ଭୁବନେଶ୍ୱର ୦୬।୦୫ : ଶ୍ରୀଲିଙ୍ଗରାଜଙ୍କ ଖୋଦ ଦଖଲ ଜମି ନେଇ ଯାଇଥିଲେ ସରକାର । ଶ୍ରୀଜିଉଙ୍କୁ ଜମିଦାର ଭାବେ ଘୋଷଣା କରି ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ରାଜସ୍ୱ ଗ୍ରାମରେ ଥିବା ଠାକୁରଙ୍କ ଶହ ଶହ ଏକର ଖୋଦ ଦଖଲ ଜମି ରାଜ୍ୟ ସରକାରଙ୍କ ଖାତାକୁ ଚାଲି ଯାଇଥିଲା । ହେଲେ ଜମିଦାର ଉଚ୍ଛେଦ ଆଇନ ମୁତାବକ ଶ୍ରୀଜିଉଙ୍କ ଭାଗରେ ପଡ଼ୁଥିବା ଜମିକୁ ଫେରାଇଲେ ନାହିଁ । ଜମି ଫେରସ୍ତ ପାଇଁ ମନ୍ଦିର ପ୍ରଶାସନ ୧୯୯୧ରେ ମକଦ୍ଦମାରେ ପକ୍ଷ ହେଲେ । ପ୍ରାୟ ୩ ଦଶନ୍ଧି ପରେ ଉକ୍ତ ମକଦ୍ଦମା ଚୂଡ଼ାନ୍ତ ହୋଇଛି । ସରକାର ଶ୍ରୀଲିଙ୍ଗରାଜଙ୍କ ଖାତାକୁ ୧୪୯ ଏକର ୫୭୦ ଡେସିମିଲ ଜମି ଫେରାଇଛନ୍ତି ।

ଭୁବନେଶ୍ୱର ଓ ଏହାର ପାଶ୍ୱର୍ବର୍ତ୍ତୀ ରାଜସ୍ୱ ଗ୍ରାମରେ ଶ୍ରୀଜିଉଙ୍କର ୩୬୦୦ ଏକର ଜମି ଥିଲା । ସେବା ସ୍ୱତ୍ୱ ଜମିକୁ ଛାଡ଼ି ସହସ୍ରାଧିକ ଏକର ଜମି ଠାକୁରଙ୍କ ଖୋଦ ଦଖଲ ଜମି ସ୍ୱତ୍ୱାଧିକାର ଥିଲା । ଚଳିତ ବନ୍ଦୋବସ୍ତ ପୂର୍ବରୁ ସରକାର ଶ୍ରୀଜିଉଙ୍କ ସମସ୍ତ ଭୂସମ୍ପତ୍ତି ରେକର୍ଡକୁ ଜବତ କରି ନେଇଥିଲେ । ଏହାପରେ ଠାକୁରଙ୍କ ଖୋଦ ଦଖଲ ଜମିକୁ ସରକାରୀ ଜମି ଭାବେ ପରିବର୍ତ୍ତନ କରି ଦେଇଥିଲେ । ୧୯୯୧ ମସିହାରେ ମନ୍ଦିର ପ୍ରଶାସନ ଠାକୁରଙ୍କ ଜମି ଫେରସ୍ତ ନିମନ୍ତେ ଓଇଏ/୩୭/୯୧ ମାମଲାରେ ପକ୍ଷଭୁକ୍ତ ହୋଇଥିଲେ । ପରବର୍ତ୍ତୀ କାଳରେ ସେ ମାମଲା ୩ ଭାଗରେ ବିଭକ୍ତ ଅର୍ଥାତ୍ ଓଇଏ ଅପିଲ ନଂ ୪, ୫, ୬/୯୫ ମାମଲା ହୋଇ ମେମ୍ବରଙ୍କ କୋର୍ଟରେ ଦାଖଲ ହୋଇଥିଲା । ବର୍ଷ ବର୍ଷ ଧରି ଉକ୍ତ ମାମଲାର ଶୁଣାଣି ହୋଇ ନଥିଲା । ତେବେ ୨୦୨୨ ମସିହାରେ ଉକ୍ତ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଥିଲା । ଅଦାଲତ ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଉପରୋକ୍ତ ପରିମାଣର ଜମି ଫେରାଇ ଦେବାକୁ ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ ପର୍ଯ୍ୟାୟକ୍ରମେ ରେକର୍ଡ ସଂଶୋଧନ ହୋଇ ଉକ୍ତ ସରକାରୀ ଜମି ଠାକୁରଙ୍କ ଖାତାରେ ଚଢ଼ିଛି ।

ରାଜାରାଣୀ, ଭୁବନେଶ୍ୱର, କପିଳପ୍ରସାଦ ମୌଜାରୁ ସର୍ବାଧିକ

ଫେରସ୍ତ ହୋଇଥିବା ସରକାରୀ ଜମି ମଧ୍ୟରୁ ଅଧିକାଂଶ ଭୁବନେଶ୍ୱର, ରାଜାରାଣୀ, ଗୌତମନଗର, କପିଳପ୍ରସାଦ ଆଦି ରାଜସ୍ୱ ଗ୍ରାମରେ ରହିଛି । ଜମିର ରେକର୍ଡ ବଦଳିଲା ସତ, କିନ୍ତୁ ସେଥିରୁ ୯୦ ପ୍ରତିଶତ ଜମି ଜବରଦଖଲ । ଜମି ରେକର୍ଡ ସରକାରୀ ଥିବା ବେଳେ ଲୋକେ ମାଡ଼ିବସି ସେଥିରେ ଘରଦ୍ୱାର ବନାଇ ଦେଇଛନ୍ତି । ଏହି ଜମି କିପରି ଦଖଲକୁ ଆସିବ ତାହା ମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଜମି ଫେରିବା ପରେ ଏହାର ବାକିଆ ଖଜଣା ଭରିବାକୁ ପଡ଼ିବ । ସେଥିପାଇଁ ଠାକୁରଙ୍କ ତହବିଲରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହେବ । ଏହି ପରିପ୍ରେକ୍ଷୀରେ ଉକ୍ତ ଜମି ଗୁଡ଼ିକ ସୁବିନିଯୋଗ କରି ମନ୍ଦିର ପରିଚାଳନା କ୍ଷେତ୍ରରେ ଲାଗି ରହିଥିବା ଆର୍ଥିକ ନିଅଣ୍ଟ ଭରଣା କରିବାକୁ ଶ୍ରଦ୍ଧାଳୁ ଦାବି କରିଛନ୍ତି । ଏ ସମ୍ପର୍କରେ ଶ୍ରୀଜିଉଙ୍କ ଓକିଲ ରବି ରାଉତରାୟ କହିଛନ୍ତି, ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି । ଶ୍ରୀଜିଉଙ୍କ ଜମି ଚଞ୍ଚକତା କରି ନେଇଥିବା ପ୍ରମାଣ ମିଳିଲେ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।