କୋଲକାତା: ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ଏବେ ବେଙ୍ଗଲ ରାଜନୀତି ଉଠପଡ଼ ହେଉଛି। ମମତା ବାନାର୍ଜୀଙ୍କ ‘ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ସଞ୍ଚିତା ପ୍ରଧାନଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଥିଲା। ତେବେ ସଞ୍ଚିତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବା ପରେ ମମତା ନନ୍ଦୀଗ୍ରାମରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କ ପ୍ରତି ପାର୍ଟିର ସମର୍ଥନ ଘୋଷଣା କରିଥିଲେ। ଏହି ଘୋଷଣାର ମାତ୍ର କିଛି ସମୟ ପରେ ଦଶନ୍ଧୀ ପୁରୁଣା ଏକ ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ନନ୍ଦିଗ୍ରାମ ବ୍ଲକ-୧ ସୋନାଚୁରାରୁ ଗିରଫ କରି ନିଆଯାଇଥିଲା। ଏବେ ମିଲନ ପ୍ରଧାନ କେଉଁଠି, ତାଙ୍କୁ କାହିଁକି ଗିରଫ କରାଯାଇଛି ଓ କେଉଁ ଯାଞ୍ଚ ଏଜେନ୍ସୀ ତାଙ୍କୁ ଗିରଫ କରିଛି ସେ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଶୁଭଙ୍କର ସରକାର ଏହି ସବୁ ପ୍ରଶ୍ନ କରିଥିବା ବେଳେ ଏ ନେଇ ଆମେ ଉଚ୍ଚନ୍ୟାୟାଳୟକୁ ଯିବୁ ଓ ନିର୍ବାଚନ ଆୟୋଗଙ୍କୁ ଲିଖିତ ଅଭିଯୋଗ କରିବୁ ବୋଲି କହିଛନ୍ତି। ଶୁଭଙ୍କର ସରକାର କହିଛନ୍ତି ଯେ ବିଜେପି ରାଜ୍ୟରେ ଭୟର ପରିବେଶ ସୃଷ୍ଟି କରୁଛି। ଏଣୁ ସେ ଅନ୍ୟ ରାଜନୈତିକ ଦଳଙ୍କ ସହ ଅସ୍ତିତ୍ୱକୁ ଅନୁମତି ଦେଉ ନାହିଁ। ଏଥିରେ ମିଲନ ପ୍ରଧାନଙ୍କ ହତ୍ୟା ଷଡ଼ଯନ୍ତ୍ର କରାଯାଉ ନାହିଁତ, ନା ତାଙ୍କ ଉପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଚାପ ପକାଯାଉଛି ? ସେ ନେଇ ଶୁଭଙ୍କର ଆଶଙ୍କା ପ୍ରକାଶ କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଧାନଙ୍କୁ ଶୁକ୍ରବାର ଅପରାହ୍ନ ପାଖାପାଖି ୫ଟା ବେଳେ ଏକ ଜାମିନ ବିହୀନ ୱାରେଣ୍ଟ ବଳରେ ଗିରଫ କରାଯାଇଥିଲା। ଏହାର କିଛି ସମୟ ପୂର୍ବରୁ ସେ ଘରକୁ ଘର ବୁଲି ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଫେରିଥିଲେ। ଯେଉଁ ହତ୍ୟା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ତାହା ୨୦୦୭ ନନ୍ଦୀଗ୍ରାମ ହିଂସା ସମ୍ପର୍କିତ। ତେବେ ମାମଲାର ବିସ୍ତୃତ ବିବରଣୀ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନି। ମମତା ବାନାର୍ଜୀ ପ୍ରଧାନଙ୍କ ପ୍ରତି ତାଙ୍କ ଦଳର ସମର୍ଥନ ଘୋଷଣାର ମାତ୍ର କିଛି ଘଣ୍ଟା ପରେ ଏହି ଗିରଫଦାରୀ ହୋଇଥିଲା।

ପ୍ରଧାନଙ୍କ ଗିରଫକୁ ନେଇ କଂଗ୍ରେସ ଶନିବାର ‘ନନ୍ଦୀଗ୍ରାମ ଚଲୋ’ ଆହ୍ୱାନ ଦେଇଛି। ଏଥିରେ ଲୋକଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରି ଗିରଫର ଜବାବ ଦେବାକୁ ନିବେଦନ କରାଯାଇଛି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଅଚାନକ ଗିରଫଦାରୀକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତି କଂଗ୍ରେସ ପ୍ରତିନିଧି ଭାବେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କଲେ ଓ ରିଟର୍ଣ୍ଣିଂ ଅଫିସର (ଜିଲ୍ଲା କଲେକ୍ଟର) ଆଗରେ ଶପଥ ନେଲେ ସେତେବେଳେ ତାଙ୍କୁ ଗିରଫ କରାଗଲାନି। ହେଲେ କିଛି ଦିନ ପରେ ଯେତେବେଳେ ଅନ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ନିଜର ସମର୍ଥନ ଜଣାଇଲେ ସେତେବେଳେ ବିଜେପି ଭୟ ଓ ହତାସାରେ ତାଙ୍କୁ ଗିରଫ କରିଥିବା କହିଛନ୍ତି।

ଚୌଧୁରୀ କହିଛନ୍ତି ଯେ ନନ୍ଦୀଗ୍ରାମ ଉପନିର୍ବାଚନକୁ ବିଜେପି ତାମସାରେ ପରିଣତ କରିଛି। ଏହା ଆମ ଗଣତନ୍ତ୍ର ଲାଗି ଏକ ଅପବାଦ ଓ ଏହାକୁ ମୁଁ କଡ଼ା ନିନ୍ଦା କରିବା ସହ ଏଥି ପ୍ରତି ନିର୍ବାଚନ ଆୟୋଗଙ୍କ ଧ୍ୟାନ ଆକର୍ଷଣ କରୁଛି ବୋଲି କହିଛନ୍ତି। ମିଲନ ପ୍ରଧାନଙ୍କୁ ଗରିଫ କରାଯାଇଥିଲେ ମଧ୍ୟ ନନ୍ଦୀଗ୍ରାମରେ କଂଗ୍ରେସ ପାର୍ଟି ସପକ୍ଷରେ ନିର୍ବାଚନ କରାଇବାକୁ ଆମ ପାର୍ଟି ପକ୍ଷରୁ ସବୁମନ୍ତେ ଉଦ୍ୟମ କରିବୁ ଓ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ପାଇଁ ସାମାନ୍ୟତମ ଅବହେଳା କରିବୁନି ବୋଲି ଚୌଧୁରୀ କହିଛନ୍ତି।

ନନ୍ଦୀଗ୍ରାମ ସେହି ୨ଟି ଆସନ ମଧ୍ୟରୁ ଗୋଟିଏ ଯେଉଁଠୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗତ ବିଧାନସଭା ନିର୍ବାଚନ ଲଢିଥିଲେ। ଏଠାରେ ଜିତିବା ପରେ ଶୁଭେନ୍ଦୁ ଇସ୍ତଫା ଦେଇଥିବା ବେଳେ କୌଣସି ପ୍ରକାରେ ଆସନକୁ ନିଜ ହାତରେ ରଖିବାକୁ ଏବେ ଉଦ୍ୟମ କରୁଛନ୍ତି। ଏଠାରେ ପ୍ରଧାନଙ୍କ ବିପକ୍ଷରେ ଋତବ୍ରତ ବାନାର୍ଜୀଙ୍କ ପ୍ରାର୍ଥୀ ମହମଦ ଏତେସାମୁଲ ହକ୍ ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ମା ହସିରାନୀ ରଥ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏହି ଉପ ନିର୍ବାଚନ ଅକ୍ଟୋବର ୬ ତାରିଖରେ ହେବ ଓ ୯ ତାରିଖରେ ଭୋଟ ଗଣନା ହେବ।