କୋଟିଆ: କୋଟିଆ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସ୍ଥାପନ ହେଲା ମା’ ସୁଭଦ୍ରାଙ୍କ ରଥ ଚକ। ପୁରୀ ଶ୍ରୀଜଗନ୍ନାଥ ମଦିରରୁ ଆସିଥିବା ଏହି ଚକକୁ ମଙ୍ଗଳବାର ଏକ ବିରାଟ ପଟୁଆରରେ ଆଣି ରୀତିନୀତି ସହ ପୂଜାର୍ଚ୍ଚନା କରି ସ୍ଥାପନ କରାଯାଇଛି। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ରଘୁରାମ ମାଛ, ରାମଚନ୍ଦ୍ର କଡ଼ାମ, ତାରାପ୍ରସାଦ ବାହିନୀପତି, ଶ୍ରୀଜଗନ୍ନାଥ ମନ୍ଦିର ପୁରୀର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ନେତୃତ୍ୱ ଓ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ଏହି ଭବ୍ୟ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଛନ୍ତି, କୋଟିଆବାସୀ ଓ ଆଖାପାଖର ଜନସାଧାରଣଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଭାବ ଆମମାନଙ୍କୁ ଅଭିଭୂତ କରିଛି। କୋଟିଆର ଉନ୍ନତି ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ସହ କୁନ୍ଦୁଲିରୁ କୋଟିଆ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରଶସ୍ତ କରାଯିବ। କୋଟିଆରେ ଜରାଜୀର୍ଣ୍ଣ ରାଜସ୍ବ ଡାକବଙ୍ଗଳାର ପୁନଃରୁଦ୍ଧାର କରି ଏହାକୁ ନୂତନ ଭାବେ ତିଆରି କରିବା ପାଇଁ ମାନ୍ୟବର ମନ୍ତ୍ରୀମାନେ ପ୍ରକାଶ କରିଥିଲେ। ଏହି ଅବସରରେ ଜଙ୍ଗଲ ଜମି ପଟ୍ଟା, ରାସନ କାର୍ଡ, ଭତ୍ତା ଓ ଅନ୍ୟାନ୍ୟ ସରକରୀ ସହାୟତା ବଣ୍ଟନ କରାଯାଇଥିଲା ।