ଦୀଘା/ଭୁବନେଶ୍ଵର: ହଟିଲେ ଦିଦି , ଏବେ ହଟିବ ଧାମ | ପଶ୍ଚିମ ବଙ୍ଗରେ ଦିଦିଙ୍କ ସରକାର ଯିବା ପରେ ଏବେ ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟିବ ବୋଲି ଆଶା ସଂଚାର ହୋଇଛି | ପଶ୍ଚିମବଙ୍ଗ ଦୀଘାରେ ମମତା ବାନାର୍ଜୀ ନିର୍ମାଣ କରିଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଲେଖିଥିଲେ | ଯାହାକୁ ନେଇ ରାଜ୍ୟରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା | ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଗଜପତି ମହାରାଜ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ ଦିଦି ଜିଦରେ ଅଟଳ ରହି କାହାରି କଥାକୁ ମାନିନଥିଲେ | ରାଜ୍ୟ ସରକାରଙ୍କର ଚିଠି କୁ ମଧ୍ୟ କୌଣସି ଗୁରୁତ୍ୱ ଦେଇନଥିଲେ ତତ୍କାଳୀନ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ |

ଏବେ ସରକାର ପରିବର୍ତ୍ତନ ପରେ କେବେ ଜଗନ୍ନାଥ ଧାମ ଶବ୍ଦ ହଟିବ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା | ଏବେ ବଙ୍ଗରେ ନୂଆ ସରକାର ଆସିବା ପରେ ଧାମ ଶବ୍ଦ ହଟିବ ବୋଲି ପଟାସପୁର ବିଧାନସଭା ମଣ୍ଡଳୀର ନବ ନିର୍ବାଚିତ ବିଜେପି ବିଧାୟକ ତପନ ମାଇତି କହିଛନ୍ତି | ଦୀଘା ଜଗନ୍ନାଥ ମନ୍ଦିରକୁ ପ୍ରଥମ ଥର ଆସି ସମସ୍ତ ସ୍ଥିତି ଅନୁଧ୍ୟାନ କରି କହିବା ସହିତ ପୁରୀ ଜଗନ୍ନାଥ ମନ୍ଦିରକୁ ଛୋଟ କରିବା ପାଇଁ ଦୀଘାରେ ମମତା ବାନାର୍ଜୀ ଏଭଳି ପ୍ରୟାସ କରିଥିଲେ ବୋଲି କହିଛନ୍ତି |

Also Read: ସରକାର ନେଇଯାଇଥିଲେ ମହାପ୍ରଭୁ ଲିଙ୍ଗରାଜଙ୍କ ଜମି, ଦୀର୍ଘ ବର୍ଷର ଲଢେଇ ପରେ ଖାତାକୁ ଫେରିଲା ୧୫୦ ଏକର

ପୁରୀ ଭଳି ସମସ୍ତ ନୀତିକାନ୍ତି କରାଯିବ ବୋଲି କହିବା ସହିତ ମମତାଙ୍କର ଜଗନ୍ନାଥଙ୍କୁ ନେଇ ଏଭଳି ରାଜନୀତି ପାଇଁ ଆଜି ପର୍ଯ୍ୟନ୍ତ ସେ ମନ୍ଦିରକୁ ଆସି ନଥିଲେ ବୋଲି କହିଛନ୍ତି | ଖାଲି ବଙ୍ଗ ନେତା ନୁହେଁ ବଙ୍ଗରେ ନୂଆ ସରକାର ଆସିବା ପରେ ଓଡ଼ିଶାରୁ ମଧ୍ୟ ଜଗନ୍ନାଥ ପ୍ରେମୀ ମାନେ ଆଜି ପ୍ରଥମ ଥର ଦୀଘା ଜଗନ୍ନାଥ ମନ୍ଦିର ଦର୍ଶନ କରି ଅତି ଶୀଘ୍ର ଧାମ ହଟାଇବା ପାଇଁ ନୂଆ ସରକାରକୁ ନିବେଦନ କରିବେ ବୋଲି କହିଛନ୍ତି।

ପଶ୍ଚିମ ବଙ୍ଗର ପୂର୍ବ ସରକାର କେବଳ ଧାମ ଶବ୍ଦ ନୁହେଁ, ପଥର ମୃତ୍ତି ,ସ୍ନାନ ଯାତ୍ରାରେ ଓମ୍ଫେଡ଼ କ୍ଷୀର ବ୍ୟବହାର ,ଗ୍ୟାସରେ ପ୍ରସାଦ ତିଆରି , ପ୍ରସାଦକୁ ମହାପ୍ରସାଦରେ ନାମକରଣ କରିଥିଲା | ଏହି ସବୁ ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ଭକ୍ତି ଭାବ ସହିତ ଖେଳି ଚାଲିଥିଲେ ମମତା ବାନାର୍ଜୀ | ଧାମ ଶବ୍ଦକୁ ନେଇ ପଶ୍ଚିମବଙ୍ଗରେ ମଧ୍ୟ ଜଗନ୍ନାଥ ପ୍ରେମୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ମନ୍ଦିରକୁ ଆସୁ ନଥିଲେ | ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, ପଶ୍ଚିମ ବଙ୍ଗରେ ବିଜେପିର ସରକାର ଶପଥ ନେବା ପରେ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ହଟିବା ନେଇ ପ୍ରକ୍ରିୟା ଆରମ୍ଭ ହେବ | ରାଜ୍ୟ ସରକାର ପଶ୍ଚିମବଙ୍ଗର ସରକାରଙ୍କ ସହିତ ଆଲୋଚନା କରି ଧାମ ଶବ୍ଦକୁ ହଟାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Also Read: କୋଟିଆ ଶ୍ରୀଜଗନ୍ନାଥ ମନ୍ଦିରେ ସ୍ଥାପନ ହେଲା ମା’ ସୁଭଦ୍ରାଙ୍କ ରଥ ଚକ

୨୦୨୫ ମସିହା ଅକ୍ଷୟ ତୃତୀୟା ଦିନ ପଶ୍ଚିମବଙ୍ଗ ଦୀଘାରେ ୨୨ ଏକର ଜାଗାରେ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟବରଦାରେ ନିର୍ମାଣ ହୋଇଥିଲା ଜଗନ୍ନାଥ ମନ୍ଦିର | ମନ୍ଦିରର ଶୁଭ ଉଦଘାଟନ କରିଥିଲେ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଉଦଘାଟନ ପରେ ମନ୍ଦିରର ଚତୁଃପାର୍ଶ୍ଵରେ ବିଭିନ୍ନ ଜାଗାରେ ହୋଡ଼ିଂ ଓ ସ୍ଥାୟୀ ସେଲ୍ଫି ପଏଣ୍ଟ ଜଗନ୍ନାଥ ଧାମ ନାମରେ କରି ଲଗାଇଥିଲେ।