାମାଙ୍କନ ପ୍ରତ୍ୟାହାର କରିବା ସହ ଦଳ ଛାଡ଼ିବାକୁ ଘୋଷଣା କରିଥିଲେ। ତେବେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବା ପରେ, ସେ ପୁଣି ନିଜ ନିଷ୍ପତ୍ତି ବଦଳାଇ ଦଳୀୟ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ଉପନିର୍ବାଚନ ପୂର୍ବରୁ ପୋଲିସର ଏହିପରି ଗିରଫଦାରୀ ଏବଂ ନେତାଙ୍କ ଦଳବଦଳ ସମୀକରଣକୁ ନେଇ ପଶ୍ଚିମବଙ୍ଗ ସରଗରମ ହୋଇଉଠିଛି।